ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରେ କ୍ୟାନ୍‌ସର ଚିକିତ୍ସା ପାଇଁ ୩୪୦ କୋଟି ଟଙ୍କା ଦାନ କରିବେ ବାଗ୍‌ଚୀ ଦମ୍ପତି, ରାଜ୍ୟ ସରକାର ଦେବେ ୪୦ ଏକର ଜମି।

‘‘୧୦ ବର୍ଷ ତଳେ ମୋ’ ମା’ଙ୍କର କ୍ୟାନ୍‌ସର ଚିହ୍ନଟ ହୋଇଥିଲା। ମୁଁ ଡେରି ନକରି ମା’ଙ୍କୁ ଭୁବନେଶ୍ୱରରୁ ବେଙ୍ଗାଳୁରୁ ନେଇ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲି। ୬ରୁ ୭ ମାସ ଭିତରେ ସେ ସୁସ୍ଥ ହୋଇଥିଲେ। ସେତେବେଳେ ମୋ’ ମନକୁ ଉଙ୍କି ମାରିଲା ଯେ, ମୋ’ ମା’ଙ୍କ ଭଳି ଏମିତି ଅନେକ ଲୋକଙ୍କୁ କର୍କଟ ରୋଗ ଚିକିତ୍ସା ପାଇଁ ବାହାରକୁ ଯିବାକୁ ପଡ଼ୁଥାଇ ପାରେ’’, ସ୍ୱାସ୍ଥ୍ୟପ୍ଲସ୍ ସହ କଥାବାର୍ତ୍ତା ବେଳେ ଏକଥା ମନେପକାଇଛନ୍ତି ବିଶିଷ୍ଟ ଲେଖିକା ତଥା ମୋ’ ସ୍କୁଲ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ।

ଓଡ଼ିଶାରେ ଏକ ଅତ୍ୟାଧୁନିକ କ୍ୟାନ୍‌ସର ହସ୍ପିଟାଲ୍‌‌ ସହ ଏକ ପାଲିଏଟିଭ୍ କେୟାର ସେଣ୍ଟର ପ୍ରତିଷ୍ଠା ଲାଗି ୩୪୦ କୋଟି ଟଙ୍କା ଦାନ ଘୋଷଣା କରି ସୋମବାର ଦିନ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଓ ସୁସ୍ମିତା ବାଗ୍‌ଚୀ ନ୍ୟୁଜ୍‌ ହେଡ୍‌ଲାଇନ୍‌ରେ ଆସିଥିଲେ। ଏହି ଅର୍ଥରେ ଭୁବନେଶ୍ୱରର ଇନ୍‌ଫୋଭ୍ୟାଲିରେ ୨୦ ଏକର ଜାଗାରେ ନିର୍ମିତ ହେବ ‘ବାଗ୍‌ଚୀ ଶ୍ରୀ ଶଙ୍କର କ୍ୟାନ୍‌ସର ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର’। ସେହିପରି ଆଉ ୨୦ ଏକର ଜମିରେ ହେବ ‘ବାଗ୍‌ଚୀ କରୁଣାଶ୍ରୟ ପାଲିଏଟିଭ୍‌ କେୟାର ସେଣ୍ଟର’। ରାଜ୍ୟ ସରକାର ଏହି ୪୦ ଏକର ଜମି ମାଗଣାରେ ଯୋଗାଇ ଦେବେ।

ବେଙ୍ଗାଳୁରର ଶ୍ରୀ ଶଙ୍କର କ୍ୟାନ୍‌ସର ହସ୍ପିଟାଲ କର୍କଟ ଚିକିତ୍ସା ଲାଗି ଦେଶର ଏକ ଜଣାଶୁଣା କେନ୍ଦ୍ର। ଏହା ୨୫ ପ୍ରତିଶତ ରୋଗୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ଯୋଗାଇ ଦେଇଥାଏ। ସେହିପରି ସେଠାରେ ଆଉ ୨୫ ପ୍ରତିଶତ ରୋଗୀ ସେମାନଙ୍କ ସାଧ୍ୟ ଅନୁଯାୟୀ ଟଙ୍କା ଦେଇଥାନ୍ତି। ବାକି ୫୦ ପ୍ରତିଶତ ରୋଗୀ ମୋଟ ଦେୟ ଦେଇ ଚିକିତ୍ସା କରାଇଥା’ନ୍ତି। ସାମର୍ଥ୍ୟ ଥିବା ରୋଗୀଙ୍କଠାରୁ ଆସୁଥିବା ପଇସାରେ ସେଠାରେ ଗରିବ ଶ୍ରେଣୀର ରୋଗୀଙ୍କର ସେବା କରାଯାଉଛି।

ଶ୍ରୀ ଶଙ୍କର କ୍ୟାନ୍‌ସର ହସ୍ପିଟାଲ ମଡେଲ୍‌ ବା ସୁବିଧା ଏବେ ଓଡ଼ିଶାର କ୍ୟାନ୍‌ସର ରୋଗୀଙ୍କ ପାଖରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛନ୍ତି ବାଗ୍‌ଚୀ ଦମ୍ପତି। ସେହି ଡାକ୍ତରଖାନା ସହ ମିଶି ଭୁବନେଶ୍ୱରରେ ତିଆରି ହେବ ବାଗ୍‌ଚୀ ଶ୍ରୀ ଶଙ୍କର କ୍ୟାନ୍‌ସର ହସ୍ପିଟାଲ। କ୍ୟାନସର ଚିକିତ୍ସା ଓ ଗବେଷଣା ପାଇଁ ଆଗାମୀ ଦିନରେ ଏହା ଦେଶର ଏକ ଆଗଧାଡ଼ିର କେନ୍ଦ୍ର ଭାବେ ତିଆରି ହେବ।

ଏହାସହ ୨୦ ଏକର ଜାଗାରେ ବାଗ୍‌ଚୀ କରୁଣାଶ୍ରୟ ପାଲିଏଟିଭ୍‌ କେୟାର ସେଣ୍ଟର ପ୍ରତିଷ୍ଠା ହେବ। ଏଠାରେ ସବୁ ରୋଗୀଙ୍କୁ ମାଗଣାରେ ସେବା ମିଳିବ। ସେଠାରେ ହସ୍ପିଟାଲ ବ୍ଲକ୍‌ ସହ ତାଲିମ୍‌ କେନ୍ଦ୍ର, ଡାକ୍ତର ଓ ନର୍ସଙ୍କ ରହିବା ବ୍ୟବସ୍ଥା ଏବଂ ଅଡିଟୋରିୟମ୍‌ ଆଦି ବ୍ୟବସ୍ଥା ରହିବ। ସେଠାରେ ସେବା ସହ ତାଲିମ ଲାଗି କାର୍ଯ୍ୟକ୍ରମ ରଖାଯିବ।

‘‘ଶେଷ ଜୀବନରେ ଜଣେ ରୋଗୀ ଶାନ୍ତି ଓ ସମ୍ମାନର ସହ ନିଶ୍ୱାସ ତ୍ୟାଗ କରିପାରିବ – ତାହା ହିଁ କରୁଣାଶ୍ରୟ ପାଲିଏଟିଭ୍‌ କେୟାର କେନ୍ଦ୍ରର ଉଦ୍ଦେଶ୍ୟ। ଏହାକୁ ଦୃଷ୍ଟିରେ ରଖି ଆମେ ଓଡ଼ିଶାରେ ଏହି ସେବା ପାଇଁ ପାଲିଏଟିଭ୍‌ କେୟାର ସେଣ୍ଟର ଖୋଲିବାର ନିର୍ଣ୍ଣୟ ନେଲୁ। କରୁଣାଶ୍ରୟରେ ସବୁ ବର୍ଗର ଲୋକଙ୍କୁ ମାଗଣାରେ ସେବା ଯୋଗାଇ ଦିଆଯିବ’’, କହିଛନ୍ତି ଶ୍ରୀମତୀ ବାଗ୍‌ଚୀ.

‘ବାଗ୍‌ଚୀ ଶ୍ରୀ ଶଙ୍କର କ୍ୟାନ୍‌ସର ହସ୍ପିଟାଲ’ ଏବଂ ‘ବାଗ୍‌ଚୀ ପାଲିଏଟିଭ୍‌ କେୟାର ସେଣ୍ଟର’ ମିଶି ଓଡ଼ିଶାରେ ଏକ ପ୍ରମୁଖ ଅଙ୍କୋଲୋଜି ସେଣ୍ଟର ଭାବେ ଗଢ଼ି ଉଠିବ। ‘‘ଏହା କ୍ୟାନସର ଚିକିତ୍ସା, ଗବେଷଣା ଓ ତାଲିମ ସହ ରୋଗୀଙ୍କ ଶେଷ ଜୀବନ ପାଇଁ ପାଲିଏଟିଭ୍ କେୟାର ଭଳି ମହତ ସେବା ଯୋଗାଇବାର କାମ କରିବ’’, କହିଛନ୍ତି ‘ମୋ ସ୍କୁଲ’ ଅଧ୍ୟକ୍ଷା ସୁସ୍ମିତା ବାଗଚୀ।

ଏହି ଦୁଇଟି ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍‌ରେ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି କ୍ୟାନ୍‌ସର ଚିକିତ୍ସା କେନ୍ଦ୍ର ୨୦୨୪ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ସରକାରୀ ଓ ଘରୋଇ ସହଭାଗିତାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଓଡ଼ିଶାରେ ଏହା ସର୍ବବୃହତ୍ତ ପ୍ରକଳ୍ପ ଭାବେ ପରିଚିତ ହେବ। ସେହିପରି ଜାତୀୟ ସ୍ତରରେ ମଧ୍ୟ ଏହା ଆଗାମୀ ଦିନରେ ବିଶେଷ ଗୁରୁତ୍ୱ ବହନ କରିବା।

କ୍ୟାନ୍‌ସର ଚିକିତ୍ସା କ୍ଷେତ୍ରରେ ଓଡ଼ିଶା ଦିନେ ଭାରତରେ ଅଗ୍ରଣୀ କେନ୍ଦ୍ର ହେବ – ସୁବ୍ରତ ବାଗ୍‌ଚୀ

ସୌଜନ୍ୟ: ସ୍ୱାସ୍ଥ୍ୟ ପ୍ଲସ

Comment