ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ବିଶିଷ୍ଟ ଖବରକାଗଜ ସଂଗ୍ରାହକ ତଥା ପେପରମ୍ୟାନ ଇଣ୍ଡିଆ ଭାବେ ପରିଚିତ ଶଶାଙ୍କ ଶେଖର ଦାଶଙ୍କ ନାମ ଓଏମ୍‌ଜି ରେକର୍ଡ ବୁକରେ ସ୍ଥାନ ପାଇଛି। ସର୍ବାଧିକ ଖବରକାଗଜ ସଂଗ୍ରହ କରିଥିବା ନିମନ୍ତେ ଗତ ୧୨ ତାରିଖରେ ତାଙ୍କ ନାମ ଏହି ରେକର୍ଡ ବୁକ୍‌ରେ ସ୍ଥାନ ପାଇଥିବା ଜଣାପଡ଼ିଛି।

ଓଏମ୍‌ଜି ରେକର୍ଡ ବୁକର ମୁଖ୍ୟ ଡକ୍ଟର ଦିନେଶ ଗୁପ୍ତା ଶଶାଙ୍କଙ୍କୁ ଏହି ରେକର୍ଡର ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଖବରକାଗଜ ସଂଗ୍ରହ କ୍ଷେତ୍ରରେ ଏହା ହେଉଛି ତାଙ୍କର ଅଷ୍ଟମ ଅନ୍ତର୍ଜାତୀୟ ରେକର୍ଡ। ୧୩୮ଟି ଦେଶର ଓ ୯୪ଟି ଭାଷାର ମୋଟ ୪,୮୭୪ଟି ଖବରକାଗଜ ସଂଗ୍ରହ କରି ସେ ଏହି ବିରଳ ରେକର୍ଡ କରିଛନ୍ତି।

ଖବରକାଗଜ ସଂଗ୍ରହ ପାଇଁ ପୂର୍ବରୁ ୫ଥର ଲିମ୍‌କା ବୁକ ଅଫ ରେକର୍ଡସ, ଥରେ ଇଣ୍ଡିଆ ବୁକ ଅଫ ରେକର୍ଡସ ଓ ଥରେ କ୍ରେଡେନ୍ସ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ଶଶାଙ୍କ ନିଜର ନାମ ସାମିଲ କରିପାରିଛନ୍ତି। ନିଜର ସମସ୍ତ ସଂଗ୍ରହକୁ ନେଇ ଶଶାଙ୍କ ଯାଜପୁର ଜିଲ୍ଲା ବରୀ ବ୍ଲକ ଅରଙ୍ଗାବାଦର ନିଜ ଗ୍ରାମରେ ଦୋଳଗୋବିନ୍ଦ ନ୍ୟୁଜପେପର ମ୍ୟୁଜିୟମ ଆଣ୍ଡ ରିସର୍ଚ୍ଚ ସେଣ୍ଟର ପ୍ରତିଷ୍ଠା କରିଛନ୍ତି। ଯେଉଁମାନଙ୍କ ପାଖରେ ପୁରାତନ ଖବରକାଗଜ ରହିଛି ସେମାନଙ୍କଠାରୁ ତାହା ସଂଗ୍ରହକରି ସେ ଏହି ସଂଗ୍ରହାଳୟରେ ରଖୁଛନ୍ତି।

ଏଥି ସହିତ ଯଦି କେହି ପୁରୁଣା ଖବରକାଗଜ ଦାନ କରିବା ପାଇଁ ଚାହାନ୍ତି, ତେବେ ସେ ଏହି ମୋବାଇଲ ନମ୍ଵର (୯୮୬୧୧୭୨୬୦୫)ରେ ଯୋଗାଯୋଗ କରିପାରିବେ। ଶଶାଙ୍କ ୨୦୦୦ ମସିହାରେ ପ୍ରଥମେ ଖବରକାଗଜ ସଂଗ୍ରହ କରିବା ଆରମ୍ଭ କରିଥିଲେ। ପ୍ରଥମେ ସେ ଓଡ଼ିଆ ଖବରକାଗଜ ସଂଗ୍ରହ କରିଥିଲେ। ଏହାପରେ ସେ ଓଡ଼ିଶାରେ ମିଳୁଥିବା ଅନ୍ୟାନ୍ୟ ଖବରକାଗଜ ସହ ବିଦେଶୀ ଖବରକାଗଜ ମଧ୍ୟ ସଂଗ୍ରହ କରିଥିଲେ।

Comment