ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରଗଡ଼ର ଆଦିବାସୀ ଝିଅ ମୁନି ଟିଗା ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଲୋକୋ ପାଇଲଟ ଭାବେ ସଫଳତା ହାସଲ କରିଛନ୍ତି। ଜୀବନର କଠିନ ଓ ପ୍ରତିକୂଳ ସମୟକୁ ଅତିକ୍ରମ କରି ଆଜି ସେ ତାଙ୍କ ସ୍ୱପ୍ନକୁ ପୂରା କରିପାରିଛନ୍ତି।

(ଭୁବନେଶ୍ୱରରୁ ଶୁଭଶ୍ରୀ ନାୟକ): ଆଜିର ଯୁଗରେ ଦକ୍ଷତା କେବଳ ନିଯୁକ୍ତି ବା ଆତ୍ମନିଯୁକ୍ତି ନୁହେଁ, ବରଂ ଜଣେ ମଣିଷର ଜୀବନଧାରଣର ମାନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇପାରେ। ସଂଘର୍ଷକୁ ସଫଳତାରେ ରୂପାନ୍ତରିତ କରିଦେଇପାରେ। ଏହାର ଏକ ବଡ଼ ଉଦାହରଣ ହେଉଛନ୍ତି ବରଗଡ଼ ଜିଲ୍ଲାର ଆଦିବାସୀ ଝିଅ ମୁନି ଟିଗା। ଘରର ଆର୍ଥିକ ଦୁରବସ୍ଥା ମଧ୍ୟରେ ଦିନେ ଗାଈ ପଲ ଧରି ଚରାଇବାକୁ ଜଙ୍ଗଲକୁ ଯାଉଥିଲେ। ଏବେ ରେଳବାଇରେ ମୁନି ଟିଗା ଲୋକୋମୋଟିଭ୍ ପାଇଲଟ୍ ଭାବେ ଚାକିରି କରି ଖୁସିରେ ନିଜର ପରିବାର ଚଳାଉଛନ୍ତି। ଏହା କେବଳ ତାଙ୍କର ସାହସ, ନିଷ୍ଠା, ଦୃଢ଼ ସଂକଳ୍ପ ଯୋଗୁଁ ହିଁ ସମ୍ଭବ ହୋଇପାରିଛି।

ବରଗଡ଼ ଆଇଟିଆଇ ଦେଲା ପରିଚୟ

‘‘ଛଅ ଭାଇ ଭଉଣୀ ଥିବା ଆମ ପରିବାରରେ ମୋ’ ବାପାଙ୍କ ପାଇଁ ମୋ ପାଠ ପଢ଼ାରେ ପଇସା ଖର୍ଚ୍ଚ କରିବା ସମ୍ଭବ ନଥିଲା। ମୁଁ ଦିନ ମଜୁରିଆ ଭାବେ କାମ କରି ମୋ ପାଠ ପଢ଼ା ପାଇଁ କିଛି ଟଙ୍କା ସଞ୍ଚୟ କରିଥିଲି। ପାଠପଢ଼ା ପ୍ରତି ମୋର ଆଗ୍ରହ ଦେଖି ମୋ ସମ୍ପର୍କୀୟମାନେ ମତେ ଆଇଟିଆଇରେ ଯୋଗ ଦେବା ପାଇଁ କହିଥିଲେ। ମୁଁ ବରଗଡ଼ ଆଇଟିଆଇରେ ଯୋଗ ଦେବା ପର୍ଯ୍ୟନ୍ତ ମୋର ଧାରଣା ନଥିଲା ଯେ ଝିଅମାନଙ୍କୁ ମଧ୍ୟ ରେଳଗାଡ଼ି ଚଲାଇବା ପ୍ରଶିକ୍ଷଣ ଦିଆଯାଏ। ଯେତେବେଳେ ଜାଣିଲି ସେତେବେଳେ ମୁଁ ସ୍ଥିର କରିନେଲି ଯେ ମୁଁ ବି ଟ୍ରେନ୍‌ ଚଳାଇବି’’, କହିଥିଲେ ମୁନି ଟିଗା।

୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିଲେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ। ‘ସ୍କିଲ୍ଡ ଇନ୍ ଓଡ଼ିଶା’ ସ୍ଲୋଗାନ୍ ନେଇ ମୁଣ୍ଡ ଟେକିଥିବା ଏହି ଅଭିଯାନ ଶୁଭାରମ୍ଭ ଉପଲକ୍ଷେ ଆୟୋଜିତ ଏକ ସଭାରେ ଯୋଗ ଦେଇ ମୁନି ଟିଗା ନିଜ କାହାଣୀ ସମ୍ପର୍କରେ କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ, ‘‘ଜୀବନ ଅଛି ତ କଷ୍ଟ ନିଶ୍ଚୟ ଆସିବ। କିନ୍ତୁ ମଣିଷ ସବୁଦିନ କେତେ କଷ୍ଟ ସହିବ। ସେଥିପାଇଁ ମୁଁ ଭାବିଲି ମତେ ଏମିତି କିଛି କରିବାକୁ ପଡ଼ିବ, ଯାହାଦ୍ୱାରା କଷ୍ଟକୁ ବି ହାର୍‌ମାନିବାକୁ ପଡ଼ିବ”।

ଦିନେ ଦିନ ମଜୁରିଆ ଭାବେ କାମ କରୁଥିଲେ ମୁନି

ବାସ୍ତବରେ ମୁନିଙ୍କ କାହାଣୀ କେଉଁ ସିନେମାର କାହାଣୀଠାରୁ କମ ନୁହେଁ। ଗରିବ ଆଦିବାସୀ ପରିବାରରେ ଜନ୍ମ ନେଇଥିବା ମୁନି ଟିଗା ପିଲାବେଳୁ ବହୁ କଷ୍ଟ ସମୟ ଦେଇ ଗତି କରିଛନ୍ତି। ପାଠ ପଢ଼ିବା ପାଇଁ ଇଚ୍ଛା ଥିଲା କିନ୍ତୁ ତାଙ୍କ ପାଖରେ ସୁଯୋଗ ନଥିଲା। ଅର୍ଥର ଅଭାବ ଯୋଗୁଁ ମୁନିଙ୍କ ବାପା ତାଙ୍କୁ ଏକ ଆବାସିକ ସ୍କୁଲରେ ଛାଡ଼ି ଦେଇଥିଲେ।ଅଭାବ ଅନାଟନ ମଧ୍ୟରେ ମୁନି ସେଠାରେ ନିଜର ସ୍କୁଲ ଶିକ୍ଷା ଶେଷ କରିଥିଲେ। ମାତ୍ର ମାଟ୍ରିକ ପରେ ମୁନିଙ୍କୁ ଆଗକୁ ପଢ଼ାଇବା ପାଇଁ ତାଙ୍କ ପରିବାର ପାଖରେ ସମ୍ବଳ ନଥିଲା। ସେଥିପାଇଁ ମୁନି ଦିନ ମଜୁରିଆ ଭାବେ କାମ କରିଥିଲେ। ତା’ ପରେ ତାଙ୍କୁ ଏକ ଫ୍ୟାକ୍ଟ୍ରିରେ କାମ କରିବାର ସୁଯୋଗ ମିଳିଥିଲା। ଫ୍ୟାକ୍ଟ୍ରିରେ କାମ କରିବା ପାଇଁ ମୁନି ରାତି ସାଢ଼େ ୪ଟାରୁ ସାଇକେଲ ଧରି ବାହାରି ଯାଉଥିଲେ। ୩୭ କିଲୋମିଟରର ରାସ୍ତା ଅତିକ୍ରମ କରି ସକାଳ ୮ଟାରେ ଫ୍ୟାକ୍ଟ୍ରିରେ ପହଞ୍ଚି କାମ ଆରମ୍ଭ କରିଦେଉଥିଲେ ମୁନି। କାମ ସାରି ରାତି ୮ଟାକୁ ଫେରୁଥିଲେ ସେ।

ନିଜ ସଞ୍ଚିତ ଟଙ୍କାରେ ପଢ଼ିଲେ ପାଠ

୬ ମାସ ଫ୍ୟାକ୍ଟ୍ରିରେ କାମ କରିବା ପରେ ସଞ୍ଚିତ ପଇସାରେ ଯୁକ୍ତ ଦୁଇ ପାଠ ପଢିଥିଲେ। ପରେ ବନ୍ଧୁ ସମ୍ପର୍କୀୟଙ୍କଠାରୁ ସାହାଯ୍ୟ ଆଣି ଦକ୍ଷତା ତାଲିମ ପାଇଁ ସେ ବରଗଡ ଆଇଟିଆଇରେ ଯୋଗ ଦେଇଥିଲେ। ୨୦୦୮ରେ ବରଗଡ଼ ଆଇଟିଆଇରେ ଇଲେକଟ୍ରୋନିକ୍ସ ମେକାନିକ୍‌ ଟ୍ରେଡରେ ପାଠ ପଢ଼ୁଥିଲେ ମୁନି।

‘‘ଗାଁରେ ଥିଲା ବେଳେ ଗାଈ ଚରାଇବାକୁ ଜଙ୍ଗଲକୁ ଯାଏ। ସେତେବେଳେ ବି ହାତରେ ବହି ଖଣ୍ଡିଏ ନେଇକି ଯାଏ। ଗାଈ ଚରାଇଲା ବେଳେ ବି ପାଠ ପଢ଼େ। ପାଠ ପଢ଼ା ପ୍ରତି ମୋର ଆଗ୍ରହ ମତେ ଆଜି ସଫଳତା ଦେଇଛି’’, କହିଥିଲେ ମୁନି ଟିଗା।

ମନୋବଳ ତିଆରି କରିପାରିଲେ ଏବଂ ଧୈର୍ଯ୍ୟର ସହିତ ସାଧନାକୁ ଜାରି ରଖିଲେ ଅନେକ ସମୟରେ ଅସମ୍ଭବ ସମ୍ଭବ ହୋଇପାରେ। ମୁନି ଟିଗା ହେଉଛନ୍ତି ଏହାର ଉଦାହରଣ।

Comment