ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରେ ପୁଣିଥରେ ମହିଳାଙ୍କ ପାଇଁ ପିଙ୍କ୍ ଅଟୋ ସେବା ଆରମ୍ଭ ହେବ। ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ନିର୍ଦ୍ଦେଶରେ ପରିବହନ ବିଭାଗ ସଚିବ ମଧୁସୂଦନ ପାଢ଼ୀ ପୋଲିସ କମିସନରଙ୍କୁ ଚିଠି ଲେଖିଛନ୍ତି। କିଛି ବର୍ଷ ଧରି ବନ୍ଦ ପଡ଼ିଥିବା ଏହି ଅଟୋ ସେବାକୁ ପୁଣିଥରେ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।। ୨୦୧୪ ମସିହା ଜୁନ ୨୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ପିଙ୍କ ଅଟୋ ସେବାର ଉଦ୍ଘାଟନ କରିଥିଲେ।

ଭୁବନେଶ୍ୱରରେ ରାତି ସମୟରେ ବହୁ କର୍ମଜୀବୀ ମହିଳା ଓ ଛାତ୍ରଛାତ୍ରୀ ଯିବା ଆସିବା କରୁଛନ୍ତି। ତେଣୁ ମହିଳାଙ୍କ ସୁରକ୍ଷା ପାଇଁ ଏହି ସେବା ଆରମ୍ଭ କରିବାକୁ ଚିଠିରେ ଉଲ୍ଲେକ୍ଷ ରହିଛି। ପିଙ୍କ ଅଟୋ ସେବା କାହିଁକି ବନ୍ଦ ହେଲା ତାହାର ସମୀକ୍ଷା କରି, ସେ ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇବାକୁ ବିଭାଗ ପକ୍ଷରୁ କୁହାଯାଇଛି।
ବିଭିନ୍ନ ସମୟରେ ମଦ୍ୟପାନ କରି ଅଟୋ ଚାଳକମାନେ ମହିଳା ଯାତ୍ରୀଙ୍କୁ ହଇରାଣ କରିବା ଘଟଣା ସାମ୍ନାକୁ ଆସିବାପରେ ଭୁବନେଶ୍ୱରରେ ପିଙ୍କ୍ ଅଟୋ ସେବା ଆରମ୍ଭ ହୋଇଥିଲା।

୨୦୧୩-୧୪ ବର୍ଷରେ ବହୁ ଅଟୋଚାଳକ ମହିଳାଙ୍କଠାରୁ ଚୋରି ଏବଂ ଖରାପ ବ୍ୟବହାର କରି ଗିରଫ ହୋଇଛନ୍ତି। ସେମାନଙ୍କ ଭିତରେ କିଛି ଅଟୋ ଚାଳକ ଭୁଲ୍ ପରିଚୟ ପତ୍ର ଦେଇ ଅଟୋ ଚଳାଉ ଥିବା ଦେଖିବାକୁ ମିଳିଥିଲା। ସରକାରଙ୍କ ପିଙ୍କ୍ ଅଟୋ ଚଳାଚଳ ନିଷ୍ପତ୍ତି ପରେ, କିଛି ଚାଳକଙ୍କ ପୁରୁଣା ରେକର୍ଡ ଦେଖି ସେମାନଙ୍କୁ ଅଟୋର ଦାୟିତ୍ୱ ଦିଆଯାଇଥିଲା। ଭଲ ପ୍ରଦର୍ଶନ ଯୋଗୁଁ କିଛି ଚାଳକଙ୍କୁ କମିସନରେଟ ପୋଲିସ ପକ୍ଷରୁ ପୁରସ୍କୃତ ମଧ୍ୟ କରାଯାଇଥିଲା। ଏଥିସହ ରେଳ ଷ୍ଟେସନ, ବିମାନ ବନ୍ଦର, ବସ୍ ଷ୍ଟାଣ୍ଡ ଓ କିଛି ନିର୍ଦ୍ଧିଷ୍ଟ ସ୍ଥାନରେ ସ୍ୱତନ୍ତ୍ର ପିଙ୍କ୍ ଅଟୋ ଷ୍ଟାଣ୍ଡ କରାଗଲା।

ଏତେସବୁ ପରେବି କାହିଁକି ଏହି ସେବା ବନ୍ଦ ହୋଇଗଲା ତାହା ସାଧାରଣରେ ଚର୍ଚ୍ଚା ହେଉଛି। ଅକ୍ଷୟ ସ୍ୱାଇଁ ନାମକ ଜଣେ ଅଟୋ ଚାଳକଙ୍କ କହିବା ଅନୁସାରେ, ଯଦିଓ ମହିଳାମାନଙ୍କ ପାଇଁ ଏହି ଅଟୋ ସେବା ଉଦ୍ଦିଷ୍ଟ ଥିଲା, ଖୁବ୍ କମ୍ ସଂଖ୍ୟକ ମହିଳା ଏଥିରେ ବସୁଥିଲେ। ଅତ୍ୟଧିକ କ୍ଷତି ହେବା କାରଣରୁ ପରେ ଏହି ଅଟୋରେ ପୁରୁଷମାନେ ଯାଇପାରିବେ ବୋଲି ଅନୁମତି ମିଳିଲା। କିନ୍ତୁ କିଛି ଫଳପ୍ରଦ ହେଲାନାହିଁ । ଶେଷରେ ବାଧ୍ୟ ହୋଇ ଏହି ସେବା ବନ୍ଦ କରାଗଲା।

ଅନ୍ୟପକ୍ଷରେ କମିସନରେଟ ପୋଲିସର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ପୁଣିଥରେ ପିଙ୍କ୍ ଅଟୋ ଚଳାଚଳ ପୂର୍ବରୁ ଏକ ସର୍ଭେ କରାଯାଉଛି। ଭୁବନେଶ୍ୱରର ଯେଉଁଠି ଏହାର ଆବଶ୍ୟକତା ଅଧିକ ପଡ଼ିବ, ସେହିଠାରେ ଏହି ଅଟୋ ବ୍ୟବହାର କରାଯିବ।

Comment