ବିଶ୍ଵଜିତ ସାହୁ

ତମ୍ଵା, ପିତ୍ତଳରୁ ବିଭିନ୍ନ ପ୍ରକାର ଅଳଙ୍କାର ତିଆରି କରି ନିଜେ ସ୍ଵାବଲମ୍ଵୀ ହେବା ସହ ଅନ୍ୟମାନଙ୍କୁ ରୋଜଗାରର ରାହା ଦେଖାଇଛନ୍ତି ନବରଙ୍ଗପୁରର ନୀଳମଣି ଖାତି।

ନବରଙ୍ଗପୁର ଜିଲ୍ଲାର ଆଦିବାସୀ ମହିଳା ନୀଳମଣି ଖାତି; ଯାହାଙ୍କ ଇଚ୍ଛାଶକ୍ତି ଆଗରେ ହାର୍ ମାନିଛି ନିରକ୍ଷରତା। ନୀଳମଣିଙ୍କ ହାତସ୍ପର୍ଶରେ ଧାତୁ ପାଉଛି ଜୀବନ। ତମ୍ଵା, ପିତ୍ତଳ ଆଦି ଧାତୁରେ ଆଦିବାସୀ କଳାର ଛାପ ଦେଇ ସୁନ୍ଦର ସୁନ୍ଦର ଅଳଙ୍କାର ଗଢୁଛନ୍ତି ନୀଳମଣି। ଏଥିରେ ନିଜେ ସ୍ଵାବଲମ୍ଵୀ ହେବା ସହ ଅନ୍ୟମାନଙ୍କୁ ଦେଇଛନ୍ତି ରୋଜଗାରର ପନ୍ଥା। ନିରକ୍ଷର ହୋଇ ମଧ୍ୟ ସେ ସଭିଙ୍କ ପାଇଁ ମାର୍ଗଦର୍ଶକ ସାଜିଛନ୍ତି। ଦେଶ ବିଦେଶରେ ଜିଲ୍ଲାର ପ୍ରତିନିଧିତ୍ଵ କରି ନୀଳମଣି ସାଉଁଟୁଛନ୍ତି ଅନେକ ପ୍ରଶଂସା।

ନବରଙ୍ଗପୁର ସଦର ବ୍ଲକ୍ ଚୁରାହାଣ୍ଡି ଗ୍ରାମରେ ନୀଳମଣି ଖାତିଙ୍କ ଘର। ଆଦିବାସୀ ଅଞ୍ଚଳର ଏକ ଛୋଟିଆ ଇଲାକାରୁ ଥାଇ ମଧ୍ୟ ନିଜର ଏକ ସ୍ଵତନ୍ତ୍ର ପରିଚୟ ତିଆରି କରିଛନ୍ତି ନୀଳମଣି। ନିକଟରେ ଭୁବନେଶ୍ଵରରେ ଆୟୋଜିତ ଓଡ଼ିଶା ଏମଏସଏମଇ ବାଣିଜ୍ୟ ମେଳାରେ ମା’ ବନଦୁର୍ଗା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ପ୍ରତିନିଧିତ୍ଵ କରି ଷ୍ଟଲଟିଏ ନେଇଥିଲେ ନୀଳମଣି। ସେଠାରେ ସେ ଆଦିବାସୀ ଲୋକକଳାର ଝଲକ ଥିବା ତମ୍ଵା, ପିତ୍ତଳ ଆଦି ଧାତୁରୁ ତିଆରି ସୁନ୍ଦର ସୁନ୍ଦର ଅଳଙ୍କାର ବିକ୍ରି କରୁଥିଲେ। ନୀଳମଣିଙ୍କର ହାତ ତିଆରି ଅଳଙ୍କାରଗୁଡ଼ିକୁ କିଣିବାକୁ ତାଙ୍କ ଷ୍ଟଲରେ ଅନେକ ଗ୍ରାହକଙ୍କ ଭିଡ଼ ଲାଗିଥିଲା। ତମ୍ଵା, ପିତ୍ତଳରୁ ତିଆରି କରୁଛନ୍ତି ଆଦିବାସୀ ଅଳଙ୍କାର

ବିବାହ ପୂର୍ବରୁ ଅଳଙ୍କାର ତିଆରି ବିଷୟରେ ଜାଣି ନଥିଲେ ନୀଳମଣି। କିନ୍ତୁ ଶାଶୂଘର ଲୋକଙ୍କ କୂଳ ବୃତ୍ତି ଥିଲା ଅଳଙ୍କାର ଗଢ଼ିବା, ଯାହାକୁ ନୀଳମଣି ଖୁବ ଶୀଘ୍ର ଶିଖି ପାରିଥିଲେ। ସ୍ଵାମୀଙ୍କ ଦେହାନ୍ତ ପରେ କୌଳିକ ବୃତ୍ତିକୁ ଆଗେଇ ନେଇଛନ୍ତି ନୀଳମଣି। ସେ ଗଢୁଥିବା ଅଳଙ୍କାର ମଧ୍ୟରେ ରହିଛି ନାନୁ, ଚାପସରୀ, ଚିପମାଳି, ଗୀତମାଳି, ଧାନମାଳି, ଖାସୁମାଳି, ମଙ୍ଗଳସୂତ୍ର, ଲବଙ୍ଗକୋଡ଼ି, ଟମାଟଲୁ, ପୁଲି, ଝିଙ୍କା, ଝୁମ୍ପି, ବାରି, ବେସରୀ, ସୋରିସିଆ ମାଳି, କାନମୋଡ଼ିଆ, ତାନ, ମୁଦି, ପିତ୍ତଳ ବାଲା, ଗୋଡ଼ ମୁଦି ଓ ଚେନ ଇତ୍ୟାଦି।  ନିଜ ସହ ଅନ୍ୟ ମହିଳାଙ୍କୁ କରିଛନ୍ତି ସ୍ଵାବଲମ୍ଵୀ

ନୀଳମଣି ନିଜର କଳାକୁ କେବଳ ନିଜ ଭିତରେ ସୀମିତ ରଖିନାହାନ୍ତି। ଅନ୍ୟମାନଙ୍କୁ ଏହି କଳା ଶିଖାଇବା ସହ ସେମାନଙ୍କ ପାଇଁ ବି ‌ରୋଜଗାରର ବାଟ ଫିଟାଇ ପାରିଛନ୍ତି। ପ୍ରଥମେ ନିଜ ଆଖ ପାଖ ଅଞ୍ଚଳର କିଛି ମହିଳାଙ୍କୁ ତମ୍ଵା, ପିତଳରୁ ବିଭିନ୍ନ ଆଦିବାସୀ ଅଳଙ୍କାର କରିବା ତାଲିମ ଦେଇଥିଲେ ନୀଳମଣି। ଏହାପରେ ୨୦୧୮ ମସିହାରେ ଗାଁର ୧୦ ଜଣ ମହିଳାଙ୍କୁ ନେଇ ନୀଳମଣି ମା’ ବନଦୁର୍ଗା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ ଏବଂ ସେହିବର୍ଷ ମିଶନ ଶକ୍ତିରେ ଯୋଡ଼ି ହୋଇଥିଲେ। ନୀଳମଣିଙ୍କଠାରୁ ତାଲିମ ପାଇ ସେହି ମହିଳାମାନେ ଏବେ ଅଳଙ୍କାର ଗଢ଼ିବାରେ ଜଣେ ଜଣେ ସିଦ୍ଧହସ୍ତା ହୋଇ ପାରିଛନ୍ତି। ଜିଲ୍ଲା ପ୍ରଶାସନ ତରଫରୁ ନୀଳମଣିଙ୍କ ଏହି ପ୍ରୟାସକୁ ସଫଳ କରିବା ପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି ଏବଂ ରାଜ୍ୟ ତଥା ରାଜ୍ୟ ବାହାରେ ଜିଲ୍ଲାର ପ୍ରତିନିଧିତ୍ୱ କରିବାର ସୁଯୋଗ ଦିଆଯାଉଛି।

ନୀଳମଣିଙ୍କୁ ପୁରସ୍କୃତ କଲେ ରାଜ୍ୟପାଳ

ନିଜର ନିଆରା କଳାକୃତି ପାଇଁ ପ୍ରସିଦ୍ଧି ଲାଭ କରିଥିବା ନୀଳମଣି ଖାତିଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ହେଉଥିବା ବେଳେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମଧ୍ୟ ନୀଳମଣିଙ୍କୁ ପ୍ରଶଂସା କରିଛନ୍ତି। ନିକଟରେ ଏମଏସଏମଇ ବାଣିଜ୍ୟ ମେଳାର ଉଦ୍‌ଯାପନୀ ଉତ୍ସବରେ ନୀଳମଣି ଖାତିଙ୍କୁ ପୁରସ୍କୃତ କରିଛନ୍ତି ରାଜ୍ୟପାଳ।

Comment