ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିକଟରେ ହୁରୁନ୍‌ ବିଶ୍ୱ ଧନୀ ତାଲିକା ପ୍ରକାଶ ପାଇଛି। ଏଥିରେ ସ୍ଥାନ ପାଇଛନ୍ତି ସାଇବର ସିକ୍ୟୁରିଟି କମ୍ପାନି ଜେଡସ୍କାଲାରର ମାଲିକ ଜୟ ଚୌଧୁରୀ। ସେ ଏବେ ଭାରତର ଶୀର୍ଷ ୧୦ ଜଣ ଧନୀଙ୍କ ମଧ୍ୟରୁ ଅନ୍ୟତମ। ହିମାଚଳ ପ୍ରଦେଶର ଏକ ଛୋଟିଆ ଗାଁରେ ବହୁ ପ୍ରତିକୂଳ ପରିସ୍ଥିତି ଦେଇ ବଡ଼ ହୋଇଥିବା ଜୟ ଚୌଧୁରୀ ଏବେ ଦେଶର ଶ୍ରେଷ୍ଠ ଧନୀଙ୍କ ଭିତରେ ସ୍ଥାନିତ ହୋଇ ଉଦାହରଣ ସୃଷ୍ଟି କରିଛନ୍ତି।

ଜୟଙ୍କ ଗାଁକୁ ନଥିଲା ବିଦ୍ୟୁତ ସଂଯୋଗ

ହିମାଚଳ ପ୍ରଦେଶର ଉନା ଜିଲ୍ଲା ସ୍ଥିତ ପନୋହ ଗ୍ରାମରେ ଜନ୍ମ ହୋଇଥିଲେ ଜୟ ଚୌଧୁରୀ। ଜୟ ଚୌଧୁରୀ ଯେତେବେଳେ ଛୋଟ ଥିଲେ ସେତେବେଳେ ତାଙ୍କ ଗାଁରେ ବିଦ୍ୟୁତ ସଂଯୋଗ ହୋଇନଥିଲା। ସେ ରାସ୍ତାକଡ଼ ବତୀଖୁଣ୍ଟ ଆଲୁଅରେ ଗଛ ତଳେ ବସି ପଢ଼ୁଥିଲେ। ସବୁଠୁ ଆଶ୍ଚର୍ଯ୍ୟର କଥା ଜୟ ଯେଉଁ ସରକାରୀ ସ୍କୁଲରେ ପଢ଼ୁଥିଲେ ତାହା ତାଙ୍କ ଗାଁଠାରୁ ୪ କିଲୋମିଟର ଦୂର ଥିଲା। ପଢ଼ିବା ଜୟ ପାଇଁ ପ୍ରତିଦିନ ୪ କିଲୋମିଟର ଚାଲି ଚାଲି ସ୍କୁଲ ଯାଉଥିଲେ।

ଜୟ ଚୌଧୁରୀ ଆଇଆଇଟି ବାରାଣାସୀର ବି ଟେକ୍‌ କରିଥିଲେ। ଏମ୍‌ ଟେକ୍‌ ପାଇଁ ସେ ଆମେରିକା ଯାଇଥିଲେ। ସେଠାରେ ଏକ କମ୍ପ୍ୟୁଟର କମ୍ପାନିରେ କ୍ୟାରିୟର ଆରମ୍ଭ କଲେ। ୨୦୦୮ରେ ସାଇବର ସିକ୍ୟୁରିଟି କମ୍ପାନି ଜେଡସ୍କାଲାର ଆରମ୍ଭ କରିଥିଲେ।

କରୋନା ପାଇଁ ବଢ଼ିଛି ଜୟଙ୍କ ସମ୍ପତ୍ତି

ଜୟ ଚୌଧୁରୀଙ୍କ କମ୍ପାନିର ଏବେ ମୋଟ ପୁଞ୍ଜି ମୂଲ୍ୟ ପ୍ରାୟ ୨୮ ବିଲିୟନ ଡଲାର। ହୁରୁନ ତାଲିକା ଅନୁଯାୟୀ ଗତ କିଛି ବର୍ଷ ମଧ୍ୟରେ ଜୟଙ୍କ ସମ୍ପତ୍ତିରେ ୨୭୧ ପ୍ରତିଶତ ବୃଦ୍ଧି ଘଟିଛି। ୧୩ ବିଲିୟନ ଡଲାରରେ ପହଞ୍ଚିଛି। କରୋନା ସମୟରେ ଡିଜିଟାଲ ଟେକନୋଲୋଜିର ବହୁଳ ବ୍ୟବହାର ଯୋଗୁଁ ତାଙ୍କ କମ୍ପାନି ଆୟ ବୃଦ୍ଧି ପାଇଛି। ବର୍ତ୍ତମାନ ଜୟଙ୍କ କମ୍ପାନିରେ ୫୦୦ରୁ ଅଧିକ କର୍ମଚାରୀ କାମ କରୁଛନ୍ତି।

ସଫଳତା ପଛରେ ସ୍ତ୍ରୀଙ୍କ ହାତ

ଜୟ ଚୌଧୁରୀଙ୍କ ସଫଳତା ପଛରେ ତାଙ୍କ ପତ୍ନୀ ପ୍ରଭଜୋତ କୋରଙ୍କ ଯଥେଷ୍ଟ ଭୂମିକା ରହିଛି। କାରଣ କମ୍ପାନି ଆରମ୍ଭ ସମୟରେ ସେ କମ୍ପାନିର ଫାଇନାନ୍ସ ଦାୟିତ୍ୱ ସମ୍ଭାଳୁଥିଲେ। ଏବେ ତାଙ୍କର ତିନି ପିଲାଙ୍କ ମଧ୍ୟରୁ ଜଣେ ଡାକ୍ତର ଓ ଅନ୍ୟ ୨ ଜଣ ଇଞ୍ଜିନିୟର ଅଛନ୍ତି।

Comment