ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏକ ଅତ୍ୟାଧୁନିକ କ୍ୟାନ୍‌ସର ହସ୍ପିଟାଲ୍‌‌ ସହ ଏକ ପାଲିଏଟିଭ୍ କେୟାର ସେଣ୍ଟର ପ୍ରତିଷ୍ଠା ଲାଗି ୩୪୦ କୋଟି ଟଙ୍କା ଦାନ ଘୋଷଣା କରି ସୋମବାର ଦିନ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଓ ସୁସ୍ମିତା ବାଗ୍‌ଚୀ ନ୍ୟୁଜ୍‌ ହେଡ୍‌ଲାଇନ୍‌ରେ ଆସିଥିଲେ। ଏହି ଅର୍ଥରେ ଭୁବନେଶ୍ୱରର ଇନ୍‌ଫୋ ଭ୍ୟାଲିରେ ୨୦ ଏକର ଜାଗାରେ ନିର୍ମିତ ହେବ ‘ବାଗ୍‌ଚୀ ଶ୍ରୀ ଶଙ୍କର କ୍ୟାନ୍‌ସର ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର’। ସେହିପରି ଆଉ ୨୦ ଏକର ଜମିରେ ହେବ ‘ବାଗ୍‌ଚୀ କରୁଣାଶ୍ରୟ ପାଲିଏଟିଭ୍‌ କେୟାର ସେଣ୍ଟର’। ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ମାଗଣାରେ ୪୦ ଏକର ଜମି ଯୋଗାଇ ଦେବେ।

‘‘ବର୍ତ୍ତମାନ କ୍ୟାନ୍‌ସର ବା କର୍କଟ ରୋଗ ଏକ ବଡ଼ ସମସ୍ୟା ରୂପେ ଉଭା ହୋଇଛି। ଓଡ଼ିଶାରେ ୧ ଲକ୍ଷ ୨୦ ହଜାରରୁ ଅଧିକ କ୍ୟାନ୍‌ସର ରୋଗୀ ଅଛନ୍ତି। ପ୍ରତିବର୍ଷ ପାଖାପାଖି ୬୦ ହଜାର ଲୋକ କ୍ୟାନ୍‌ସରେ ପୀଡ଼ିତ ହେଉଛନ୍ତି। ବର୍ତ୍ତମାନ ସମୟରେ ବି ଗାଁ ଗହଳରେ ଲୋକେ କ୍ୟାନସର ରୋଗ ବିଷୟରେ ଏତେଟା ଅବଗତ ନୁହନ୍ତି। ମାରାତ୍ମକ କର୍କଟ ରୋଗ ସହ ଲଢ଼ିବାକୁ ହେଲେ ଆମ ସମସ୍ତଙ୍କୁ ଏକାଠି ହୋଇ କାମ କରିବାକୁ ପଡ଼ିବ’’, ସ୍ୱାସ୍ଥ୍ୟ ପ୍ଲସ୍‌କୁ କହିଛନ୍ତି ସୁବ୍ରତ ବାଗ୍‌ଚୀ।

କ୍ୟାନ୍‌ସର ପରି ଏକ ଜଟିଳ ରୋଗର ମୁକାବିଲା ଲାଗି ଡାକ୍ତର ଓ ନର୍ସଙ୍କ ଭଳି ସ୍ୱାସ୍ଥ୍ୟ କର୍ମୀମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାର ମୁକାବିଲା ପାଇଁ ଅତ୍ୟାଧୁନିକ ଭିତ୍ତିଭୂମିର ଆବଶ୍ୟକତା ରହିଛି। ଏହା ସହ ରୋଗର ନିରାକରଣ କରିବା ଆମ ସମାଜର ଦାୟିତ୍ୱ। କାରଣ ରୋଗକୁ ଜାଣିଲେ, ଏହାର ଶୀଘ୍ର ନିରୂପଣ କରିପାରିଲେ ଏବଂ ଆମ ଜୀବନଶୈଳୀରେ ପରିବର୍ତ୍ତନ କଲେ ହିଁ ଆମେ ଏହି ରୋଗରୁ ମୁକୁଳିପାରିବା ବୋଲି ବାଗ୍‌ଚୀ କହିଛନ୍ତି। ଏଥିପାଇଁ ଲୋକଙ୍କୁ ଅଧିକ ସଚେତନ ହେବାକୁ ପଡ଼ିବ। ଆମକୁ ଗାଁ ଗହଳକୁ ଯାଇ କ୍ୟାନ୍‌ସର ସ୍କ୍ରିନିଂ କରିବାକୁ ହେବ।

କେବଳ ଜଟିଳ ନୁହେଁ, କ୍ୟାନ୍‌ସର ମଧ୍ୟ ଏକ ବ୍ୟୟବହୁଳ ରୋଗ। ଏହାର ଚିକିତ୍ସା କରିବା ପାଇଁ ରୋଗୀଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ। ଏଥିପାଇଁ ଜଣେ କ୍ୟାନସର ରୋଗୀଙ୍କୁ ବର୍ଷକୁ ଅନ୍ତତଃ ଅଢ଼େଇରୁ ତିନି ଲକ୍ଷ ଖର୍ଚ୍ଚ କରିବାକୁ ପଡ଼ିଥାଏ। କେତେକ ପ୍ରକାର କ୍ୟାନସର ରୋଗ କୋଡ଼ିଏ ଲକ୍ଷରୁ ଅଧିକ ଟଙ୍କା ଲାଗିଥାଏ। ଏହି ରୋଗରେ ପିଡ଼ିତ ଲୋକଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ମଧ୍ୟ ଅର୍ଥ ଖର୍ଚ କରିୁଛନ୍ତି।

ସୁବ୍ରତ ବାଗ୍‌ଚୀ ଆହୁରି ମଧ୍ୟ କହିଛନ୍ତି, ‘‘କ୍ୟାନ୍‌ସର ରୋଗୀ କେବଳ ଶାରୀରିକ ଭାବେ ନୁହେଁ, ମାନସିକ ଭାବରେ ମଧ୍ୟ ଭାଙ୍ଗି ପଡ଼ିଥାନ୍ତି। ଏହି ସମୟରେ ସେମାନଙ୍କ ଯନ୍ତ୍ରଣା ଉପଶମ କରିବା ସହ ସହାନୁଭୂତି ଦେଇ ସେବା ସୁଶ୍ରୁଷା ପାଇଁ ପାଲିଆଟିଭ୍‌ କେୟାର ସେବାର ଆବଶ୍ୟକତା ପଡ଼ିଥାଏ। ପାଲିଆଟିଭ୍‌ କେୟାରରେ ଜଣେ ରୋଗୀ ସାଧାରଣତଃ ୧୪ ଦିନ ଧରି ରହିଥାଆନ୍ତି। ସେହି ୧୪ ଦିନ ପାଇଁ ପ୍ରତି ରୋଗୀ ପିଛା ପ୍ରାୟ ୪୫ ହଜାର ଟଙ୍କା ଖର୍ଚ ହୋଇଥାଏ। ତେଣୁ, ଆମକୁ କ୍ୟାନ୍‌ସରର ଚିକିତ୍ସା ସହ ପାଲିଆଟିଭ୍‌ କେୟାର ବ୍ୟବସ୍ଥା ମଧ୍ୟ କରିବାକୁ ପଡ଼ିବ।’’

କ୍ୟାନସର ଚିକିତ୍ସା ଓ ପାଲିଏଟିଭ କେୟାର କ୍ଷେତ୍ରରେ ଭୁବନେଶ୍ବରରେ ହେବାକୁ ଥିବା ଏହି ଅଙ୍କୋଲୋଜି କେନ୍ଦ୍ର ଆଗାମୀ ଦିନରେ ବିଶେଷ ଭୂମିକା ନେବ। ତେଣୁ କ୍ୟାନ୍‌ସରର ଚିକିତ୍ସା ଓ ଗବେଷଣା ଦିଗରେ ଆଗାମୀ ୫ ବର୍ଷ ମଧ୍ୟରେ ଓଡ଼ିଶା ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ସ୍ଥାନରେ ରହିବ ବୋଲି ସୁବ୍ରତ ବାଗ୍‌ଚୀ ଆଶା ପ୍ରକାଶ କରିଛନ୍ତି।

ବେଙ୍ଗାଳୁରର ଶ୍ରୀ ଶଙ୍କର କ୍ୟାନ୍‌ସର ହସ୍ପିଟାଲ କର୍କଟ ଚିକିତ୍ସା ଲାଗି ଦେଶର ଏକ ଜଣାଶୁଣା କେନ୍ଦ୍ର। ଏହା ୨୫ ପ୍ରତିଶତ ରୋଗୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ଯୋଗାଇ ଦେଇଥାଏ। ସେହିପରି ସେଠାରେ ଆଉ ୨୫ ପ୍ରତିଶତ ରୋଗୀ ସେମାନଙ୍କ ସାଧ୍ୟ ଅନୁଯାୟୀ ଟଙ୍କା ଦେଇଥାନ୍ତି। ବାକି ୫୦ ପ୍ରତିଶତ ରୋଗୀ ମୋଟ ଦେୟ ଦେଇ ଚିକିତ୍ସା କରାଇଥା’ନ୍ତି। ସାମର୍ଥ୍ୟ ଥିବା ରୋଗୀଙ୍କଠାରୁ ଆସୁଥିବା ପଇସାରେ ସେଠାରେ ଗରିବ ଶ୍ରେଣୀର ରୋଗୀଙ୍କର ସେବା କରାଯାଉଛି।

ଶ୍ରୀ ଶଙ୍କର କ୍ୟାନ୍‌ସର ହସ୍ପିଟାଲ ମଡେଲ୍‌ ବା ସୁବିଧା ଏବେ ଓଡ଼ିଶାର କ୍ୟାନ୍‌ସର ରୋଗୀଙ୍କ ପାଖରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛନ୍ତି ବାଗ୍‌ଚୀ ଦମ୍ପତି। ସେହି ଡାକ୍ତରଖାନା ସହ ମିଶି ଭୁବନେଶ୍ୱରରେ ତିଆରି ହେବ ବାଗ୍‌ଚୀ ଶ୍ରୀ ଶଙ୍କର କ୍ୟାନ୍‌ସର ହସ୍ପିଟାଲ। କ୍ୟାନସର ଚିକିତ୍ସା ଓ ଗବେଷଣା ପାଇଁ ଆଗାମୀ ଦିନରେ ଏହା ଦେଶର ଏକ ଆଗଧାଡ଼ିର କେନ୍ଦ୍ର ଭାବେ ତିଆରି ହେବ।

ଏହାସହ ୨୦ ଏକର ଜାଗାରେ ବାଗ୍‌ଚୀ କରୁଣାଶ୍ରୟ ପାଲିଏଟିଭ୍‌ କେୟାର ସେଣ୍ଟର ପ୍ରତିଷ୍ଠା ହେବ। ଏଠାରେ ସବୁ ରୋଗୀଙ୍କୁ ମାଗଣାରେ ସେବା ମିଳିବ। ସେଠାରେ ହସ୍ପିଟାଲ ବ୍ଲକ୍‌ ସହ ତାଲିମ୍‌ କେନ୍ଦ୍ର, ଡାକ୍ତର ଓ ନର୍ସଙ୍କ ରହିବା ବ୍ୟବସ୍ଥା ଏବଂ ଅଡିଟୋରିୟମ୍‌ ଆଦି ବ୍ୟବସ୍ଥା ରହିବ। ସେଠାରେ ସେବା ସହ ତାଲିମ ଲାଗି କାର୍ଯ୍ୟକ୍ରମ ରଖାଯିବ।

ଏହି ଦୁଇଟି ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍‌ରେ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି କ୍ୟାନ୍‌ସର ଚିକିତ୍ସା କେନ୍ଦ୍ର ୨୦୨୪ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ସରକାରୀ ଓ ଘରୋଇ ସହଭାଗିତାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଓଡ଼ିଶାରେ ଏହା ସର୍ବବୃହତ୍ତ ପ୍ରକଳ୍ପ ଭାବେ ପରିଚିତ ହେବ। ସେହିପରି ଜାତୀୟ ସ୍ତରରେ ମଧ୍ୟ ଏହା ଆଗାମୀ ଦିନରେ ବିଶେଷ ଗୁରୁତ୍ୱ ବହନ କରିବା।

ସୌଜନ୍ୟ: ସ୍ୱାସ୍ଥ୍ୟ ପ୍ଲସ

ଓଡ଼ିଶାରେ ଗରିବ ଲୋକଙ୍କୁ ମାଗଣାରେ ଆଧୁନିକ କ୍ୟାନସର ଚିକିତ୍ସା ଓ ପାଲିଏଟିଭ କେୟାର ଯୋଗାଇଦେବା ଆମର ଲକ୍ଷ୍ୟ : ସୁସ୍ମିତା ବାଗ୍‌ଚୀ

Comment