ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ କରୋନା ଟିକା ପ୍ରସ୍ତୁତିରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ସିରମ ଇନ୍‌ଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲାଙ୍କୁ ମିଳିବ ‘ୱାଇ’ ସୁରକ୍ଷା। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏଥିରେ ପୁନାୱାଲାଙ୍କୁ ୧୧ଜଣ ସୁରକ୍ଷା କର୍ମୀ ସୁରକ୍ଷା ଯୋଗାଇ ଦେବେ।

ପୁନେ ସ୍ଥିତ ସିରମ ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ପ୍ରକାଶ କୁମାର ସିଂ, ଏପ୍ରିଲ ୧୬ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଏକ ଚିଠି ଲେଖିଥିଲେ। ସେହି ଚିଠି ମାଧ୍ୟମରେ ସେ ପୁନାୱାଲାଙ୍କୁ ସୁରକ୍ଷା ଦେବା ପାଇଁ ଅନୁରୋଧ କରିଥିଲେ। ସେ ଆଉ ମଧ୍ୟ ଲେଖିଥିଲେ, ବିପଦ ସମୟରେ କୋଭିଡ୍ ମହାମାରୀ ବିରୋଧରେ ଲଢ଼ିବା ପାଇଁ ଆମେ କେନ୍ଦ୍ର ସରକାରଙ୍କ କାନ୍ଧରେ କାନ୍ଧ ମିଶାଇ କାର୍ଯ୍ୟ କରୁଛୁ। କିନ୍ତୁ ଏହି ଟିକା ଯୋଗାଣକୁ ନେଇ ବିଭିନ୍ନ ଗୋଷ୍ଠୀ ପୁନାୱାଲାଙ୍କୁ ଧମକ ଦେଉଛନ୍ତି।

ସିଇଓ ଆଦର ପୁନାୱାଲାଙ୍କ ପ୍ରତି କିଛି ବିପଦ ଅଛି କି ନାହିଁ ତା’ର ସମୀକ୍ଷା କରିବାପରେ, ତାଙ୍କୁ ‘ୱାଇ’ ସୁରକ୍ଷା ଯୋଗାଇ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ମହାମାରୀ ସମୟରେ ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଭାରତ ସମେତ ଅନେକ ଦେଶକୁ କୋଭିଡ୍ ଟିକା ଯୋଗାଉଛି। ୧୮ରୁ ୪୪ବର୍ଷ ବ୍ୟୟସ୍କଙ୍କ ପାଇଁ କୋଭିସିଲ୍ଡ ଟିକାର ଦାମ୍ ୪୦୦ଟଙ୍କା ରହିଥିବାବେଳେ, ଏବେ ତାହା ୩୦୦ଟଙ୍କାରେ ମିଳିବ ବୋଲି କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି।‘ୱାଇ’ ବର୍ଗର ସୁରକ୍ଷା କ’ଣ?

କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ପ୍ରକାର ସୁରକ୍ଷା ମଧ୍ୟରୁ ତୃତୀୟ ସ୍ତରରେ ରହିଛି ‘ଓ୍ଵାଇ’ ବର୍ଗର ସୁରକ୍ଷା। କମ୍ ବିପଦ ଥିବା ଲୋକମାନଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯାଏ। ଏଥିରେ ପାଖାପାଖି ୧୧ ଜଣ ସୁରକ୍ଷାକର୍ମୀ ସାମିଲ ହୋଇଥାନ୍ତି। ଏହି ସୁରକ୍ଷାକର୍ମୀଙ୍କ ମଧ୍ୟରେ ଦୁଇ ଜଣ ପିଏସ୍‌ଓ ବା ବ୍ୟକ୍ତିଗତ ସିକ୍ୟୁରିଟି ଗାର୍ଡ ରହିଥାନ୍ତି। ଅନ୍ୟ ସୁରକ୍ଷା ବର୍ଗ ଅପେକ୍ଷା ଦେଶରେ ସବୁଠୁ ଅଧିକ ଲୋକଙ୍କୁ ‘ଓ୍ଵାଇ’ ଶ୍ରେଣୀର ସୁରକ୍ଷା ପ୍ରଦାନ କରାଯାଇଛି।

କାହାକୁ ଦିଆଯାଏ?

ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଧାୟକ, ପ୍ରଶାସନିକ ଅଧିକାରୀ, ଜଜ୍, ପୂର୍ବତନ ଜଜ୍, ବ୍ୟବସାୟୀ, କ୍ରିକେଟର, ଫିଲ୍ମ କଳାକାରଙ୍କ ଭଳି ସମାଜର ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଜୀବନ ପ୍ରତି ବିପଦ ରହିଥିଲେ, ତାହାର ସମୀକ୍ଷା କରି ସେମାନଙ୍କୁ ‘ୱାଇ’ ବର୍ଗର ସୁରକ୍ଷା ଯୋଗାଇ ଦିଆଯାଇଥାଏ ।

Comment