ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସରକାରଙ୍କ ପକ୍ଷରୁ ଦଶମ ଶ୍ରେଣୀ ପରୀକ୍ଷା ବାତିଲ କରାଯିବା ପରେ ଯୁକ୍ତ ଦୁଇ ପରୀକ୍ଷା ମଧ୍ୟ ବାତିଲ କରିବା ପାଇଁ ଗୋଟିଏ ଗୋଷ୍ଠୀର ଛାତ୍ରଛାତ୍ରୀ ଦାବି କରୁଛନ୍ତି। କରୋନା ସଂକ୍ରମଣ ଦିନକୁ ଦିନ ବଢ଼ି ଚାଲିଥିବା ହେତୁ ଦଶମ ଶ୍ରେଣୀ ପରୀକ୍ଷା କରାଯିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଯୁକ୍ତ ଦୁଇ ପରୀକ୍ଷା ବାତିଲ ହେଲେ ଆଗକୁ ପିଲାଙ୍କ କ୍ୟାରିଅର ଉପରେ ଏହା ଖରାପ ପ୍ରଭାବ ପକାଇବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ଆଗାମୀ ସମୟ ପାଇଁ ପଢାପଢି ଜାରି ରଖିବା ସହ ଭବିଷ୍ୟତ କେମିତି ସୁରକ୍ଷିତ ରଖିବା ପାଇଁ ହେବ ସେ ବିଷୟରେ ଛାତ୍ରଛାତ୍ରୀ ଚିନ୍ତା କରିବା ଦରକାର ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି। ପ୍ରକୃତ ଅସୁବିଧା ହେଉଛି ଯୁକ୍ତ ଦୁଇ ସ୍ତରରେ ଆଭ୍ୟନ୍ତରୀଣ ମୂଲ୍ୟାୟନ ବା ଇଣ୍ଟରନାଲ ଆସେସମେଣ୍ଟ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଯେଉଁମାନେ ପରୀକ୍ଷା ବାତିଲ ହେବା ଚାହୁଁଛନ୍ତି କ୍ୟାରିଅର ଗଠନ ପାଇଁ ସେମାନଙ୍କ ନିଘା ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।ଯୁକ୍ତ ଦୁଇ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ବାସୁଦେବ ଛାଟୋଇ କହିଛନ୍ତି ଯେ କରୋନା ପାଇଁ ଜୀବନକୁ ବିପଦରେ ପକାଇ ପରୀକ୍ଷା କେନ୍ଦ୍ରକୁ ଆସିବା ପାଇଁ ସରକାର ଏପର୍ଯ୍ୟନ୍ତ କହି ନାହାନ୍ତି। ଏବେ ଦେଶରେ ଏକ ଅଭୂତପୂର୍ବ ସଙ୍କଟ ସୃଷ୍ଟି ହୋଇଛି। ଏଣୁ ଛାତ୍ରଛାତ୍ରୀ ଜୁନ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବା ଦରକାର।

ଯୁକ୍ତ ଦୁଇ ପରୀକ୍ଷା ବନ୍ଦ କରିବା ପାଇଁ କିଛି ଛାତ୍ରଛାତ୍ରୀ ନିକଟରେ ରାଜରାସ୍ତାକୁ ଓହ୍ଲାଇଥିଲେ। ଛାଟୋଇ ଏକଥା ମଧ୍ୟ କହିଛନ୍ତି ଯେ କିଛି ପିଲାଙ୍କ କଥାରେ ପଡ଼ି ସରକାର ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବା ଠିକ ହେବନାହିଁ। ପ୍ରତି ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟରେ ଚାରି ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଦେଇଥାନ୍ତି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ପରୀକ୍ଷା ନିୟନ୍ତ୍ରକ ପ୍ରବୋଧ ପଣ୍ଡାଙ୍କ କହିବା ଅନୁଯାୟୀ, ଦଶମ ଶ୍ରେଣୀ ଓ ଦ୍ୱାଦଶ ଶ୍ରେଣୀ ଏକା କଥା ନୁହେଁ ଓ ଏ ଦୁଇଟିକୁ କଦାପି ତୁଳନା କରା ଯାଇପାରିବ ନାହିଁ। ଦଶମ ଶ୍ରେଣୀ ପିଲାଙ୍କର ଗୋଟିଏ ନିର୍ଦ୍ଦିଷ୍ଟ ସିଲାବସ ରହିଛି। କିନ୍ତୁ ଯୁକ୍ତ ଦୁଇ ସ୍ତରରେ ବିଭିନ୍ନ ପାଠ୍ୟକ୍ରମ ରହିଛି। ଯୁକ୍ତ ଦୁଇ ପରେ ପିଲା ବିଭିନ୍ନ ରାସ୍ତାରେ ଯାଇଥାନ୍ତି। ସୁତରାଂ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଯାହା ହେବ ଦ୍ୱାଦଶ ପିଲାଙ୍କ ପାଇଁ ତାହା କଲେ ସେମାନଙ୍କ ଭବିଷ୍ୟତ ଅନିଶ୍ଚିତ ହୋଇ ପଡ଼ିବ।

ତେଣୁ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ ନକରି ବରଂ ବିଳମ୍ବରେ କରାଯାଉ ବୋଲି ପ୍ରବୋଧ ପଣ୍ଡା ମତ ରଖିଛନ୍ତି।

Comment