ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ସହରର ଅଶୋକ ସିନେମା ହଲକୁ ଶୁକ୍ରବାର ଜିଲ୍ଲା ପ୍ରଶାସନ ସିଲ୍ କରିଛି। କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଏହି ହଲ୍‌କୁ ସିଲ୍ କରାଯାଇଛି। କରୋନା କଟକଣା ପାଇଁ ୫୦ ପ୍ରତିଶତର ଦର୍ଶକରେ ସିନେମା ହଲ୍‌ରେ ସୋ’ କରିବାକୁ ସରକାର ଗାଇଡଲାଇନ ଦେଇଥିବା ବେଳେ ଏଠାରେ ହାଉସ ଫୁଲ ଟିକେଟ୍ ବିକ୍ରି ହୋଇଥିଲା।

ରାୟଗଡ଼ାର ଅଶୋକ ସିନେମା ହଲରେ ‘ଓକିଲ ବାବୁ’ ନାମକ ଏକ ତେଲୁଗୁ ସିନେମା ରିଲିଜ ହେବାର ଥିଲା। ଏଥିପାଇଁ ଦୁଇ ଦିନ ପୂର୍ବରୁ ହଲ୍‌ର ସମସ୍ତ ସିଟ୍ ବୁକ୍ ହୋଇଥିଲା। ଶୁକ୍ରବାର ସକାଳୁ ସିନେମାର ପ୍ରିମିୟର ହେବାବେଳେ ଏହାକୁ ଦେଖିବା ପାଇଁ ସେଠାରେ ଦର୍ଶକ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଥିଲା।ହଲ୍‌ରେ ଏତେ ମାତ୍ରାରେ ଭିଡ଼ ହୋଇଥିବା ଖବର ପାଇ ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଓ ଏସ୍‌ପି ବିବେକାନନ୍ଦ ଶର୍ମା ସିନେମା ହଲକୁ ଯାଞ୍ଚ ପାଇଁ ଯାଇଥିଲେ। ସେଠାରେ କରୋନା କଟକଣାକୁ ଦର୍ଶକମାନେ ମାନୁ ନଥିବା ସେମାନେ ଦେଖିଥିଲେ। ଅପରପକ୍ଷେ ୫୦ ପ୍ରତିଶତ ବଦଳରେ ହଲ୍ କର୍ତ୍ତୃପକ୍ଷ ପୂରା ଟିକେଟ ବିକ୍ରି କରିଥିଲେ। ତେଣୁ କରୋନା ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଜିଲ୍ଲା ପ୍ରଶାସନ ହଲ୍‌କୁ ସିଲ୍ କରିଛନ୍ତି।

Comment