ଓଡ଼ିଶାଲାଇଭ୍ ବ୍ୟୁରୋ

puri srimandirମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଉପସ୍ଥାପନା କରିଛନ୍ତି।

“ଓଡ଼ିଆ ଜାତିର ସବୁଠାରୁ ବଡ଼ ପରିଚୟ ହେଉଛନ୍ତି ଶ୍ରୀଜଗନ୍ନାଥ। ଆମ ଇତିହାସ, ସଂସ୍କୃତି, ପରମ୍ପରା ଓ ଆମ ବିଶ୍ଵାସ ସବୁ କିଛି ମହାପ୍ରଭୁଙ୍କୁ କେନ୍ଦ୍ର କରି ଗଢ଼ି ଉଠିଛି। ସେ ହେଉଛନ୍ତି ଓଡ଼ିଆ ଅସ୍ମିତାର ପ୍ରତୀକ” ଶନିବାର ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନାର ଉପସ୍ଥାପନା କରି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଶ୍ରୀକ୍ଷେତ୍ରକୁ ବିଶ୍ଵସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ରୂପେ ଗଢ଼ି ତୋଳିବାକୁ ରାଜ୍ୟ ସରକାର ଐତିହ୍ୟ କରିଡର ଯୋଜନା ଆରମ୍ଭ କରିଛନ୍ତି। ଏହି ଅବସରରେ ଶନିବାର ବିଧାନସଭାରେ ଐତିହ୍ୟ କରିଡର ବିକାଶ ପାଇଁ ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ମୁଖ୍ୟମନ୍ତ୍ରୀ ଉପସ୍ଥାପିତ କରିଛନ୍ତି। ଏହି ଯୋଜନାରେ ଶ୍ରୀମନ୍ଦିର ଏବଂ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତମାନଙ୍କର ନିରାପତ୍ତା ରଖାଯାଇ ପାରିବ ସେହିପରି ଭକ୍ତମାନଙ୍କ ପାଇଁ ଶ୍ରୀକ୍ଷେତ୍ରରେ ଏକ ସୁନ୍ଦର ପରିବେଶ କିପରି ସୃଷ୍ଟି କରାଯାଇ ପାରିବ ଭଳି ୩ଟି ପ୍ରସଙ୍ଗ ପ୍ରତି ଗୁରୁତ୍ଵ ଦେଇଛନ୍ତି ରାଜ୍ୟ ସରକାର।

ଏହି ଯୋଜନା ସାଢେ ୪ କୋଟି ଓଡ଼ିଆଙ୍କ ନିଜ ଯୋଜନା। ତେଣୁ ଗଜପତି ମହାରାଜଙ୍କ ସମେତ ଏହି ଯୋଜନାକୁ ସହଯୋଗ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଐତିହ୍ୟ କରିଡରର ବିକାଶ ପାଇଁ ତ୍ୟାଗ କରିଥିବା ସମସ୍ତ ସେବାୟତ ଓ ପୁରୀବାସୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।puri srimandir“ଶ୍ରୀମନ୍ଦିର ପରିକ୍ରମା ଭଳି ଯୋଜନା କରିବାର ସୁଯୋଗ ବହୁତ କମ ଆସେ। ଯୁଗ ଯୁଗ ପରେ ଏଭଳି ମୁହୂର୍ତ୍ତ ଆସେ। ଶ୍ରୀମନ୍ଦିର ହେଉଛି ଆମର ଅଧ୍ୟାତ୍ମିକ ଐତିହ୍ୟର କେନ୍ଦ୍ର ଯାହାକି ପୁରୁଷ ପୁରୁଷ ଧରି ଉତ୍ତରାଧିକାରୀ ସୂତ୍ରରେ ଆମେ ପାଇଛେ। ଏହି ଅମୂଲ୍ୟ ସମ୍ପଦକୁ ଆମେ ଆମର ଭବିଷ୍ୟତ ବଂଶଧରମାନଙ୍କ ପାଇଁ ସାଇତି ରଖିଛୁ। ତେଣୁ ମହାପ୍ରଭୁଙ୍କ ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ସମ୍ପୂର୍ଣ୍ଣ କରିବା ପାଇଁ ଆମେ ସମସ୍ତେ ସଂକଳ୍ପ ନେଇ କାମ କରିବା ଓ ଶୀଘ୍ର ଶେଷ କରିବାକୁ ନିଷ୍ଠାର ସହ ଉଦ୍ୟମ କରିବା। ଦେଶ ବିଦେଶରେ ରହୁଥିବା ଜଗନ୍ନାଥପ୍ରେମୀଙ୍କ ହୃଦୟରେ ଗୋଟିଏ ଇଚ୍ଛା ମହାପ୍ରଭୁଙ୍କ ଏହି ଯୋଜନାରେ ସାମିଲ ହେବା ସହ ଏଥିରେ ନିଜର କିଛି ଅବଦାନ ରଖିବା। ଏଥିପାଇଁ ସମସ୍ତଙ୍କୁ ସୁଯୋଗ ଦେବା”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ଆହୁରି ମଧ୍ୟ କହିଛନ୍ତି ଯେ, ଓଡିଆ ସ୍ୱାଭିମାନ ପାଇଁ ଯେଉଁ ମହାପ୍ରଭୁ ଦିନେ କାଞ୍ଚି ଅଭିଯାନରେ ବାହାରି ଥିଲେ, ଭକ୍ତର ମାନ ରକ୍ଷା ପାଇଁ ନନ୍ଦିଘୋଷ ଛାଡି ବାଲି ରଥରେ ବିଜେ କରିଥିଲେ, ସେ କାଳିଆ ଠାକୁର ଜଗନ୍ନାଥଙ୍କ ସେବାରେ, ତାଙ୍କ ଧାମର ବିକାଶରେ ଆମେ ଯଦି କିଛି ବି ଅବଦାନ ରଖିପାରିବା, ତେବେ ଜଣେ ଓଡ଼ିଆ ଭାବରେ ଏହା ହେବ ଆମର ଶ୍ରେଷ୍ଠ ସୌଭାଗ୍ୟ ହେବ।

ଫେବ୍ରୁଆରି ୧୫ ତାରିଖରେ ଐତିହ୍ୟ କରିଡର ବିକାଶ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ହୋଇଥିଲା। ଏଥିରେ ଶ୍ରୀମନ୍ଦିର ଚାରିପାଖେ ୭୫ ମିଟର କରିଡରରେ ଉନ୍ନୟନମୂଳକ କାମକୁ ଆଗକୁ ନେବା ପାଇଁ ଅନୁମୋଦନ ମିଳିଥିଲା। ଶନିବାର ଏହି ଯୋଜନାକୁ  ବିଧାନସଭାରେ ଉପସ୍ଥାପିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ବାଚନିକ ଭୋଟ୍ ଆଧାରରେ ଗୃହରେ ଏହି ଯୋଜନାକୁ ସର୍ବସମ୍ମତି ମିଳିଛି। ବିରୋଧୀ ଦଳର ସଦସ୍ୟମାନେ ମଧ୍ୟ ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ଅନୁମୋଦନ କରିଛନ୍ତି।

Comment