ଓଡ଼ିଶାଲାଇଭ୍ ବ୍ୟୁରୋ
ମର୍ଡର, ଅପହରଣ, ସ୍ମଗ୍ଲିଂ, ଡ୍ରଗ୍ସ କାରବାରରେ ସାରା ବିଶ୍ୱକୁ ଥର ହର କରିଥିବା ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ ସିନେମା ଟିକେଟ ବ୍ଲାକରରୁ ଅପରାଧ ଜଗତର ବାଦଶାହ କେମିତି ପାଲଟିଥିଲା ଜାଣନ୍ତୁ ଏହି ରିପୋର୍ଟରୁ।
ସିନେମା ଟିକେଟ ବିକୁଥିଲା ଡନ୍
ମୁମ୍ବାଇର ତିଳକନଗର ଅଞ୍ଚଳରେ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲା ଛୋଟା ରାଜନ। ପିଲାଟି ବେଳରୁ ଅଭାବ ଅସୁବିଧାକୁ ଅତି ନିକଟରୁ ଦେଖିଥିବା ଛୋଟା ରାଜନ ମୁମ୍ବାଇରେ ସିନେମା ଟିକେଟ ବିକ୍ରି କରି ପରିବାର ଚଳାଉଥିଲା। ଏହାସହ ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ଛୋଟ ଛୋଟ ଡକାୟତି କରୁଥିଲା। ଏହିସବୁ କାମ କରିବା ଭିତରେ ସେତେବେଳେର ଗ୍ୟାଙ୍ଗଷ୍ଟର ବଡ଼ା ରାଜନ ସହ ଛୋଟା ରାଜନର ଦେଖା ହୋଇଥିଲା।
ଛୋଟା ରାଜନର ମେଣ୍ଟର ଥିଲା ବଡ଼ ରାଜନ
ବଡ଼ ରାଜନ ପାଖରୁ ହିଁ ଛୋଟା ରାଜନ ସିନେମା ଟିକେଟ ବ୍ଲାକ୍ କରିବାର କୌଶଳ ଶିଖିଥିଲା। ଫିଲ୍ମ ହଲ୍ ଆଗରେ ଛିଡ଼ା ହୋଇ ଛୋଟା ରାଜନ ସିନେମା ଟିକେଟକୁ ଅଧିକ ଦାମରେ ବିକ୍ରି କରୁଥିଲା। ହେଲେ ଏହି ଘଟଣାକୁ ନେଇ ଦିନେ ପୋଲିସ କନଷ୍ଟେବଳ ସହ ଛୋଟା ରାଜନର ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଛୋଟା ରାଜନ ପୋଲିସ କନଷ୍ଟେବଳଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଜେଲ୍ ଯାଇଥିଲେ। ଜେଲ୍ରୁ ମୁକୁଳିବା ପରେ ଛୋଟା ରାଜନ ୧୯୮୨ରେ ବଡ଼ ରାଜନ ଗ୍ୟାଙ୍ଗରେ ସକ୍ରିୟ ସଦସ୍ୟ ପାଲଟି ଯାଇଥିଲା।
ହଠାତ୍ ବଡ଼ ରାଜନକୁ କେହି ହତ୍ୟା କରିଥିବାର ଖବର ଆସିଲା। ଫଳରେ ବଡ଼ ରାଜନ ପାଖରେ ରହୁଥିବା ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ସେମାନେ କ’ଣ କରିବେ ସେନେଇ ଉପାୟଶୂନ୍ୟ ହୋଇଯାଇଥିଲେ। ଏହି ସମୟରେ ବଡ଼ ରାଜନର ସ୍ଥାନ ନେଇଥିଲା ନିକଲଜି। ନିକଲଜିଙ୍କ ନେତୃତ୍ୱରେ ଛୋଟା ରାଜନ, ଦାଉଦ ଇବ୍ରାହିମ୍ ଏବଂ ଅରୁଣ ଗୋୱାଲି ଏକାଠି କାମ କରୁଥିଲେ। ହେଲେ ପରେ ସମସ୍ତେ ଅଲଗା ହୋଇ ନିଜର ଗ୍ୟାଙ୍ଗ ଗଠନ କରିଥିଲେ।
ଦୁବାଇ ଫେରାର ହୋଇଯାଇଥିଲା ଛୋଟା ଡନ୍
ଡ୍ରଗ୍ସ ଡିଲ୍ ମାମଲାରେ ଅରୁଣ ଗୱାଲିର ବଡ଼ ଭାଇ ପାପା ଗୋୱାଲିର ହତ୍ୟା ହୋଇଥିଲା। ଏଥିରେ ଗ୍ୟାଙ୍ଗଷ୍ଟର ଦୁନିଆରେ ହଲଚଲ ସୃଷ୍ଟି ହୋଇଥିଲା। ଦୁଇ ଗ୍ୟାଙ୍ଗ ମଧ୍ୟରେ ହାତାହାତି ହୋଇଥିଲା। ଫଳରେ ଛୋଟା ରାଜନ ଏହି ସମୟରେ ଦୁବାଇ ଫେରାର ହୋଇଯାଇଥିଲା। ଦାଉଦ ଇବ୍ରାହିମ୍ ସହ ମିଶି ଛୋଟା ରାଜନ୍ ଅପରାଧ ଜଗତରେ କାୟା ବିସ୍ତାର କରିଥିଲେ। ଦିନ ଥିଲା ଦାଉଦ ଇବ୍ରାହିମର ଡାହାଣ ହାତ ଥିଲା ଛୋଟା ରାଜନ।
ଛୋଟା ରାଜନ-ଦାଉଦ ଛକାପଞ୍ଝା
ଅପରାଧ ଦୁନିଆରେ ବନ୍ଧୁତା ବେଶିଦିନ ତିଷ୍ଠେ ନାହିଁ। ଏହାର ପ୍ରମାଣ ହେଉଛନ୍ତି ଛୋଟା ରାଜନ ଏବଂ ଦାଉଦ ଇବ୍ରାହିମ୍। ବଡ଼ ରାଜନ ପାଖରୁ ଅପରାଧ ବିଦ୍ୟା ଶିଖିଥିବା ଦାଉଦ ଇବ୍ରାହିମ୍ ଏବଂ ଛୋଟା ରାଜନ ପରସ୍ପରଠାରୁ ଅଲଗା ହୋଇଥିଲେ। ଦାଉଦଠାରୁ ଅଲଗା ହେବା ପରେ ଛୋଟା ରାଜନ ନିଜେ ଗୋଟିଏ ଗ୍ୟାଙ୍ଗ ଗଠନ କରିଥିଲା। ଆଉ ଅପରାଧ ଜଗତରେ ବାଦଶାହ ହେବା ପାଇଁ ରାଜନ ଉଦ୍ୟମ କରିଥିଲା। ଏଣୁ ଦାଉଦକୁ ସବୁ କ୍ଷେତ୍ରରେ ମାତ୍ ଦେବା ପାଇଁ ରାଜନ ଗୋଟି ଚାଳନା କରୁଥିଲା।
୧୯୯୪ରେ ବ୍ୟାଙ୍କକର ଏକ ହୋଟେଲରେ ଦାଉଦର ପ୍ରମୁଖ ସହଯୋଗୀ ଫେଲୁ ଖାନ୍ ଏବଂ ଅହମ୍ମଦ ଖାନକୁ ରାଜନ ହତ୍ୟା କରିବାକୁ ପଛାଇ ନଥିଲା। ଫେଲୁ ଏବଂ ଅହମ୍ମଦ ୧୯୯୩ ମୁମ୍ବାଇ ବିସ୍ଫୋରଣରେ ସଂପୃକ୍ତ ଥିଲେ।

ଫେଲୁ ଏବଂ ଅହମ୍ମଦ ଖାନଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ଦାଉଦ ସୁଯୋଗ ଖୋଜୁଥିଲା। ୨୦୦୦ ମସିହାରେ ସହଯୋଗୀ ବିନୋଦ ଏବଂ ଏ ମିଶ୍ରାଙ୍କ ସହଯୋଗରେ ଦାଉଦ ଛୋଟା ରାଜନକୁ ବ୍ୟାଙ୍କକ୍ରେ ଠାବ କରିଥିଲା। ରାଜନକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ଦାଉଦ ଯୋଜନା ପ୍ରସ୍ତୁତ କରିଥିଲା। ରାଜନ ରହୁଥିବା ହୋଟେଲକୁ ଦାଉଦ ପିଜା ଡେଲିଭରି ବୟେ ଗେଟ୍ଅପ୍ରେ ଯାଇ ରାଜନକୁ ହତ୍ୟା ଉଦ୍ୟମ କରିଥିଲା। ହେଲେ ରାଜନ ଚାଲାକିରେ ଦାଉଦ ହାତରୁ ଖସି ଯାଇଥିଲା।
ଦାଉଦକୁ ଖବର ଦେଇଥିବା ବିନୋଦ ଏବଂ ସୁନିଲକୁ ଶେଷରେ ରାଜନ ହତ୍ୟା କରିଥିଲା। ଫଳରେ ଦାଉଦ ଏବଂ ରାଜନ ମଧ୍ୟରେ ଛକାପଞ୍ଝା ବଢ଼ିଥିଲା। ଦାଉଦ ରାଜନର ଜଣେ ଜଣେ ସହଯୋଗୀଙ୍କୁ ରାସ୍ତାରୁ ହଟାଉଥିବା ବେଳେ ରାଜନ ବି ଦାଉଦକୁ ବରବାଦ କରିବା ପାଇଁ ଜଘନ୍ୟ ଖେଳ ଖେଳୁଥିଲା।
ଇଣ୍ଡୋନେସିଆରୁ ଗିରଫ
୨୦୧୫ ଅକ୍ଟୋବର ୨୫ରେ ଇଣ୍ଡୋନେସିଆର ବାଲିରୁ ଗିରଫ ହୋଇଥିଲା ଡନ୍ ଛୋଟା ରାଜନ। ଅଷ୍ଟ୍ରେଲିଆ ପୋଲିସର ତଥ୍ୟ ଆଧାରରେ ଇଣ୍ଡୋନେସିଆ ପୋଲିସ ତାକୁ ଗିରଫ କରିଥିଲା। ସେ ସମୟରେ ଛୋଟା ରାଜନ ମୋହନ କୁମାର ନାଁରେ ଭାରତୀୟ ପାସପୋର୍ଟ ବାହାର କରି ଇଣ୍ଡୋନେସିଆରେ ଘୂରି ବୁଲୁଥିଲା। ଇଣ୍ଡୋନେସିଆ ପୋଲିସ ତାକୁ ସନ୍ଦେହରେ ଗିରଫ କରିଥିଲା।
ପୋଲିସ ଯେତେବେଳେ ଛୋଟା ରାଜନଙ୍କୁ ନାଁ ପଚାରିଥିଲେ ସେତେବେଳେ ସେ ନିଜକୁ ରାଜେନ୍ଦ୍ର ସଦାଶିବ ବୋଲି ପରିଚୟ ଦେଇଥିଲା। ହେଲେ ପାସପୋର୍ଟରେ ଆଉ ଗୋଟିଏ ନାଁ ଲେଖା ଯାଇଥିବାରୁ ପୋଲିସର ସନ୍ଦେହ ଆହୁରି ବଢ଼ିଥିଲା। ଫଳରେ ଛୋଟା ରାଜନକୁ ପ୍ରଶ୍ନବାଣରେ ଛନ୍ଦିଥିଲେ ଇଣ୍ଡୋନେସିଆ ପୋଲିସ ଅଧିକାରୀ। ଶେଷରେ ଛୋଟା ରାଜନ ନିଜ ପରିଚୟ ଦେଇଥିଲା।
ଗିରଫ ହେବାର ୧୨ ଦିନ ପରେ ଭାରତ ଆସିଥିଲା ଡନ୍ ଛୋଟା ରାଜନ। ଛୋଟା ରାଜନ ଉପରେ ୮ଟି ସାଂଘାତିକ ଅଭିଯୋଗ ରହିଥିଲା। ଏହାସହ ବେଆଇନ୍ ପାସପୋର୍ଟ ଅକ୍ତିଆର କରିବା ଅଭିଯୋଗରେ ଛୋଟା ରାଜନକୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ୨୦୧୭ ଏପ୍ରିଲ ୨୫ରୁ ଛୋଟା ରାଜନ ତିହାର ଜେଲ୍ରେ ରହିଥିଲା।
ମହଙ୍ଗା ପଡ଼ିଲା ଜ୍ୟୋତିର୍ମୟ ଦେ ହତ୍ୟାକାଣ୍ଡ
୨୦୧୧ରେ ମିଡ ଡେ ପତ୍ରିକାର ସାମ୍ବାଦିକ ଜ୍ୟୋତିର୍ମୟ ଦେଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। କିଛି ଦୁର୍ବୃତ୍ତ ତାଙ୍କୁ ଗୁଳିକରି ହତ୍ୟା କରିଥିଲେ। ଏହି ଘଟଣାରେ ମହିଳା ସାମ୍ବାଦିକ ଜିଗ୍ନି ଭୋରା ପୋଲିସ ସନ୍ଦେହରେ ରହିଥିଲେ। କିନ୍ତୁ ୨୦୧୫ରେ ଛୋଟା ରାଜନ ଇଣ୍ଡୋନେସିଆରୁ ଗିରଫ ହେବା ପରେ ଜ୍ୟୋତିର୍ମୟ ଦେ ହତ୍ୟାକାଣ୍ଡ ଉପରୁ ପରଦା ହଟିଥିଲା। ଦାଉଦ ଇବ୍ରାହିମ୍ ଏବଂ ଛୋଟା ରାଜନ ଭିତରେ ଚାଲିଥିବା ଛକାପଞ୍ଝାରେ ଜ୍ୟୋତିର୍ମୟ ଦେ ବଳି ପଡ଼ିଥିବା ଗ୍ୟାଙ୍ଗଷ୍ଟର ଛୋଟା ରାଜନ ପୋଲିସକୁ କହିଥିଲା। ସାମ୍ବାଦିକ ଜ୍ୟୋତିର୍ମୟ ଦେ ଛୋଟା ରାଜନଙ୍କ ବିରୋଧରେ ଲେଖୁଥିଲେ ମଧ୍ୟ ମୋଷ୍ଟ ୱାଣ୍ଟେଡ଼୍ ଦାଉଦ ଇବ୍ରାହିମଙ୍କ ବିରୋଧରେ ଲେଖୁ ନଥିଲେ। ଏହି କାରଣରୁ ଛୋଟା ରାଜନ ନିର୍ଦ୍ଦେଶରେ ୨୦୧୧ ଜୁନ ୧୧ ତାରିଖରେ ମୁମ୍ବାଇର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିଲା। ୨୦୧୬ରେ ମାମଲାରେ ଚାର୍ଜସିଟ ଦାଖଲ ହୋଇଥିଲା।
୨୦୧୮ରେ ମୁମ୍ବାଇର ସ୍ପେସାଲ ମକୋକା କୋର୍ଟରେ ଛୋଟା ରାଜନଙ୍କ ସମେତ ୧୧ଜଣ ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ୯ଜଣଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଛୋଟା ରାଜନଙ୍କୁ ଆଜୀବନ ଜେଲ୍ ଦଣ୍ଡ ମିଳିଥିଲା।








ମର୍ଡର, ଅପହରଣ, ସ୍ମଗ୍ଲିଂ, ଡ୍ରଗ୍ସ କାରବାରରେ ସାରା ବିଶ୍ୱକୁ ଥର ହର କରିଥିବା ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ ସିନେମା ଟିକେଟ ବ୍ଲାକରରୁ ଅପରାଧ ଜଗତର ବାଦଶାହ କେମିତି ପାଲଟିଥିଲା ଜାଣନ୍ତୁ ଏହି ରିପୋର୍ଟରୁ।





