ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ଏଥର ‘କୃଷି ଓଡ଼ିଶା’ରେ ମୁଖ୍ୟ ଆକର୍ଷଣ ହେଉଛି ୩ଟି ମେଗା ହ୍ୟାଙ୍ଗର। ଯେଉଁଥିରେ ଗୋଟିଏ ହ୍ୟାଙ୍ଗରରେ ସ୍ୱତନ୍ତ୍ର ଭାବେ ରହିଛି ମିଲେଟ ମିଶନ, ମିଶନ ଶକ୍ତି ଷ୍ଟଲ। ଏହି ଷ୍ଟଲଗୁଡ଼ିକରେ ମିଲେଟ୍ ମିଶନ୍ ଓ ମିଶନ୍ ଶକ୍ତିକୁ ନେଇ ସ୍ଵତନ୍ତ୍ର ପ୍ରଦର୍ଶନୀ ରହିବ। ଫଳରେ ମିଲେଟ ମିଶନ ଓ ମିଶନ ଶକ୍ତିର ସଫଳତା ବିଷୟରେ ଜାଣିବେ ଓଡ଼ିଶାବାସୀ’’, କହିଛନ୍ତି କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡକ୍ଟର ଏମ୍‌ ମୁଥୁ କୁମାର।

ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ସୋମବାରଠାରୁ ଆରମ୍ଭ ହେଉଛି ‘କୃଷି ଓଡ଼ିଶା ୨୦୨୧’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଗା କୃଷି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବେ। ଫିକି ସହଯୋଗରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଏହି ବିଶାଳ ପ୍ରଦର୍ଶନୀ ମାର୍ଚ୍ଚ ୧୯ ତାରିଖ ଯାଏଁ ଚାଲିବ। ଏହି କୃଷି ମହୋତ୍ସବର ମୁଖ୍ୟ ଆକର୍ଷଣକୁ ନେଇ ସୂଚନା ଦେଇଛନ୍ତି କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ୍‌ ମୁଥୁ କୁମାର।

ଏମ୍‌ ମୁଥୁ କୁମାରଙ୍କ ସୂଚନାନୁସାରେ ‘କୃଷି ଓଡ଼ିଶାର ଅନ୍ୟ ଏକ ହ୍ୟାଙ୍ଗରରେ କୃଷି, ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ ବିଭାଗ ଉପରେ ସ୍ୱତନ୍ତ୍ର ପ୍ରଦର୍ଶନୀ କରାଯିବ। ସେହିପରି  ଆଉ ଏକ ହ୍ୟାଙ୍ଗରରେ ଘରୋଇ କମ୍ପାନିଗୁଡ଼ିକ ତାଙ୍କର ନୂଆ ନୂଆ ଯନ୍ତ୍ରପାତି, ଟେକ୍‌ନୋଲୋଜିକୁ ପ୍ରଦର୍ଶିତ କରିବେ।

‘‘କୃଷି ଓଡ଼ିଶା ୨୦୨୧ ପାଇଁ ଏ ବର୍ଷ ପାଳ ଛତୁକୁ ମାସ୍କଟ କରାଯାଇଛି। ପାଳ ଛତୁ ଉତ୍ପାଦନରେ ସାରାଦେଶରେ ଓଡ଼ିଶା ପ୍ରଥମ। ସେଥିପାଇଁ ପାଳ ଛତୁକୁ ମାସ୍କଟ ଭାବେ ନିଆଯାଇଛି, ଯାହା ଫଳରେ ପାଳ ଛତୁର ଚାହିଦା ବଢ଼ିବା ସହିତ ଏହାର ବଜାର ସଂଯୋଗୀକରଣ ହୋଇପାରିବ’’, କହିଛନ୍ତି ଏମ୍‌ ମୁଥୁ କୁମାର।

ଆମ ଓଡ଼ିଶାରେ ଅନେକ ଚାଷୀ ବହୁତ ଭଲ କାମ କରିଛନ୍ତି।  ‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଫଳ ଚାଷୀ, ଯୁବ କୃଷି ଉଦ୍ୟୋଗୀ ଓ ଜିଲ୍ଲା ସ୍ତରରେ ପୁରସ୍କୃତ ହୋଇଥିବା ଅଗ୍ରଣୀ ଚାଷୀମାନେ ଯୋଗଦେବେ। ୫ ଦିନ ଯାକ ପ୍ରତି ସନ୍ଧ୍ୟାରେ ସମସ୍ତ ୩୦ ଜିଲ୍ଲାରୁ ଆସିଥିବା ବିଭିନ୍ନ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହାଦ୍ୱାରା ଅନ୍ୟମାନେ ଚାଷ ପ୍ରତି ଆଗ୍ରହୀ ହେବେ ବୋଲି ସେ କହିଛନ୍ତି।

Comment