ଓଡ଼ିଶାଲାଇଭ୍ ବ୍ୟୁରୋ

ଅଜ୍ଞାତ ନମ୍ଵରରୁ KYC ଅପଡେଟ୍ ପାଇଁ ଆସୁଥିବା ଫେକ୍ ମେସେଜରୁ ଦୂରେଇ ରହିବାକୁ ଓଡ଼ିଶା ପୋଲିସ ସତର୍କ ସୂଚନା ଜାରି କରିଛି।

“ପ୍ରିୟ ଗ୍ରାହକ, ଆପଣଙ୍କ ସିମ୍‌ ଡକ୍ୟୁମେଣ୍ଟର ଅବଧି ଆଜି ଶେଷ ହୋଇଯିବ। ଆପଣଙ୍କ ନେଟଓ୍ଵାର୍କ ସେବା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବନ୍ଦ କରିଦିଆ ଯିବ। ସେବା ଜାରି ରଖିବାକୁ ୮୫୯୭୩୪୩୮୮୫ ନମ୍ଵରକୁ କଲ୍ କରନ୍ତୁ।…” ଯଦି ଆପଣଙ୍କ ଫୋନକୁ ଏପରି ଏସଏମଏସ ଆସୁଛି ତେବେ ସତର୍କ ହୋଇ ଯାଆନ୍ତୁ। ମେସେଜରେ ଦିଆଯାଇଥିବା ନମ୍ଵରକୁ ଫୋନ୍ କରନ୍ତୁ ନାହିଁ। କାହିଁକି ନା ସେବା ପ୍ରଦାନକାରୀ ସଂସ୍ଥାମାନେ ଏହିଭଳି କୌଣସି ନମ୍ବରକୁ ଫୋନ୍ କରିବାକୁ ପରାମର୍ଶ ଦିଅନ୍ତି ନାହିଁ।

ମୋବାଇଲକୁ ଆସୁଥିବା ଏଭଳି ଫେକ୍ ଏସଏମଏସରୁ ଦୂରେଇ ରହିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଟୁଇଟ ଯୋଗେ ଏକ ସତର୍କବାଣୀ ଜାରି କରାଯାଇଛି।

କେଓ୍ଵାଇସି ଅପଡେଟ୍ ପାଇଁ ଏପରି ଫେକ୍ ଏସଏମଏସ୍ ଆସୁଥିଲେ ତାହାକୁ ଅଣଦେଖା କରିବା ପାଇଁ ଜନ ସାଧାରଣଙ୍କୁ ପୋଲିସ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ରାଜ୍ୟରେ ଏବେ କିଛିଦିନ ହେବ ସାଇବର୍ ଅପରାଧ ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି। ମାତ୍ର କେଇ କ୍ଷଣରେ ଆକାଉଣ୍ଟରୁ କଟିଯାଉଛି ଲକ୍ଷ ଲକ୍ଷ ଟଙ୍କା। ଗୋଟିଏ ଫୋନ କଲ୍‌ରେ ଗ୍ରାହକଙ୍କ ସବୁ ଡାଟା ଚୋରି ହୋଇଯାଉଛି। ଜମତାରା ଗ୍ୟାଙ୍ଗ ଭଳି ସାଇବର ଅପରାଧୀମାନଙ୍କର ଦୈରାତ୍ମ୍ୟ ଏବେ ରାଜ୍ୟରେ ସବୁ କୋଣରେ ଦେଖାଦେଇଛି। ତେଣୁ ଏହିସବୁ ଫେକ୍ କଲ୍, ଏସଏମଏସ ଆଦିରୁ ସତର୍କ ରହି ଏସବୁକୁ ଅଣଦେଖା କରିବାକୁ ପୋଲିସ ବିଭାଗ ସତର୍କ କରାଇ ଦେଇଛି।

Comment