ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରସ୍ଥିତ କଳିଙ୍ଗ ନଗର ଘାଟିକିଆଠାରେ ମଙ୍ଗଳବାର ଉଦ୍‌ଘାଟିତ ହୋଇଛି ଭିନ୍ନକ୍ଷମ ଭିକାରିମାନଙ୍କ ପାଇଁ ସ୍ୱତନ୍ତ୍ର ପୁନର୍ବାସ କେନ୍ଦ୍ର। କୋଭିଡ କଟକଣାକୁ ମାନି ଆୟୋଜିତ ଏକ ଉତ୍ସବରେ ଏହି କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ଏହି ଅବସରରେ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚଉଧାରୀ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଉପସ୍ଥିତ ରହି ଏହି କେନ୍ଦ୍ରର ଆବଶ୍ୟକତା ଏବଂ ଭୁବନେଶ୍ୱରରେ ଏହାର ଉପଲବ୍‌ଧି ବାବଦରେ ବୁଝାଇଛନ୍ତି।

ରାଜଧାନୀ ଭୁବନେଶ୍ୱର ଦେଶର ଏକ ନମ୍ବର ସ୍ମାର୍ଟସିଟି ଭାବେ ପରିଚୟ ହାସଲ କରିଥିବାବେଳେ ଅନ୍ତର୍ଭୁକ୍ତିକରଣ ବିକାଶ ନୀତି ଏବଂ ଶିଶୁବନ୍ଧୁ ସହର ଭାବେ ଏହି ସ୍ମାର୍ଟସିଟି ପ୍ରକଳ୍ପର ନମୁନା ଦୃଷ୍ଟାନ୍ତଯୋଗ୍ୟ। ଗତ ୫ ବର୍ଷ ମଧ୍ୟରେ ଭୁବନେଶ୍ୱରରେ ଥିବା ବାସହୀନଙ୍କ ଆଶ୍ରୟସ୍ଥଳୀରେ ଉନ୍ନତି ଆସିବା ସହିତ ଅନ୍ୟ ସମ୍ବେଦନଶୀଳ ବର୍ଗମାନଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଦିନକୁ ଦିନ ନୂଆ ନୂଆ ପଦକ୍ଷେପ ନିଆଯାଉଛି। ଏହି ସଂକ୍ରାନ୍ତରେ ଗତ କିଛି ମାସ ତଳେ ସହରରେ ଭିକ୍ଷା ବୃତ୍ତି କରୁଥିବା ଭିନ୍ନକ୍ଷମ, ମା’ ଓ ଶିଶୁ ଏବଂ ମାନସିକ ଭିନ୍ନକ୍ଷମମାନଙ୍କ ପାଇଁ ସ୍ୱତନ୍ତ୍ର ପୁନର୍ବାସ କେନ୍ଦ୍ର କରାଇବାକୁ ଓଡ଼ିଶା ସରକାର ଅନୁମତି ଦେଇଥିଲେ।

ଭିନ୍ନକ୍ଷମମାନଙ୍କ କଲ୍ୟାଣ ନିମନ୍ତେ ସରକାରଙ୍କର ସ୍ୱତନ୍ତ୍ର ବିଭାଗ(ଏସ୍ଏସ୍ଇପିଡି) ଏଥିପାଇଁ ଅନୁଦାନ ଦେଇଛନ୍ତି ଏବଂ ସାମାଜିକ ସଂଗଠନ ଓଡ଼ିଶା ପତିତାଉଦ୍ଧାର ସମିତି (ଓପସ୍‌) ସହଯୋଗରେ ଏହି କେନ୍ଦ୍ରର ପରିଚାଳନା କରାଯିବାକୁ ପ୍ରକ୍ରିୟାଗତ ନିଷ୍ପତି ନିଆଯାଇଅଛି। ସଂଗଠନର ମୁଖ୍ୟା ଆଭାରାଣୀ ଚୌଧୁରୀଙ୍କ କହିବା ଅନୁଯାୟୀ ଉଦଘାଟନ ପରେ ତିନି ଜଣ ଅନ୍ତେବାସୀ ଏହି କେନ୍ଦ୍ରରେ ରହିଛନ୍ତି।

୧୦୦ ଜଣ ରହିବା ଭଳି ସୁବିଧା ଥିବା ଏହି କେନ୍ଦ୍ରର ଅନ୍ୟାନ୍ୟ ସୁବିଧା ମଧ୍ୟରେ ଖାଦ୍ୟ, ପରିଧାନ, ସରକାରୀ ସ୍ୱାସ୍ଥ୍ୟସେବା ଇତ୍ୟାଦି ଅନ୍ତର୍ଭୁକ୍ତ। ପରିଚାଳନା ଭାର ନେଇଥିବା ଓପସ୍ ସାମାଜିକ ସଂଗଠନ ଏହାର ମାସିକ ଏବଂ ଅନ୍ୟାନ୍ୟ ନିୟମିତ ସମୀକ୍ଷାର ନିୟମକୁ ମାନି ସହଭାଗୀତା ମୂଳକ କାର୍ଯ୍ୟ କରିବ ବୋଲି କହିଛନ୍ତି ସମ୍ପୃକ୍ତ ଡେପୁଟି କମିସନର କମଳାକାନ୍ତ ବେହେରା।

ଅନ୍ୟ ପକ୍ଷରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ନିକଟରେ ଆଉ ଦୁଇ ଗୋଟି ପୁନର୍ବାସ କେନ୍ଦ୍ର ହେବାକୁଯାଉଛି। ଏଥିରୁ ଗୋଟିକରେ ମା’ ଓ ଶିଶୁଙ୍କର କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଥିବାବେଳେ ଅନ୍ୟ ଗୋଟିଏ କେନ୍ଦ୍ର ବୟସ୍କଙ୍କ ନମନ୍ତ୍ରେ କରାଯିବ। ତେବେ ଏହି କେନ୍ଦ୍ରଗୁଡ଼ିକ ସ୍ୱତନ୍ତ୍ର ଭାବେ ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତିଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ। ବିଏମ୍‌ସି ଅଞ୍ଚଳରେ ସମୁଦାୟ ୮ ଗୋଟି ସହରାଞ୍ଚଳ ଆଶ୍ରୟସ୍ଥଳୀ ରହିଥିବା ବେଳେ ସ୍ୱତନ୍ତ୍ର ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଭିକାରି ଥଇଥାନ କେନ୍ଦ୍ର ରାଜଧାନୀର ଅନ୍ତର୍ଭୁକ୍ତିକରଣ ବିକାଶ ନୀତିକୁ ଆଗେଇନେବ ଏବଂ ଏଥିରେ ନାଗରିକ ତଥା ବିବିଧ ଅନୁଷ୍ଠାନର ସହଯୋଗ କାମନା କରିଛନ୍ତି ମହାନଗର ନିଗମ କର୍ତୃପକ୍ଷ।

Comment