ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲାରେ ଡିଏମଏଫ ଏବଂ ଓମ୍ବାଡସି ପାଣ୍ଠିର ସହାୟତାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା। ଏହି ଅବସରରେ ସେ ବିଭିନ୍ନ ପ୍ରକଳ୍ପ କ୍ଷେତ୍ର ପରିଦର୍ଶନ କରି ହିତାଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

ଗୁରୁବାର ଦିନ ସକାଳେ ଉନ୍ନୟନ କମିସନର ସୁନ୍ଦରଗଡ଼ରେ ପହଞ୍ଚି ଅପରାହ୍‌ଣ ପର୍ଯ୍ୟନ୍ତ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଅପରାହ୍‌ଣରେ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ପ୍ରଗତି ମଣ୍ଡପଠାରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ସମୀକ୍ଷା ବେଳେ ଜିଲ୍ଲାରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ।‘‘ଜିଲ୍ଲାରେ ଯେଉଁ ସବୁ ଉନ୍ନୟନ କାମ ଚାଲିଛି, ତାହାକୁ ତ୍ୱରାନ୍ୱିତ କରିବା, ଗୁଣବତ୍ତାକୁ ସୁନିଶ୍ଚିତ କରିବା, ଡିଏମଏଫ ଏବଂ ଓମ୍ବାଡସି ପାଣ୍ଠିକୁ ଉଚିତ ବିନିଯୋଗ କରି ବିଭିନ୍ନ ବିଭାଗର ସମନ୍ୱୟରେ କିଭଳି ବିକାଶ କାର୍ଯ୍ୟକୁ ବ୍ୟାପକ କରାଯାଇପାରିବ, ତାହା ଉପରେ ଆମେ ଗୁରୁତ୍ୱ ଦେଉଛୁ’’, କହିଛନ୍ତି ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା।

ସେହିପରି ଜିଲ୍ଲାରେ କୋଭିଡ୍ ସ୍ଥିତିର ସମୀକ୍ଷା କରି ସେ କହିଥଲେ ଯେ, ବର୍ତ୍ତମାନ ଓଡ଼ିଶାର ସୀମାନ୍ତ ଜିଲ୍ଲାଗୁଡ଼ିକରେ କରୋନା ସ୍ଥିତି ବଢୁଛି। ତେଣୁ ଏ ସମ୍ପର୍କରେ ଅଧିକାରୀମାନେ ସଚେତନ ରହିବା ଜରୁରୀ। ଲୋକମାନେ କୋଭିଡ୍ ନିୟମ ପୂର୍ବ ପରି ପାଳନ କରିବା ଉଚିତ୍। ସେମାନଙ୍କ ଭିତରେ ଅଧିକ ସଚେତନତା ପାଇଁ ଗ୍ରାମାଞ୍ଚଳରେ ପଞ୍ଚାୟତିରାଜ ପ୍ରତିନିଧିମାନେ ମଧ୍ୟ ଅଧିକ କ୍ରିୟାଶୀଳ ହୋଇ କାମ କରିବା ଦରକାର।ସମୀକ୍ଷା ବୈଠକ ପରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ କହିଥିଲେ, ‘‘ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟକୁ ଉନ୍ନୟନ କମିସନର ପ୍ରଶଂସା କରିଛନ୍ତି। ବିକାଶମୂଳକ କାର୍ଯ୍ୟକୁ ଆହୁରି ବ୍ୟାପକ କରିବା ଲାଗି ସେ କିଛି ପରାମର୍ଶ ଦେଇଛନ୍ତି। ଏହାକୁ ଆଧାର କରି ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟକୁ ଆଗକୁ ନେବା ଲାଗି ଉଦ୍ୟମ ଜାରି ରଖିବୁ।’’

ଉନ୍ନୟନ କମିସନର ଶ୍ରୀ ଜେନା ଲେଫ୍ରିପଡ଼ା ବ୍ଳକର କଦୋମାଲ ଗାଁରେ ନିର୍ମିତ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ସେଠାରେ ଉପସ୍ଥିତ ଚାଷୀ ଓ ଗ୍ରାମବାସୀମାନଙ୍କୁ ଉନ୍ନତ ପ୍ରଣାଳୀରେ ଚାଷ କରିବା ପାଇଁ ଉତ୍ସାହିତ କରିଥିଲେ। ଏହି ଅଞ୍ଚଳ ବାତ୍ୟା ପ୍ରବଣ ହୋଇ ନଥିବାରୁ ଏଠାରେ ଉନ୍ନତ କିସମର କଦଳୀ ଓ ମାଛ ଚାଷ କରିବାକୁ ସେ ପରାମର୍ଶ ଦେଇଥିଲେ।

ସେହିପରି ଟାଙ୍ଗରପାଲି ବ୍ଲକର ମହୁଲପାଲିସ୍ଥିତ ଓକେସିଏଲର ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନରେ ଆସି ଶ୍ରୀ ଜେନା ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ସହିତ କଥା ହୋଇଥିଲେ। ଏହି କେନ୍ଦ୍ରରୁ କମ୍ପ୍ୟୁଟର, ସ୍ପୋକନ୍ ଇଂଲିଶ୍ ଆଦି ବିଷୟରେ ପ୍ରଶିକ୍ଷଣ ନେଇ ଆତ୍ମନିର୍ଭରଶୀଳ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସୁନ୍ଦରଗଡ଼ ପତ୍ରାପାଲିସ୍ଥିତ ସୁଦକ୍ଷ କେନ୍ଦ୍ର ପରିଦର୍ଶନରେ ଯାଇ ବୌଦ୍ଧିକ ଓ ଶାରୀରିକ ଦକ୍ଷତା ବୃଦ୍ଧି ପାଇଁ ଉଦ୍ୟମ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।ନିକଟରେ କାୟାକଳ୍ପ ପୁରସ୍କାର ପାଇଥିବା ବଡଗାଁ ବ୍ଲକର ଜରଙ୍ଗଲୋଇ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିଦର୍ଶନ କରି ଏଠାରେ ଥିବା ରୋଗୀ ଏବଂ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ ଉନ୍ନୟନ କମିସନର। ଏଠାକାର ପରିମଳ ଏବଂ ସ୍ଵାସ୍ଥ୍ୟସେବାକୁ ସେ ପ୍ରଶଂସା କରିଥିଲେ। ଲେଫ୍ରିପଡ଼ା ବ୍ଳକର ସୁର୍ଗୁଡା ସ୍ଥିତ ମା’ଗୃହ ଏବଂ ସଦର ବ୍ଲକର ଭବାନୀପୁରଠାରେ ନିର୍ମିତ ବାଲା ମଡେଲ ଅଙ୍ଗନବାଡି କେନ୍ଦ୍ରକୁ ମଧ୍ୟ ସେ ପ୍ରଶଂସା କରିଥିଲେ।

ଉନ୍ନୟନ କମିସନର ତାଙ୍କର  ଗସ୍ତ ବେଳେ ବଡଗାଁ ବ୍ଲକର ଦୁଇଟି ନିର୍ମାଣାଧୀନ ରାସ୍ତା କାର୍ଯ୍ୟ ତଦାରଖ କରିବା ସହ କୁତ୍ରା ବ୍ଲକର ପୁରକାପାଲୀ ଗ୍ରାମ ପଞ୍ଚାୟତର ମଟୱାଲି ନାଳ ଉପରେ ନବନିର୍ମିତ ପୋଲ ପରିଦର୍ଶନ କରିଥିଲେ। ପରେ ସେ କୁତ୍ରା ବ୍ଲକରେ ଏକ ୱାଡି ପ୍ରକଳ୍ପ ମଧ୍ୟ ବୁଲି ଦେଖିଥିଲେ।

ପରିଦର୍ଶନ ବେଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର, ସିଡିଏମଓ ଡାକ୍ତର ସରୋଜ କୁମାର ମିଶ୍ର, ଡିଏମଏଫ ସିଇଓ ରସାଇ ଲାଗୁରୀ, ଓମ୍ବାଡସି ସିଇଓ ଉମା ନନ୍ଦୁରୀଙ୍କ ସମେତ ଡିଏମଏଫ ଏବଂ ଓମ୍ବାଡସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Comment