ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଖବରକାଗଜ ସଂଗ୍ରାହକ ଶଶାଙ୍କ ଶେଖର ଦାଶଙ୍କୁ ମଧ୍ୟପ୍ରଦେଶରେ ସମ୍ମାନିତ କରାଯାଇଛି। ବିଭିନ୍ନ ପ୍ରକାରର ଖବରକାଗଜ ସଂଗ୍ରହ ପାଇଁ ଶଶାଙ୍କଙ୍କୁ ମଧ୍ୟ ପ୍ରଦେଶ ସତନାର ସେଣ୍ଟ୍ରାଲ ଫିଲାଟେଲିକ ସୋସାଇଟି ଗତ ୧୦ ତାରିଖରେ ସମ୍ଵର୍ଦ୍ଧିତ କରିଛି।

ସୋସାଇଟିର ବରିଷ୍ଠ ସଦସ୍ୟ ରାଜେନ୍ଦ୍ର କୁମାର ଗୁପ୍ତା ଶଶୀ, ଶଶାଙ୍କଙ୍କ ଜନ୍ମତାରିଖ ନମ୍ବର ଥିବା ଏକ ୧୦ ଟଙ୍କିଆ ନୋଟ ତାଙ୍କୁ ଉପହାର ରୂପେ ପ୍ରଦାନ କରିଥିଲେ। ସେହିପରି ଅନ୍ୟ ସମସ୍ତ ସଦସ୍ୟ ତାଙ୍କୁ କିଛି ଖବର କାଗଜ ଉପହାରରେ ଦେଇଥିଲା ବେଳେ ସୋସାଇଟିର ବରିଷ୍ଠ ସଦସ୍ୟ ସୁଧୀର ଜୈନ ୬୪ଟି ଖବର କାଗଜ ଓ ଅନ୍ୟାନ୍ୟ ସାମଗ୍ରୀ ଉପହାର ଭାବେ ଶଶାଙ୍କୁ ଦେଇଥିଲେ। କରୋନା କଟକଣା କାରଣରୁ ସୀମିତ ସଦସ୍ୟଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସାମ୍ବାଦିକ ମହମ୍ମଦ ସିଦିକୀ, ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡକ୍ଟର ହିଂମାଶୁ ଅଗ୍ରୱାଲ, ବିନୟ ଗୁପ୍ତା, ମନମୋହନ ମାହେଶ୍ୱରୀ, ରାଜେନ୍ଦ୍ର କୁମାର ଅଗ୍ରୱାଲ ଶଶୀ, ରବି ପ୍ରକାଶ ଗୁପ୍ତା ଆଦି ଯୋଗ ଦେଇଥିଲେ।

ଯାଜପୁର ଜିଲ୍ଲା ଅରଙ୍ଗାବାଦ ଗ୍ରାମର ଶଶାଙ୍କ ନିଜର ଖବର କାଗଜ ସଂଗ୍ରହ ନିଶା ପାଇଁ ପେପର ମ୍ୟାନ ଭାବେ ପରିଚିତ। ସେ ଇତି ମଧ୍ୟରେ ୧୩୮ଟି ଦେଶର ୯୪ଟି ଭାଷାର ପ୍ରାୟ ୧୦ ହଜାରରୁ ଅଧିକ ଖବର କାଗଜ ସଂଗ୍ରହ କରିଛନ୍ତି। ଏହି ସଂଗ୍ରହ ପାଇଁ ତାଙ୍କୁ ୫ଥର ଲିମ୍‌କା ବୁକ୍ ଅଫ ରେକର୍ଡସ, ଥରେ ଇଣ୍ଡିଆ ବୁକ ଅଫ ରେକର୍ଡସ ଏବଂ ଥରେ କ୍ରେଡେନ୍ସ ବୁକ ଅଫ ୱାର୍ଲ୍ଡ ରେକର୍ଡସ ମିଳିଛି।

Comment