ଓଡ଼ିଶାଲାଇଭ୍ ବ୍ୟୁରୋ

‘‘ବୈଷୟିକ ଶିକ୍ଷା ବିଷୟରେ ମୋ’ ପରିବାର ଲୋକଙ୍କର ବିଶେଷ ଧାରଣା ନଥିଲା। ତେଣୁ ସେମାନେ ମତେ ଅନ୍ୟ କ୍ଷେତ୍ରରେ କ୍ୟାରିୟର କରିବାକୁ ପରାମର୍ଶ ଦେଉଥିଲେ। ତେବେ ସବୁ ପ୍ରତିବନ୍ଧକକୁ ହଟାଇ ମୁଁ ଟିଟିଆଇ ତକତପୁରରେ ତାଲିମ ଶେଷ କରିବା ପରେ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଆସିଛି। ଏଠାରେ ଅତ୍ୟାଧୁନିକ ତାଲିମ ନେଇ ମୁଁ ମୋ’ ସ୍ୱପ୍ନ ପୂରଣ କରିବି’’, କହିଛନ୍ତି ମୟୂରଭଞ୍ଜ ଜିଲ୍ଲା ଧରମଡିହିର ଲକ୍ଷ୍ମୀ ହାଁସଦା।

ଚାଷୀ ପରିବାରରୁ ଆସିଥିବା ଲକ୍ଷ୍ମୀ ଏବେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ଭର୍ଟିକାଲ ଟ୍ରାନ୍ସପୋର୍ଟେସନ’ ବିଷୟରେ ତାଲିମ ନେଉଛନ୍ତି। ଭବିଷ୍ୟତରେ ସେ ଜଣେ ଲିଫ୍ଟ ଟେକନିସିଆନ ହେବାକୁ ଲକ୍ଷ୍ୟ ରଖିଛନ୍ତି।

‘‘ସାଲୁନ୍‌ ଖୋଲିବାକୁ ମୁଁ ଚାହୁଁଥିଲି। ହେଲେ ଏ ବିଷୟରେ ମତେ କିଛି ଜଣା ନଥିଲା। ଏବେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ହେୟାର ଫ୍ୟାସନ ଆଣ୍ଡ ଡିଜାଇନ’ ବିଷୟରେ ନାମ ଲେଖାଇ ତାଲିମ ନେଉଛି। ଏଠାରେ ଅନ୍ତର୍ଜାତୀୟ ମାନର ଲାବୋରେଟୋରି ରହିଥିବାରୁ ନୂଆ ନୂଆ ଟେକନିକ୍‌ ଶିଖିପାରୁଛି’’, କହିଛନ୍ତି ଜଗତସିଂହପୁର ତିର୍ତ୍ତାଲର ଶୁଭଲକ୍ଷ୍ମୀ ମହାପାତ୍ର।

ଦିନ ଥିଲା ବୈଷୟିକ ଶିକ୍ଷା ଓ ତାଲିମ କ୍ଷେତ୍ରରେ ଝିଅମାନଙ୍କ ସଂଖ୍ୟା କମ୍‌ ଥିଲା। କିନ୍ତୁ ଆଜି ଯୁଗ ବଦଳିଛି। ମୟୂରଭଞ୍ଜର ଲକ୍ଷ୍ମୀ ଏବଂ ଜଗତସିଂହପୁରର ଶୁଭଲକ୍ଷ୍ମୀଙ୍କ ଭଳି ଓଡ଼ିଶାର ଅନେକ ଝିଅମାନେ ଆଜି ଅତ୍ୟାଧୁନିକ ବିଷୟରେ ତାଲିମ ନେଇ ବିଭିନ୍ନ ଶିଳ୍ପ ସଂସ୍ଥା ଓ ସେବା କ୍ଷେତ୍ର ଲାଗି ପ୍ରସ୍ତୁତ ହେଉଛନ୍ତି। ଏ ଦିଗରେ ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରମୁଖ ଭୂମିକା ଗ୍ରହଣ କରୁଛି।

ବୈଷୟିକ ଶିକ୍ଷା ଓ ତାଲିମ ପ୍ରତି ଅଧିକରୁ ଅଧିକ ଛାତ୍ରୀମାନଙ୍କୁ ଆକର୍ଷିତ କରିବା ପାଇଁ ଗତ କିଛିବର୍ଷ ହେଲା ରାଜ୍ୟ ସରକାର ‘ସୁଦକ୍ଷା’ ନାମରେ ଏକ ଯୋଜନା ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଛାତ୍ରୀମାନଙ୍କ ନାମଲେଖା ବାବଦ ଫି’ ସମ୍ପୂର୍ଣ୍ଣ ମାଗଣା ରହିଛି। ତା’ଛଡ଼ା ଉଭୟ ଛାତ୍ରୀ ଓ ଛାତ୍ରଙ୍କ ପାଇଁ ମାଗଣାରେ ୟୁନିଫର୍ମ ସହିତ ହଷ୍ଟେଲରେ ରହିବା ଓ ଖାଇବା ଏବଂ ଯିବା ଆସିବା ଲାଗି ବସ୍‌ ସୁବିଧା ଆଦି କରାଯାଇଛି।   

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ସ୍କିଲ୍ଡ ଇନ୍ ଓଡ଼ିଶା’ ପରିକଳ୍ପନାର ସଫଳ ରୂପାୟନ ଦେବା ଲାଗି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଦ୍ୱାରା ତଥା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧୀନରେ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯାଇଛି। ଫିନିସିଙ୍ଗ୍ ସ୍କୁଲ ଢାଞ୍ଚାରେ ପରିଚାଳିତ ଏହି କେନ୍ଦ୍ରରେ ଶିଳ୍ପ ଉପଯୋଗୀ ତାଲିମ ନେଇ ଛାତ୍ରଙ୍କ ଭଳି ଛାତ୍ରୀମାନେ ସେମାନଙ୍କ ଦକ୍ଷତାକୁ ଆଉ ଏକ ଉଚ୍ଚତାକୁ ନେଇପାରୁଛନ୍ତି।

ପ୍ରଥମ ବ୍ୟାଚ ୨୦୨୦-୨୧ରେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୬ ଜଣ ଛାତ୍ରୀ ତାଲିମ ପାଇଁ ନାମ ଲେଖାଇଥିଲେ। ସେହିପରି ଦ୍ୱିତୀୟ ବ୍ୟାଚ ୨୦୨୧-୨୨ରେ ୧୫୭, ତୃତୀୟ ବ୍ୟାଚ ୨୦୨୨-୨୩ରେ ୨୬୨ ଏବଂ ଚତୁର୍ଥ ବ୍ୟାଚ ୨୦୨୩-୨୪ରେ ୩୪୨ ଜଣ ଛାତ୍ରୀ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ବିଷୟରେ ତାଲିମ ନେଉଛନ୍ତି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଓ ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗ ଅଧୀନରେ ମୋଟ ୭ଟି ବିଷୟରେ ତାଲିମ ପାଠ୍ୟକ୍ରମ ଦିଆଯାଉଛି। ଏହାସହ ଛାତ୍ରଛାତ୍ରୀଙ୍କ ଦକ୍ଷତାକୁ ବ୍ୟାପକ କରିବା ପାଇଁ ‘ଜୀବନ କୌଶଳ’ କାର୍ଯ୍ୟକ୍ରମ ଅଧୀନରେ ଯୋଗାଯୋଗ ଦକ୍ଷତା, କମ୍ପ୍ୟୁଟର ଓ ଡିଜିଟାଲ ପ୍ରୟୋଗ, ବ୍ୟକ୍ତିତ୍ୱ ବିକାଶ ଏବଂ ଉଦ୍ୟୋଗ ବିକାଶ ଭଳି ତାଲିମ ଦିଆଯାଉଛି।

‘‘ବର୍ତ୍ତମାନର ପ୍ରତିଯୋଗିତାମୂଳକ ଦୁନିଆରେ ଯୋଗାଯୋଗ ଦକ୍ଷତା ନିହାତି ଜରୁରୀ। ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଆସିବା ପରେ ମୋର ଏହି ଦକ୍ଷତା ବଢ଼ିଛି। ବିଭିନ୍ନ ଲୋକଙ୍କ ସାଙ୍ଗରେ ଇଂଲିସରେ କଥାବାର୍ତ୍ତା କରିବାରେ ଯେଉଁ ସମସ୍ୟା ରହିଥିଲା ତାହା ଧୀରେ ଧୀରେ ଦୂର ହେଉଛି’’, କହିଛନ୍ତି ଇଲେକ୍ଟ୍ରିକାଲ ଟେକ୍ନୋଲୋଜିରେ ତାଲିମ ନେଉଥିବା ନବରଙ୍ଗପୁରର ସରସ୍ୱତୀ ଦୋରା।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କୁ ବିଦେଶ ଅନୁଭୂତି ଦେବା ଲାଗି ପ୍ରତିବର୍ଷ ୪୦ ଜଣ ଛାତ୍ରଛାତ୍ରୀଙ୍କୁ ୨ ସପ୍ତାହ ପାଇଁ ସିଙ୍ଗାପୁର ପଠାଯାଉଛି। ସେହିପରି ୬ ମାସିଆ ପେଡ୍ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମରେ ୨୪ ଜଣଙ୍କୁ ବଛାଯାଇ ସିଙ୍ଗାପୁର ପଠାଯାଉଛି। ସେହିପରି ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ଦିଆଯାଉଥିବା ‘ପ୍ଲେସମେଣ୍ଟ’ କାର୍ଯ୍ୟକ୍ରମରେ ଛାତ୍ରୀମାନେ ଭାଗନେଇ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର କମ୍ପାନିରେ ନିଯୁକ୍ତି ପାଉଛନ୍ତି।

Tags: #WorldSkillCenter #SkillDevelopment #Careers #Employment #SkilledinOdisha #ବିଶ୍ୱଦକ୍ଷତାକେନ୍ଦ୍ର #ଦକ୍ଷତାବିକାଶ

Comment