ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀର ଭୟାବହତା ସାରା ପୃଥିବୀକୁ କବଳିତ କରିଛି। ବିଶେଷ କରି ବରିଷ୍ଠ ନାଗରିକମାନେ ଏହାଦ୍ଵାରା ଅଧିକ ପ୍ରଭାବିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ଵରରେ ବରିଷ୍ଠ ନାଗରିକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ପାଇଁ ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ଜୟ ଓଡ଼ିଶା’ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଛି।

କରୋନା ପାଇଁ ବରିଷ୍ଠ ନାଗରିକମାନଙ୍କୁ ବାହାରକୁ ଯିବାକୁ ଅସୁବିଧା ହେଉଛି। ଫଳରେ ଔଷଧ ଭଳି ଅତି ଆବଶ୍ୟକୀୟୀୟ ସାମଗ୍ରୀ ପାଇବାରେ ସେମାନେ ହଇରାଣ ହେଉଛନ୍ତି। ତେଣୁ ଜୟ ଓଡ଼ିଶା ଅନୁଷ୍ଠାନର ସୁରକ୍ଷା ଯୋଜନା ଦ୍ଵାରା ଭୁବନେଶ୍ଵରରେ ବରିଷ୍ଠ ନାଗରିକମାନଙ୍କ ଘରେ ଘରେ ଔଷଧ ପହଞ୍ଚାଯାଉଛି। ଏଥିପାଇଁ ଅନୁଷ୍ଠାନ ପକ୍ଷରୁ ଏକ ମୋବାଇଲ ନମ୍ଵର ଜାରି କରାଯାଇଛି। ଏହି ନମ୍ଵରଟି ହେଲା ୯୮୫୩୨୨୦୦୨୩। ଏହି ନମ୍ଵରକୁ ଫୋନ୍ କିମ୍ଵା ମେସେଜ୍ କଲେ ଅନୁଷ୍ଠାନର କର୍ମାକର୍ତ୍ତାମାନେ ଘରେ ଆଣି ଔଷଧ ପହଞ୍ଚାଇ ଦେଉଛନ୍ତି। ଏଥିପାଇଁ ସେମାନେ କୌଣସି ଶୁକ୍ଳ ମଧ୍ୟ ନେଉନାହାନ୍ତି। ଗତ ସପ୍ତାହଠାରୁ ଭୁବନେଶ୍ଵରର ସମସ୍ତ ଅଞ୍ଚଳରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି।    ସେହିପରି କୋଭିଡ୍‌ରେ ଆକ୍ରାନ୍ତ ହୋଇ ହୋମ୍ କ୍ଵାରେଣ୍ଟାଇନ୍‌ରେ ଥିବା ବରିଷ୍ଠ ନାଗରିକଙ୍କ ପାଖରେ ମାଗଣାରେ ରନ୍ଧା ଖାଦ୍ୟ ପହଞ୍ଚାଉଛି ଅନୁଷ୍ଠାନ। ଏହି କାର୍ଯ୍ୟରେ ଜୟ ଓଡ଼ିଶାକୁ ସହଯୋଗ କରୁଛି ସ୍ମାଇଲ୍ ପ୍ଲିଜ୍ ସଂଗଠନ। ମଧ୍ୟାହ୍ନ ଭୋଜନ ପାଇଁ ସକାଳ ୯ଟା ଏବଂ ରାତ୍ରୀ ଭୋଜନ ପାଇଁ ଅପରାହ୍‌ଣ ୪ଟା ପୂର୍ବରୁ ଉପରୋକ୍ତ ନମ୍ଵରରେ ଯୋଗାଯୋଗ କରି ଖାଇବା ମଗାଯାଇପାରିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ଭୁବନେଶ୍ଵରରେ ପ୍ରାୟ ୧୦୦ ଜଣ କରୋନା ଆକ୍ରାନ୍ତ ଏହି ସେବା ଦ୍ଵାରା ଉପକୃତ ହୋଇଥିବା ବେଳେ ଆଗକୁ ଏହି କାର୍ଯ୍ୟକ୍ରମକୁ ଆହୁରି ବିସ୍ତାର କରାଯିବାର ଯୋଜନା ରହିଛି।ଏହି କାର୍ଯ୍ୟ ସମ୍ଵନ୍ଧରେ ଜୟ ଓଡ଼ିଶା ଅନୁଷ୍ଠାନର ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି, ” ବରିଷ୍ଠ ନାଗରିକମାନେ ହେଉଛନ୍ତି ଆମର ଗୁରୁଜନ। ତେଣୁ ସେମାନଙ୍କର ସୁରକ୍ଷା ଆମର ପ୍ରାଥମିକ ଦାୟିତ୍ଵ ଅଟେ। ଏଣୁ ଆମେ ସେହି ଗୁରୁଜନମାନଙ୍କ ଆଶୀର୍ବାଦ ନେଇ ଏହି କାର୍ଯ୍ୟ ଆରମ୍ଭ କରିଛୁ। ଆଗାମୀ ଦିନରେ ଆହୁରି ଅଧିକ ବରିଷ୍ଠ ନାଗରିକଙ୍କ ପାଖରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରଖିଛୁ।”

Comment