ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଦୀପକ କୁମାର ବେହେରା କିସ୍‍ ବିଶ୍ଵବିଦ୍ୟାଳୟର ନୂତନ କୁଳପତି ଭାବେ ଯୋଗ ଦେଇଛନ୍ତି। ମଙ୍ଗଳବାର କିଟ୍ ଏବଂ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଏବଂ ବିଶ୍ଵବିଦ୍ୟଳୟର ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ପ୍ରଫେସର ବେହେରା କିସ୍‌ର କୁଳପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।

କିସ୍‍ ବିଶ୍ୱବିଦ୍ୟାଳୟରେ ଯୋଗଦେବା ପୂର୍ବରୁ ପ୍ରଫେସର ବେହେରା ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ଵଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରିବା ସହ ବଲାଙ୍ଗୀରସ୍ଥିତ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ପ୍ରଥମ କୁଳପତି ହେବାର ଗୌରବ ଅର୍ଜ୍ଜନ କରିଥିଲେ। କାଲିଫର୍ଣ୍ଣିଆ ଷ୍ଟେଟ୍‍ ୟୁନିଭରସିଟିରେ ଫୁଲ୍‌ବ୍ରାଇଟ୍‍ ଭିଜିଟିଂ ପ୍ରଫେସର ଭାବେ କାର୍ଯ୍ୟ କରିଥିବା ପ୍ରଫେସର ବେହେରା ନୃତତ୍ତ୍ୱ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ଏବଂ ସମ୍ମାନର ଅଧିକାରୀ ହୋଇପାରିଛନ୍ତି।

ଭାରତରେ ସାଂସ୍କୃତିକ ନୃତତ୍ତ୍ୱ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ପ୍ରଫେସର ବେହେରାଙ୍କୁ କୋଲକାତାସ୍ଥିତ ଏସିଆଟିକ୍‍ ସୋସାଇଟି ପକ୍ଷରୁ ସମ୍ମାନଜନକ ଶରତ ଚନ୍ଦ୍ର ରାୟ ସ୍ମାରକୀ ସ୍ଵର୍ଣ୍ଣ ପଦକ ପ୍ରଦାନ କରାଯାଇଛି। ଏଥିସହିତ ତାଙ୍କର ୧୨୦ରୁ ଊର୍ଦ୍ଧ୍ଵ ଗବେଷଣାତ୍ମକ ସନ୍ଦର୍ଭ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଜର୍ଣ୍ଣାଲ୍‍ରେ ପ୍ରକାଶ ପାଇଛି। ସେ ମଧ୍ୟ କମ୍ରାଗତ ଭାବେ ଦୁଇଥର ବିଶ୍ୱ ନୃତତ୍ତ୍ୱ ସଂଘ (ଇଣ୍ଟରନ୍ୟାସନାଲ୍‍ ୟୁନୟି ନ୍‍ ଅଫ୍‍ ଆନ୍‌ଥ୍ରୋପୋଲୋଜିକାଲ୍‍ ଆଣ୍ଡ ଇଥନୋଲୋଜିକାଲ୍‍ ସାଇନ୍‍ସେସ୍‍, ଆଇୟୁଏଇଏସ)ର କାର୍ଯ୍ୟକାରୀ ବୋର୍ଡର ସଦସ୍ୟ ଭାବେ କାର୍ଯ୍ୟ କରିବାର ଗୌରବ ଅର୍ଜ୍ଜନ କରିଥେିଲେ।

ପ୍ରଫେସର ଦୀପକ ବେହେରା ହେଉଛନ୍ତି ଆଇୟୁଏଇଏସ୍‍ ଇଣ୍ଟରନ୍ୟାସନାଲ୍‍ କମିସନ ଅନ୍‍ ଆନ୍‌ଥ୍ରୋପୋଲୋଜି ଅଫ୍‍ ଚିଲ୍‍ଡେନର, ୟୁଥ୍‍ ଆଣ୍ଡ ଚାଇଲ୍‌ଡହୁଡ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ। କିସ୍‍ ବିଶ୍ଵବିଦ୍ୟାଳୟରେ ଯୋଗଦେବା ପରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ପ୍ରଫେସର ବେହେରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Comment