ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ବଳଗଣ୍ଡି ଛକ ନିକଟରେ ଥିବା ମାଉସୀ ମା’ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ରାତିରେ କିଛି ଦୁର୍ବୃତ୍ତ ମନ୍ଦିର ଗେଟ୍ ତାଲା କାଟିବା ସହ ହୁଣ୍ଡି ଭାଙ୍ଗି ନଗଦ ୩୦ ହଜାର ଟଙ୍କା ସହ ମା’ଙ୍କର ଅନେକ ମୂଲ୍ୟବାନ ଅଳଙ୍କାର ଲୁଟି ନେଇଛନ୍ତି।

ଘଟଣା ସମ୍ବନ୍ଧରେ ଜଣାପଡ଼ିବା ପରେ କୁମ୍ଭାରପଡ଼ା ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବୁଧବାର ବିଳମ୍ଵିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର ଲୁହା ଗେଟର ତାଲା କାଟି ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଏହାପରେ ଭିତରେ ଆଉ ୩ଟି ତାଲା କାଟି ମୁଖ୍ୟ ମନ୍ଦିରରେ ପ୍ରବେଶ କରିଥିଲେ। ଏହାପରେ ସେଠାରେ ଥିବା ହୁଣ୍ଡିକୁ ଭାଙ୍ଗି ପ୍ରାୟ ୩୦ ହଜାର ଟଙ୍କା ଲୁଟ୍ କରିଥିଲେ। ସେହିପରି ଭିତର ଆଲମାରୀକୁ ଭାଙ୍ଗି ମା’ଙ୍କ ରୁପା ଅଳଙ୍କାର ଓ ଦାତା ଦେଇଥିବା ଶାଢ଼ିଗୁଡ଼ିକୁ ଦୁର୍ବୃତ୍ତମାନେ ଚୋରି କରିନେଇଛନ୍ତି।

ଏ ଘଟଣା ସମ୍ଵନ୍ଧରେ ପ୍ରତିକ୍ରିୟା ଦେଇ ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି, “ମାଉସୀ ମା’ ମନ୍ଦିରରୁ ହୋଇଥିବା ଚୋରି ବିଷୟରେ ଶୁଣିବା ପରେ ମୁଁ ଆଶ୍ଚର୍ଯ୍ୟ। ଅପରାଧୀଙ୍କୁ ଧରିବା ସହ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରିବାକୁ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବା ଉଚିତ୍। ଏହାସହିତ ଆଗାମୀ ଦିନରେ ଯେପରି ଏପରି ଅଘଟଣ ନ ଘଟେ ସେଥିପ୍ରତି ଧ୍ୟାନ ଦେଇ ଶ୍ରୀକ୍ଷେତ୍ରର ଉପାସନା ସ୍ଥଳଗୁଡ଼ିକର ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରାଯିବା ଆବଶ୍ୟକ।”

Comment