ଓଡ଼ିଶାଲାଇଭ୍ ବ୍ୟୁରୋ

ପିପିଲି ଉପନିର୍ବାଚନ ପାଇଁ ନିର୍ଦ୍ଧାରିତ ତାରିଖକୁ ପରିବର୍ତ୍ତନ କରାଯାଇଛି। ମେ’ ୧୩ ପରିବର୍ତ୍ତେ ମେ’ ୧୬ରେ ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ହେବ। ସେହିପରି ମେ’ ୧୯ ତାରିଖରେ ଭୋଟ୍ ଗଣତି ହେବ। ଏନେଇ ଗୁରୁବାର ରାଜ୍ୟ ମୁଖ୍ୟ ନିର୍ବାଚନ କମିସନର ସୂଚନା ଦେଇଛନ୍ତି।

ମେ’ ୧୩ରେ ଇଦ୍-ଉଲ୍-ଫିତର ପଡୁଥିବାରୁ ଭୋଟ୍ ତାରିଖକୁ ଘୁଞ୍ଚାଯାଇଥିବା ନିର୍ବାଚନ କମିସନ କହିଛନ୍ତି। ମେ’ ୧୬ରେ ମତଦାନ ସରିବା ପରେ ମେ’ ୧୯ରେ ଭୋଟ୍ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ।

କରୋନା ପାଇଁ ନିର୍ବାଚନକୁ କୋଭିଡ କଟକଣା ମଧ୍ୟରେ ଆୟୋଜନ କରିବାକୁ କୁହାଯାଇଛି। ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ କରାଯାଉଥିବା ବେଳେ ଏବେ ତାହାକୁ ୭୨ ଘଣ୍ଟା କରାଯାଇଛି। ତେଣୁ ମେ’ ୧୩ ତାରିଖ ସନ୍ଧ୍ୟା ସୁଦ୍ଧା ପ୍ରାର୍ଥୀମାନେ ପ୍ରଚାର ବନ୍ଦ କରିବେ। ସେହିପରି କୌଣସି ବି ସ୍ଥାନରେ ରାଜନୈତିକ ସଭା କିମ୍ଵା ସମାବେଶ ହୋଇପାରିବ ନାହିଁ। କେବଳ ଭର୍ଚୁଆଲ ମାଧ୍ୟମରେ ପ୍ରଚାର କାର୍ଯ୍ୟ ହେବ ବୋଲି ନିର୍ବାଚନ କମିସନ ଗାଇଡଲାଇନରେ ସ୍ପଷ୍ଟ କରିଛନ୍ତି।

ପ୍ରାଥମିକ ଘୋଷଣା ଅନୁସାରେ ଏପ୍ରିଲ ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ହୋଇଥାନ୍ତା। କିନ୍ତୁ ଏହା ପୂର୍ବରୁ ପିପିଲି ଆସନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ କରୋନାରେ ଦେହାନ୍ତ ହୋଇଥିଲା। ତେଣୁ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ଏହାପରେ ମେ’ ୧୩ରେ ଭୋଟ୍ ହେବା ନେଇ ସାନି ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିସନ।

Comment