ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଞ୍ଜାମ ଜିଲ୍ଲାର ଅନ୍ୟତମ ସୌନ୍ଦର୍ଯ୍ୟଭରା ପର୍ଯ୍ୟଟନ ସ୍ଥଳୀ ହେଉଛି ଛତ୍ରପୁର ନିକଟରେ ତାମ୍ପରା ହ୍ରଦ। ପ୍ରକୃତି କୋଳରେ ସମୟ ବିତାଇବା ପାଇଁ ଏହା ଏକ ସୁନ୍ଦର ସ୍ଥାନ। ଏହି ମଧୁର ଜଳ ହ୍ରଦକୁ ଦେଖିବାକୁ ଜିଲ୍ଲା ଓ ଜିଲ୍ଲା ବାହାରୁ ପର୍ଯ୍ୟଟଙ୍କ ସୁଅ ଛୁଟେ। ଏଠାରେ ଭୋଜି ସାଙ୍ଗକୁ ବୋଟିଂର ମଜା ନିଅନ୍ତି ପର୍ଯ୍ୟଟକ।

ଏହି ତାମ୍ପରା ହ୍ରଦ ଜଳକ୍ରୀଡା ନୌବିହାର ପାଇଁ ଏକ ପ୍ରଶସ୍ତ ସ୍ଥାନ। ସମୁଦ୍ରକୂଳ ନିକଟସ୍ଥ କାଜୁବଣ ବେଷ୍ଟିତ ବେଳାଭୂମିରେ ସାନ୍ଧ୍ୟାକାଳୀନ ଭ୍ରମଣ ଏକ ନିଆରା ଅନୁଭୂତି ଦେଇଥିାଏ। ପରିବାର ସହିତ ଅନେକ ଲୋକ ଏଠାକୁ ବୋଟିଂର ମଜା ନେବାକୁ ଆସିଥାଆନ୍ତି। କିଏ ଜେଟିରେ ବସି ଜଳକ୍ରୀଡ଼ାର ମଜା ନିଏ ତ ଆଉ କିଏ ପ୍ୟାଡେଲ ବୋଟ୍‌ରେ ବସି ମଜା ନେଇଥାନ୍ତି।tampara lake

ଏଠାରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ପାଣି, ଟଏଲେଟ, ସ୍ନାକ୍ସ ବାର୍‌ ରହିଛି। ଏହି ହ୍ରଦର ପାଣି ମଧୁର ହୋଇଥିବାରୁ ସ୍ଥାନୀୟ ଧୀବରମାନେ ଏଠାକୁ ମାଛ ଧରିବାକୁ ଆସିଥାନ୍ତି।

ତାମ୍ପରାର ଅନ୍ୟ ଏକ ଆକର୍ଷଣ ହେଉଛି ଝାଉଁ ଓ କାଜୁ ବଣ, ଯେଉଁଠାରେ ପିକନିକ କରିବା ପାଇଁ ପର୍ଯ୍ୟଟକ ଟାଣି ହୋଇ ଆସିଥାନ୍ତି।

୨୦୧୩ ଫାଇଲିନ ବାତ୍ୟାରେ ତାମ୍ପରା ହ୍ରଦ ବେଶ୍‌ ପ୍ରଭାବିତ ହୋଇଥିଲା। ଏବେ ହ୍ରଦର ପୁନରୁଦ୍ଧାର ହୋଇସାରିଛି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରାଶସନ ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସବୁ ସୁବିଧା କରାଯାଇଛି। ନିକଟରେ ‘ତାମ୍ପରା ଲେକ୍ ଭ୍ୟୁ ପାର୍କ’ର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କିଭଳି ପହଞ୍ଚିବେ?

ରାଜଧାନୀ ଭୁବନେଶ୍ୱରରୁ ବ୍ରହ୍ମପୁରର ଦୂରତା ୧୭୦ କିଲୋମିଟର। ବ୍ରହ୍ମପୁରରୁ ତାମ୍ପରାର ଦୂରତା ୩୦ କିଲୋମିଟର। ବ୍ରହ୍ମପୁରରୁ ଆପଣ ଅଟୋ, କିମ୍ବା କାର୍‌ କରି ଆପଣ ତାମ୍ପରା ହ୍ରଦ ଯାଇପାରିବେ।

Comment