ଓଡ଼ିଶାଲାଇଭ୍ ବ୍ୟୁରୋ

ମନ୍‌ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶାର ସିଲୁ ନାୟକଙ୍କ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଭାରତୀୟ ସେନାରେ ସୈନିକଟିଏ ହେବେ ବୋଲି ପିଲାଟି ବେଳୁ ସ୍ଵପ୍ନ ଦେଖିଥିଲେ। ହେଲେ ସେନାର ଫିଜିକାଲ୍ ଟେଷ୍ଟରେ ଫେଲ୍ ହୋଇଗଲେ। ସୈନିକ ହେବାର ସ୍ଵପ୍ନ ତାଙ୍କର ଅଧାରେ ରହିଗଲା। କିନ୍ତୁ ସେ ହାର୍ ମାନିଲେ ନାହିଁ। ତାଙ୍କଭଳି ଆଉ କାହାର ସ୍ଵପ୍ନ ଯେପରି ଭାଙ୍ଗି ନଯାଏ ସେଥିପାଇଁ ସେ ସେନାରେ ଭର୍ତ୍ତି ପାଇଁ ପିଲାମାନଙ୍କୁ ମାଗଣାରେ ତାଲିମ ଦେଲେ। ଏବେ ତାଙ୍କ ଟ୍ରେନିଂ କ୍ୟାମ୍ପରୁ ଅନେକ ପିଲା ସେନାରେ ଭର୍ତ୍ତି ହୋଇପାରିଛନ୍ତି। ଏଭଳି ଜଣେ ବ୍ୟକ୍ତିତ୍ଵ ହେଉଛନ୍ତି ସିଲୁ ନାୟକ। ରାଷ୍ଟ୍ର ସେବା ପାଇଁ ସିଲୁଙ୍କର ଏହି ଅଭିନବ ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁହଁରେ ସିଲୁ ସାର୍

ରବିବାର ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ସିଲୁ ସାରଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ମୋଦୀ କହିଛନ୍ତି ଯେ, ଓଡ଼ିଶାର ଜଗତସିଂହପୁରର ଏକ ଛୋଟ ଗାଁରୁ ସିଲୁ ନାୟକ ରାଷ୍ଟ୍ର ହିତ ପାଇଁ ଏକ ମହାନ କାର୍ଯ୍ୟ କରୁଛନ୍ତି। ସେନାରେ ଭର୍ତ୍ତି ହେବା ପାଇଁ ଆବଶ୍ୟକୀୟ ସମସ୍ତ ତାଲିମ ସେ ମାଗଣାରେ ଦେଉଛନ୍ତି। ସିଲୁ ସାର୍ ଜଣେ ‘ମ୍ୟାନ୍ ଇନ୍ ମିଶନ’। ସିଲୁ ସାର୍‌ଙ୍କର ଏହି ଉଦ୍ୟମ ଆଗକୁ ଲାଗିରହୁ। ସେ ଦେଶପାଇଁ ଏମିତି ଜବାନମାନ ଗଢ଼ନ୍ତୁ।

ପ୍ରଧାନମନ୍ତ୍ରୀ ମୋଦୀ ମନ୍‌ କି ବାତ୍‌ରେ ସିଲୁ ସାର୍‌ଙ୍କ ବିଷୟରେ କହିବା ପରେ ଏବେ ବିଭିନ୍ନ ମହଲରୁ ସିଲୁଙ୍କୁ ପ୍ରଶଂସାର ସୁଅ ଛୁଟିଛି। ସମସ୍ତେ ତାଙ୍କର ଏହି କାର୍ଯ୍ୟକୁ ସାବାସୀ ହେଉଛନ୍ତି।ସିଲୁ ନାୟକରୁ ସିଲୁ ସାର୍‌

ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକରେ ସିଲୁ ନାୟକଙ୍କ ଘର। ଭାରତୀୟ ସେନାବାହିନୀରେ ଜବାନଟିଏ ହେବେ ବୋଲି ପିଲାଟି ବେଳୁ ସ୍ଵପ୍ନ ଦେଖିଥିଲେ ସିଲୁ। ଭାରତୀୟ ସେନାରେ ସାମିଲ ହୋଇ ଦେଶ ପାଇଁ କିଛି କରିବାକୁ ସେ ଆଶା ରଖିଥିଲେ। ଏଣୁ ଯୁକ୍ତଦୁଇ ପାଠପଢ଼ା ସାରିବା ପରେ ସେନାରେ ଭର୍ତ୍ତି ହେବାକୁ ପରୀକ୍ଷା ଦେଇଥିଲେ। ହେଲେ ନିଜର ଅଳ୍ପ ଉଚ୍ଚତା ପାଇଁ ସେ ସେନାରେ ଭର୍ତ୍ତି ହୋଇପାରି ନଥିଲେ। ଏହାପରେ ପୋଲିସରେ ଭର୍ତ୍ତି ହେବାକୁ ମନ ବଳାଇଥିଲେ।ଏହାପରେ ପ୍ରାୟ ୪ରୁ ୫ବର୍ଷ ପରିଶ୍ରମ କରିବା ପରେ ଶେଷରେ ଓଡ଼ିଶା ପୋଲିସ ପାଇଁ ମନୋନୀତ ହେଲେ। କିନ୍ତୁ ଚାକିରିରେ ତାଙ୍କର ମନ ଲାଗିଲା ନାହିଁ। ସେନାରେ ଭର୍ତ୍ତି ହେବାର ଯେଉଁ ସ୍ଵପ୍ନ ସିଲୁଙ୍କର ସଫଳ ହୋଇପାରିଲା ନାହିଁ, ସେହିପରି ଆଉ କାହା ସ୍ଵପ୍ନ ଯେମିତି ଅଧା ନ କହିଯାଏ ଏହି ସଂକଳ୍ପ ନେଇ ୨୦୧୬ ମସିହାରେ ସିଲୁ ଆରମ୍ଭ କଲେ ‘ମହାଗୁରୁ ବାଟାଲିଅନ୍’। ନାଉଗାଁ ଅଞ୍ଚଳର କିଛି ଶିକ୍ଷିତ ବେକାରଙ୍କୁ ନେଇ ତାଲିମ ଦେଲେ। ସେନାରେ ଭର୍ତ୍ତି ହେବା ପାଇଁ ଯାହା ସବୁ ତାଲିମ ଦରକାର ସେ ସବୁ ଏହି ବାଟାଲିଅନ୍‌ରେ ମାଗଣାରେ ପିଲାମାନଙ୍କୁ ଦେଲେ ସିଲୁ; ଆଉ ସେବେଠାରୁ ସେ ସିଲୁ ନାୟକରୁ ହୋଇଗଲେ ସିଲୁ ସାର୍।୨୦୧୬ରୁ ଏ ପର୍ଯ୍ୟନ୍ତ ଅନେକ ପିଲା ମହାଗୁରୁ ବାଟାଲିଅନ୍‌ରୁ ତାଲିମ ପାଇଁ ପୋଲିସ ଏବଂ ଭାରତୀୟ ସେନାର ବିଭିନ୍ନ ବର୍ଗରେ ସାମିଲ ହୋଇପାରିଛନ୍ତି। ବର୍ତ୍ତମାନ ଏହି ବାଟାଲିଅନରେ ପ୍ରାୟ ୭୦ ପିଲା ତାଲିମ ନେଉଛନ୍ତି। ପ୍ରତିଦିନ ସକାଳୁ ରୋପିଂ, ଜମ୍ପିଂ, ସ୍ପ୍ରିଣ୍ଟ୍ ଭଳି ଶାରିରୀକ ଶିକ୍ଷା ଦେଇ ଭାରତୀୟ ସେନା ପାଇଁ ଜବାନ ଗଢୁଛନ୍ତି ସିଲୁ ସାର୍। ଏଥିସହ ସାଧାରଣ ଜ୍ଞାନ, ଆରିଥେମାଟିକ ଭଳି ଥିଓରୀ ମଧ୍ୟ ପଢ଼ାଯାଉଛି। ସିଲୁ ସାର୍‌ଙ୍କୁ ଏହି କାର୍ଯ୍ୟରେ ଆଉ ୫ ଜଣ ଯୁବକ ସାହାଯ୍ୟ କରୁଛନ୍ତି।

Comment