ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଦ୍ୱିତୀୟ ଲହର କୋଭିଡ୍ ସଂକ୍ରମଣ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଏବେ ସତର୍କ ଓ ସଚେତନ ରହିବାର ବେଳ ଆସି ପହଞ୍ଚିଛି। ସ୍ୱଳ୍ପ ଲକ୍ଷଣ କିମ୍ବା ଲକ୍ଷଣ ନଥିବା ବ୍ୟକ୍ତି ହୋମ କ୍ୱାରେଣ୍ଟାଇନରେ ରହିବା ସମୟରେ ଯଦି ଶରୀରରୁ ଅମ୍ଲଜାନର ମାତ୍ରା କମିଯାଉଛି, ତେବେ ସେମାନେ କେଉଁ ଉପାୟରେ ନିଜକୁ ସୁରକ୍ଷା ଦେବେ, ସେ ସମ୍ପର୍କରେ ଆକ୍ରାନ୍ତଙ୍କୁ ପରାମର୍ଶ ଦେଇଛନ୍ତି ଏସଆଇଏଚଏଫଡବ୍ଲୁର ନିର୍ଦ୍ଦେଶକ ଡାକ୍ତର ଅମରେନ୍ଦ୍ର ନାଥ ମହାନ୍ତି।
ଜନସାଧାରଣ କରୋନା ମହାମାରୀକୁ ନ ଡରି କିଭଳି ସାହସର ସହ ସାମ୍ନା କରିବେ, ସେନେଇ ପ୍ରତିଦିନ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୋଭିଡ୍ ସଚେତନତା ପରାମର୍ଶ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଆଜିର କୋଭିଡ୍ ସଚେତନ କାର୍ଯ୍ୟକ୍ରମରେ ଡାକ୍ତର ଅମରେନ୍ଦ୍ର ନାଥ ମହାନ୍ତି କୋଭିଡ୍କୁ ନେଇ ଲୋକମାନଙ୍କ ମନରେ ସୃଷ୍ଟି ହୋଇଥିବା କିଛି ପ୍ରଶ୍ନର ଉତ୍ତର ରଖିଛନ୍ତି।
ହୋମ କ୍ୱାରେଣ୍ଟାଇନରେ ଥିବା ସମୟରେ ଶରୀରରୁ ଅମ୍ଲଜାନର ମାତ୍ରା କମିଗଲେ କ’ଣ କରିବ?
ପ୍ରଥମେ ତଳେ ମୁହଁ ମାଡ଼ି କିମ୍ବା ପେଟ ମାଡ଼ି ଶୁଅନ୍ତୁ। ଏହାକୁ ପର୍ଯ୍ୟାୟକ୍ରମେ ପରିବର୍ତ୍ତ ମଧ୍ୟ କରନ୍ତୁ। ଯେମିତିକି ମୁହଁ ମାଡ଼ି ଶୋଇବାର କିଛି ସମୟ ପରେ ବାମ କଡ଼ ମାଡ଼ି ଶୁଅନ୍ତୁ, ପରେ ଡାହାଣ କଡ଼ ଏବଂ ଶେଷରେ କିଛି ସମୟ ଦର ଆଉଜା ଅବସ୍ଥାରେ ବସିଲାପରେ ପୁଣିଥରେ ପେଟ ମାଡ଼ି ଶୁଅନ୍ତୁ। ଏଭଳି ବିଶ୍ରାମ ନେବା ଦ୍ୱାରା ଆପଣ ନିଜ ଘରେ ଥାଇ ମଧ୍ୟ ନିଜ ଶରୀରରେ ଅମ୍ଲଜାନର ମାତ୍ରାକୁ ବଢ଼ାଇପାରିବେ।
ଏହି ଉପାୟ ଆପଣାଇବା ଦ୍ୱାରା ଜଣେ ବ୍ୟକ୍ତି ହୋମ ଆଇସୋଲେସନରେ ଥାଇ ମଧ୍ୟ ନିଜକୁ ସୁସ୍ଥ ରଖିପାରିବେ। ଅନ୍ତତଃ ଡାକ୍ତରଖାନାରେ ପହଞ୍ଚିବା ପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କର କୌଣସି କ୍ଷତି ଘଟିବ ନାହିଁ କହିଛନ୍ତି ଡାକ୍ତର ଅମରେନ୍ଦ୍ର ନାଥ ମହାନ୍ତି।


















