ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟରୁ ଅଦା ବସ୍ତାରେ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ କରିଛି ଜୟପୁର ପୋଲିସ।

ଅଦା ବସ୍ତା ଭିତରେ ହେଉଥିଲା ଗଞ୍ଜେଇ ଚାଲାଣ। ଉପର ଭାଗରେ ଅଦା, ଭିତରେ ଗଞ୍ଜେଇ କେହି ଯେମିତି ଜାଣିପାରିବେ ନାହିଁ। ମାତ୍ର ଚାଲାଣକାରୀମାନଙ୍କର ଏହି ଯୋଜନାକୁ ଭଣ୍ଡୁର କରିଦେଲା ପୋଲିସ। ଏମିତି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ। ବୁଧବାର ଅଦାବସ୍ତା ଭିତରେ ଗଞ୍ଜେଇ ଲୁଚାଇ ଉତ୍ତରପ୍ରଦେଶକୁ ଚାଲାଣ କରାଯାଉଥିବା ବେଳେ ଜୟପୁର ସଦର ପୋଲିସ ଚଢାଉ କରିଛି। ଏହି ମାମଲାରେ ଉତ୍ତର ପ୍ରଦେଶର ୩ ଜଣକୁ ପୋଲିସ ଗିରଫ କରିଛି।ପୋଲିସର ସୂଚନା ଅନୁସାରେ ବୁଧବାର କୋରାପୁଟ ଜିଲ୍ଲା ଲମତାପୁଟରୁ ଏକ ଉତ୍ତର ପ୍ରଦେଶ ଗାଡ଼ି ନମ୍ଵରଥିବା ଟ୍ରକରେ ଅଦା ବସ୍ତା ଭିତରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ କରାଯାଉଥିଲା। ବସ୍ତାର ଉପରି ଭାଗରେ ଅଦା ରଖି ତା’ ତଳେ ଗଞ୍ଜେଇ ରଖାଯାଇଥିଲା। ଏହି ସମୟରେ ଜୟପୁର ସଦର ପୋଲିସ ବାମୁଣି ଗାଁ ନିକଟରେ ଉକ୍ତ ଟ୍ରକ ଉପରେ ଚଢାଉ କରିଥିଲା।

ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପନା ଲାଲା ବର୍ମା, ରାମୁ ଗୁରୁ ଏବଂ ଟ୍ରକ ମାଲିକ ରାଜେନ୍ଦ୍ର କୁମାର। ପୋଲିସ ଏମାନଙ୍କଠାରୁ ମୋଟ୍ ୭୩୮ କେଜି ଗଞ୍ଜେଇ ଜବତ କରିଛି। ଏହି ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ୭୦ ଲକ୍ଷ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।ଏଥି ସହ ସେମାନଙ୍କଠାରୁ ନଗଦ ୪୦ ହଜାର ଟଙ୍କା ମଧ୍ୟ ମିଳିଛି। ପୋଲିସ ଉକ୍ତ ଅଭିଯୁକ୍ତମାନଙ୍କ ନାମରେ ୩୨/୨୧ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସଦର ଥାନା ଅଧିକାରୀ ଆଦିତ୍ୟ ମହାକୁଡ ପ୍ରକାଶ କରିଛନ୍ତି।

Comment