ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ଭାରତର ସ୍ୱାଧୀନତା ସଂଗ୍ରାମର ଶକ୍ତ ମାଇଲଖୁଣ୍ଟ ଥିଲେ ହରେକୃଷ୍ଣ ମହତାବ। ସମାଜରେ ସଂସ୍କାର ଆଣିବା ପାଇଁ ତାଙ୍କର ସଂଗ୍ରାମ ପ୍ରଂଶସାଯୋଗ୍ୟ। ଶିଳ୍ପ ତଥା ଭିତ୍ତିଭୂମି ବିକାଶ କରି ରାଜ୍ୟରେ ଅଭିବୃଦ୍ଧି ତଥା ସମୃଦ୍ଧି ଆଣିବାରେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଡକ୍ଟର ମହତାବଙ୍କ ଦୃଷ୍ଟିକୋଣ ପ୍ରଶଂସନୀୟ’’, ମହତାବଙ୍କ ଦ୍ୱାରା ଲିଖିତ ‘ଓଡ଼ିଶା ଇତିହାସ’ ପୁସ୍ତକର ହିନ୍ଦୀ ସଙ୍କଳନ ଉନ୍ମୋଚନ ଅବସର ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଶୁକ୍ରବାର ନୂଆଦିଲ୍ଲୀସ୍ଥିତ ଆମ୍ବେଦକର ଅର୍ନ୍ତଜାତୀୟ କେନ୍ଦ୍ରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁସ୍ତକକୁ ଲୋକାର୍ପଣ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଓଡ଼ିଶାର ବିବିଧ ତଥା ବିସ୍ତୃତ ଇତିହାସ ଦେଶର ଲୋକଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି। ରାଜ୍ୟଗୁଡ଼ିକର ଇତିହାସ ସମଗ୍ର ଦେଶର ଐତିହାସିକ ଶକ୍ତିକୁ ପ୍ରତିପାଦିତ କରେ। ଯେହେତୁ ଇତିହାସ ହେଉଛି ଭବିଷ୍ୟତର ଦର୍ପଣ ସେଥିପାଇଁ ଆଜିର ଯୁବପିଢ଼ି ଆମର ଇତିହାସରୁ ଶିକ୍ଷା ଗ୍ରହଣ କରିବା ସହ ଅନୁପ୍ରାଣିତ ହେବା ଦରକାର।

ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ‘‘ଡକ୍ଟର ମହତାବଙ୍କ ରଚିତ ‘ଓଡ଼ିଶା ଇତିହାସ’ ଏକ ପୁସ୍ତକ ନୁହେଁ ବରଂ ବୁଦ୍ଧିମାନ, ପରାକ୍ରମୀ, ସାହାସୀ ଓ ସମ୍ବେଦନଶୀଳ ଓଡ଼ିଆ ଜାତିର ପରିଚୟ’’।

କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ସାଂସଦ ଭର୍ତ୍ତୃହରି ମହତାବ କହିଥିଲେ ଯେ, ଇତିହାସ କେବଳ ଦିଲ୍ଲୀର ଇତିହାସ ନୁହେଁ, ଏହା ପ୍ରତି ରାଜ୍ୟର ଇତିହାସର ସମାହାର। ଓଡ଼ିଶା ଇତିହାସର ହିନ୍ଦୀ ସଂସ୍କରଣ ପ୍ରକାଶନର ସ୍ୱପ୍ନ ସାକାର ହେବାରେ ଶଙ୍କରଲାଲ ପୁରୋହିତଙ୍କ ଅବିରତ ଉଦ୍ୟମ ପ୍ରତିଫଳିତ ହୋଇଛି।

ବିଶିଷ୍ଟ ହିନ୍ଦୀ ସାହିତ୍ୟିକ ତଥା ଅନୁବାଦକ ଶଙ୍କରଲାଲ ପୁରୋହିତ ଏହି ପୁସ୍ତକର ହିନ୍ଦୀ ଅନୁବାଦ କରିଛନ୍ତି। ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ଲୋକସଭା ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ଉପସ୍ଥିତ ଥିଲେ।

Comment