ବିଶ୍ଵଜିତ ସାହୁ

ଏଥର ଉପନିର୍ବାଚନରେ ପିପିଲି ଆସନ ଜିତିବାକୁ ରଣକୌଶଳ ପ୍ରସ୍ତୁତ କରିଛି ବିଜେପି।

“ବିଗତ ୩୫ ବର୍ଷର କୁଶାସନରେ ପିପିଲିର ଲୋକେ ଅତିଷ୍ଠ ହୋଇପଡ଼ିଛନ୍ତି। ତେଣୁ ସେମାନେ ନିଷ୍ପତ୍ତି ନେଇ ସାରିଛନ୍ତି ଆଗାମୀ ୩୫ ମାସ ପାଇଁ ଭାରତୀୟ ଜନତା ପାର୍ଟିକୁ ସୁଯୋଗ ଦେବେ। ପିପିଲିରେ ଏଥର ବିକାଶ ଆସିବ, ପ୍ରଗତି ହେବ, ଭାଇଚାରା ସୃଷ୍ଟିହେବ”, କହିଛନ୍ତି ପିପିଲିର ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ।ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ। ଏଥିପାଇଁ ପିପିଲିର ରାଜନୀତିକ ପାଣିପାଗ ଏବେ ଉଷ୍ମ ହୋଇଛି। ବିଭିନ୍ନ ରାଜନୀତିକ ଦଳ ପିପିଲି ଆସନ ହାତେଇବାକୁ ଜୋରସୋର୍ ପ୍ରଚାରରେ ଲାଗିଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଏଥର ପିପିଲି ଆସନର ବିଜୟ ମୁକୁଟ ପିନ୍ଧିବାକୁ ଆଶାବାଦୀ ଥିବା କହିଛନ୍ତି।

ଲୋକଙ୍କ ଶାସନ ପାଇଁ ବିଜେପି

ଶାସକ ଦଳର ଦୀର୍ଘ ୩୫ ବର୍ଷର ଶାସନରେ ପିପିଲିରୁ ବିକାଶର ଚିହ୍ନ ହଜିଯାଇଥିବା କହିଛି ବିଜେପି। ତେଣୁ ପିପିଲିରେ ଅରାଜକତାର ଶାସନ ଚାଲିଥିବା ଦଳ ଦାବି କରୁଛି। କେବଳ ବିଜେପି ହିଁ ପିପିଲିକୁ ବିକାଶ ଆଣିପାରିବ ବୋଲି ଦଳୀୟ ନେତାମାନେ ଜନତାଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି।“ବିଜେପି ଜିତିଲେ ପିପିଲିର ଜନସାଧାରଣ ଭୟମୁକ୍ତ ହେବେ। ଏଠାକୁ ବିକାଶ ଆସିବ, ଏ ଅଞ୍ଚଳର ପ୍ରଗତି ହୋଇପାରିବ। ଲୋକମାନଙ୍କର ଶାସନ ପ୍ରତିଷ୍ଠା ପାଇଁ ପିପିଲିବାସୀ ଭାରତୀୟ ଜନତା ପାର୍ଟିକୁ ଏଥର ବିଜୟୀ କରିବେ”, କହିଛନ୍ତି ଆଶ୍ରିତ ପଟ୍ଟନାୟକ।

ଜନତାଙ୍କ ନିଷ୍ପତି, ପିପିଲିରେ ଏଥର ବିଜେପି

ପିପିଲି ବିଧାୟକ ପଦବୀ ଜିତିବାକୁ ବେଶ୍ ଆଶାବାଦୀ ରହିଥିବା ନେଇ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ କହିଛନ୍ତି,”ଗତ ନିର୍ବାଚନରେ ପିପିଲିର ଭୋଟରମାନେ ଦଳକୁ ଭଲ ସମର୍ଥନ କରିଥିଲେ। ଏଥର ଆହୁରି ସମର୍ଥନ ମିଳିବ। ଏଥର ଉପନିର୍ବାଚନରେ ପିପିଲିର ଜନସାଧାରଣ ବିଜେପିକୁ ଚାହୁଁଛନ୍ତି। ଏଠାରେ ମୋଦୀଙ୍କ ଲହର ଚାଲିଛି। ଏଠାକାର ଜନସାଧାରଣ ମୋଦୀଙ୍କ ବିଚାରଧାରାକୁ ପସନ୍ଦ କରିଛନ୍ତି। ତେଣୁ ପିପିଲିର ସର୍ବାଙ୍ଗୀନ ବିକାଶ ପାଇଁ ଭୋଟରମାନେ ଏଥର ବିଜେପିକୁ ଜିତାଇବା ପାଇଁ ନିଷ୍ପତି ନେଇ ସାରିଛନ୍ତି।”  ପିପିଲିରେ ପହଞ୍ଚିନି ଫନି ସହାୟତା

ପିପିଲି ଉପନିର୍ବାଚନ ପାଇଁ ଅନ୍ୟଦଳଗୁଡ଼ିକ ପରି ବିଜେପି ମଧ୍ୟ ତାହାର ପ୍ରଚାରକୁ ଜୋରଦାର୍ କରିଛି। ପ୍ରତିଦିନ ପଦଯାତ୍ରା, ବାଇକ୍ ରାଲି ଏବଂ ଶୋଭାଯାତ୍ରା ଆଦିରେ ସଂଖ୍ୟାଧିକ ଦଳୀୟ କର୍ମୀମାନେ ପିପିଲିର ବିଭିନ୍ନ ଅଞ୍ଚଳ ବୁଲି ପ୍ରଚାର କରୁଛନ୍ତି। ଦଳର ହେଭିଓ୍ଵେଟମାନେ ବିଭିନ୍ନ ପଞ୍ଚାୟତରେ ଡୋର୍ ଟୁ ଡୋର୍ କ୍ୟାମ୍ପେନ କରି ଆଶ୍ରିତଙ୍କ ପାଇଁ ଜନସାଧାରଣଙ୍କୁ ଭୋଟ ମାଗୁଛନ୍ତି।

ନିର୍ବାଚନୀ ପ୍ରଚାରରେ ଦଳ ଏଥର ମୁଖ୍ୟ ପ୍ରସଙ୍ଗ ରଖିଛି ‘ଫନି ସହାୟତା’। ଫନି ବାତ୍ୟାକୁ ୨ ବର୍ଷ ପୂରି ସାରିଥିଲେ ବେଳେ ପିପିଲିବାସୀ ଫନି ସହାୟତା ପାଇ ନାହାନ୍ତି। ଏବେବି ଲୋକମାନେ ଭଙ୍ଗା ଘରେ ପଲିଥିନ୍ ଟାଣି ରହୁଛନ୍ତି। ତେଣୁ ପିପିଲିବାସୀ ଏଥର ଆଶ୍ରିତଙ୍କୁ ସୁଯୋଗ ଦେଲେ ଏହିସବୁ ସମସ୍ୟାରୁ ସେମାନଙ୍କୁ ମୁକ୍ତି ମିଳିବ ବୋଲି ପ୍ରତିଶ୍ରୁତି ଜନତାଙ୍କୁ ଦେଉଛି ବିଜେପି। ଫନି ସହୟତା ନମିଳିବାକୁ ମୂଳ ଅସ୍ତ୍ର କରି ଜନତାଙ୍କୁ ନିଜ ପଟକୁ ଢଳାଇବାରେ ଲାଗିଛି ଦଳ।

Comment