ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଗୁରୁବାର ଦିନ ନୟାଗଡ଼ ବ୍ଲକର ମୋ ସ୍କୁଲ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଛି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ କୁମାର ସାହୁ କର୍ମଶାଳାରେ ଉପସ୍ଥିତ ରହି ‘ମୋ ସ୍କୁଲ ଅଭିଯାନ’ର ଉଦ୍ଦେଶ୍ୟ ସଂପର୍କରେ ସମସ୍ତଙ୍କୁ ଅବଗତ କରିଥିଲେ। ସରକାରୀ ସହାୟତା ସାଙ୍ଗକୁ ବିଦ୍ୟାଳୟ ପୂର୍ବତନ ଛାତ୍ରଛାତ୍ରୀଙ୍କ ସହଭାଗୀତାରେ ‘ମୋ ସ୍କୁଲ’ ଅଭିଯାନରେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ସମ୍ଭବପର ବୋଲି ମନ୍ତ୍ରୀ ଅରୁଣ ସାହୁ ପ୍ରକାଶ କରିଥିଲେ।

ଏହି ଯୋଜନାରେ ସାମିଲ ହୋଇ ନିଜ ନିଜ ବିଦ୍ୟାଳୟର ଭିତ୍ତିଭୂମି କିକାଶ ଦିଗରେ ସହାୟକ ହେବାକୁ ମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ୨୦୧୭ମସିହା ନଭେମ୍ବର ୧୪, ଶିଶୁ ଦିବସ ପାଳନ ଅବସରରେ ଓଡ଼ିଶା ସରକାର ଏହି ଯୋଜନା ଆରମ୍ଭ କରିଥିଲେ। ମୋ ସ୍କୁଲ ଅଭିଯାନରେ ଅଧିକାରୁ ଅଧିକ ସଂଖ୍ୟକ ପୂରାତନ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ଶିକ୍ଷାପ୍ରେମୀ ସାମିଲ ହୋଇପାରିଲେ, ଶିକ୍ଷାରତ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଓ ଆଧ୍ୟାତ୍ମିକ ଶିକ୍ଷାର ଉନ୍ନତି, ବୌଦ୍ଧିକ ବିକାଶ, କ୍ରୀଡ଼ା, ସଙ୍ଗୀତ ଏବଂ ସର୍ବୋପରି ବିଦ୍ୟାଳୟ ଭିତ୍ତିଭୂମି ବିକଶିତ ହୋଇପାରିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ।

ସେଥିଲାଗି ପୁରାତନ ଛାତ୍ରଛାତ୍ରୀମାନଙ୍କୁ  ହ୍ୱାଟସ୍‌ଆପ ଗ୍ରୁପ୍‌ରେ ଏକତ୍ରିତ କରି ସେମାନଙ୍କ ସଂପୃକ୍ତିକୁ ତ୍ୱରାନ୍ୱିତ ଦିଗରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯତ୍ନବାନ ହେବାକୁ ମନ୍ତ୍ରୀ ସାହୁ ପରାମର୍ଶ ଦେଇଥିଲେ। କର୍ମଶାଳାରେ ଜିଲ୍ଲାପାଳ ପୋମା ଟୁଡୁ, ପିଡି ସୁବାଷ ରାୟ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଅକ୍ରୃର ବାରିକଙ୍କ ସମେତ ବହୁ ସରକାରୀ କର୍ମଚାରୀ, ପୂର୍ବତନ ଛାତ୍ର ଛାତ୍ରୀ, ଅଭିଭାବକ ଓ ଶିକ୍ଷାବିତ ଉପସ୍ଥିତ ଥିଲେ।

Comment