ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ବ୍ୟକ୍ତିଙ୍କ ପାଇଁ ଜାରି ହୋଇଥିବା କ୍ଵାରେଣ୍ଟାଇନ୍ ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ପଶ୍ଚିମବଙ୍ଗ ଫେରନ୍ତା ଜଣେ ଲୋକ ଯଦି ଦୁଇଟି ଡୋଜ୍ କୋଭିଡ୍ ଟିକା ନେଇଥିବାର ପ୍ରମାଣପତ୍ର କିମ୍ବା ୪୮ ଘଣ୍ଟା ପୂର୍ବର ଆର୍‌ଟିପିସିଆର୍ ନେଗେଟିଭ୍ ରିପୋର୍ଟ ଦେଖାଇବେ ତେବେ ତାଙ୍କୁ ୧୪ ଦିନ ବଦଳରେ ୭ ଦିନ କ୍ଵାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ।

ସେ ଚାହିଁଲେ ନିଜ ଘରେ ମଧ୍ୟ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିପାରିବେ। ଏନେଇ ଶନିବାର ସ୍ଵତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି।ତେବେ ଟିକା ନେଇ ନଥିବା କିମ୍ଵା କୋଭିଡ୍ ନେଗେଟିଭ୍ ରିପୋର୍ଟ ନଥିବା ବ୍ୟକ୍ତିମାନଙ୍କ ପାଇଁ ପୂର୍ବର ନିୟମ ବଳବତ୍ତର ରହିବ। ଅର୍ଥାତ୍ ସେମାନେ ୧୪ ଦିନିଆ ବାଧ୍ୟାତମୂଳକ କ୍ଵାରେଣ୍ଟାଇନ୍‌ରେ ରହିବେ। ସରକାରଙ୍କ ଦ୍ଵାରା ହୋଇଥିବା କ୍ଲଷ୍ଟର କ୍ଵାରେଣ୍ଟାଇନ୍ ସେଣ୍ଟର କିମ୍ଵା ପେଡ୍ କ୍ଵାରେଣ୍ଟାଇନ୍‌ରେ ସେମାନେ ରହିପାରିବେ ବୋଲି ଏସଆରସି ସ୍ପଷ୍ଟ କରିଛନ୍ତି।

ପଶ୍ଚିମବଙ୍ଗରେ କରୋନାର ଟ୍ରିପଲ୍ ମ୍ୟାଟାଣ୍ଟ ଚିହ୍ନଟ ହେବା ପରେ ବେଙ୍ଗଲ ଫେରନ୍ତାଙ୍କ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ସେଠାରୁ ଓଡ଼ିଶା ଫେରିଲେ ୧୪ ଦିନ ପାଇଁ ସଙ୍ଗରୋଧରେ ରହିବାକୁ ପଡ଼ିବ ବୋଲି ରାଜ୍ୟ ସରକାର ନିୟମ ଜାରି କରିଥିଲେ। ହେଲେ ଏବେ ଏହି ନିୟମକୁ ସାମାନ୍ୟ କୋହଳ କରାଯାଇଛି।

Comment