ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଦିନକୁ ଦିନ ରେକର୍ଡ ଭାଙ୍ଗିବାରେ ଲାଗିଛି ତାପମାତ୍ରା। ପ୍ରଚଣ୍ଡ ଗ୍ରୀଷ୍ମର ଅସହ୍ୟ ତାତି ଲୋକମାନଙ୍କୁ ଆଉଟୁପାଉଟୁ କରି ଦେଉଛି। ସକାଳ ୧୦ଟା ପରେ ଘରୁ ଗୋଡ଼ କାଢ଼ିବାକୁ ବି ଡର। ଲାଗୁଛି ଯେମିତି ଆକାଶରୁ ନିଆଁ ଝୁଲ ବର୍ଷୁଛି। ତେବେ ଶୁକ୍ରବାରଠାରୁ ତାପମାତ୍ରାରେ ସାମାନ୍ୟ ହ୍ରାସ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

“ସମୁଦ୍ରରୁ ଆବଶ୍ୟକ ମୁତାବକ ପବନ ଆସୁ ନଥିବାରୁ ତାପମାତ୍ରା ବଢୁଛି। ତେବେ ଏପ୍ରିଲ ୨ ପରେ ରାଜ୍ୟରେ ଦିନବେଳାର ତାପମାତ୍ରା ୩ରୁ ୪ ଡିଗ୍ରୀ କମିବାର ସମ୍ଭାବନା ରହିଛି। ତାପମାତ୍ରା ହ୍ରାସ ପରେ ଖରା ଦାଉରୁ ସାମାନ୍ୟ ଆଶ୍ଵସ୍ତି ମିଳିବ”, କହିଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।ଶନିବାର ନୟାଗଡ଼, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, କୋରାପୁଟ, ବୌଦ୍ଧ, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ଗୋଟିଏ ବା ଦୁଇଟି ସ୍ଥାନରେ ଘଡଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ରହିବ। ସେଥିପାଇଁ ନୟାଗଡ଼, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କନ୍ଧମାଳ, ଅନୁଗୋଳ ଓ ବୌଦ୍ଧ ଜିଲ୍ଲା ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ଗୁରୁବାର ମଧ୍ୟ ରାଜ୍ୟରେ ପ୍ରଚଣ୍ଡ ତାତି ଅନୁଭୂତ ହୋଇଛି। ଏପରିକି ବିଶ୍ଵର ସର୍ବୋଚ୍ଚ ଉତପ୍ତ ସହର ତାଲିକାରେ ଓଡ଼ିଶାର ୩ଟି ସହର ରହିଛି। ଆଜି ସାରା ବିଶ୍ଵରେ ୪୪.୨ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ଵର ଦ୍ଵିତୀୟ ସ୍ଥାନରେ ରହିଥିବା ବେଳେ ୪୩.୬ ଡିଗ୍ରୀ ସହ ବାରିପଦା ପଞ୍ଚମ ଏବଂ ୪୩ ଡିଗ୍ରୀ ସହ ବାଲେଶ୍ଵର ଅଷ୍ଟମ ସ୍ଥାନରେ ରହିଛି।

ସେହିପରି ବୁଧବାର ବିଶ୍ଵର ସବୁଠୁ ଉତପ୍ତ ସହର ତାଲିକାରେ ଭୁବନେଶ୍ଵର ଥିବାବେଳେ ମଙ୍ଗଳବାର ଏହି ସ୍ଥାନରେ ବାରିପଦା ସହର ରହିଥିଲା।

Comment