ଓଡ଼ିଶାଲାଇଭ୍ ବ୍ୟୁରୋ

ଖବରକାଗଜ ସଂଗ୍ରାହକ ଓଡ଼ିଆ ପୁଅ ଶଶାଙ୍କ ଶେଖର ଦାଶଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ପ୍ରମାଣିକ ଚଳଚ୍ଚିତ୍ର। ଶଶାଙ୍କ ଦାଶଙ୍କ ଜୀବନୀକୁ ନେଇ ଖୁବଶୀଘ୍ର ‘ଦି ପେପରମ୍ୟାନ’ ନାମକ ପ୍ରମାଣିକ ଚଳଚ୍ଚିତ୍ର ନିର୍ମାଣ କରାଯିବ ବୋଲି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତା ଶେଖ ଗୁଲଜାର ହୁସେନ ଘୋଷଣା କରିଛନ୍ତି। ସ୍ୱସ୍ତି କିରଣ ପ୍ରଡକସନ୍ସ ବ୍ୟାନରରେ ଏବଂ ବାପୁ ମିଶ୍ରଙ୍କ ପ୍ରଯୋଜନାରେ ଏହା ନିର୍ମିତ ହେବ।

ସିନେମା ହେଉ କିମ୍ବା ପ୍ରମାଣିକ ଚଳଚ୍ଚିତ୍ର, ବର୍ତ୍ତମାନ ବାୟୋପିକ ବେଶ୍ ଆଦ୍ରୁତ ହେବାରେ ଲାଗିଛି। ସାଧାରଣ ଲୋକଙ୍କ ଅସାଧାରଣ କାର୍ଯ୍ୟକୁ ଏଥିରେ ପ୍ରଦର୍ଶିତ କରାଯାଉଥିବାରୁ ଏଥିପ୍ରତି ଲୋକେ ଆକର୍ଷିତ ହେଉଛନ୍ତି। ବିଭିନ୍ନ କ୍ଷେତ୍ରରେ ସଫଳ ହୋଇଥିବା ବ୍ୟକ୍ତିତ୍ଵଙ୍କ ସଙ୍ଘର୍ଷ ଏବଂ ସଫଳତା ପଛର କାହାଣୀକୁ ଜାଣିବାକୁ ସମସ୍ତଙ୍କର ଆଗ୍ରହ ବଢ଼ୁଛି।

‘ଦି ପେପରମ୍ୟାନ’ରେ ନିକଟରେ ଗିନିସ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିବା ଖବରକାଗଜ ସଂଗ୍ରାହକ ଶଶାଙ୍କ ଶେଖର ଦାଶଙ୍କ ଖବର କାଗଜ ସଂଗ୍ରହ ଓ ସଙ୍ଘର୍ଷର କଥାକୁ ଏଠାରେ ଉପସ୍ଥାପିତ କରାଯିବ। ଶଶାଙ୍କ ଶେଖର ଦାଶ ୨୦୦୦ ମସିହାରୁ ଖବରକାଗଜ ସଂଗ୍ରହ ଜାରି ରଖିଛନ୍ତି। ସେ ବିଭିନ୍ନ ବାଧାବିଘ୍ନକୁ ସାମ୍ନା କରି ‘ପେପରମ୍ୟାନ ଇଣ୍ଡିଆ’ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି। ଏହା ସହ ଅନେକ ରେକର୍ଡ ଓ ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ତାଙ୍କର ଏହି ଖବରକାଗଜ ସଂଗ୍ରହରେ ଅନେକ ଲୋକଙ୍କର ସହଯୋଗ ରହିଛି।

ଶଶାଙ୍କ ଶେଖର ସଂଗ୍ରହ କରିଥିବା ଖାବରକାଗଜକୁ ନିଜ ଗ୍ରାମ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଅରଙ୍ଗାବାଦ ଗ୍ରାମରେ ନିର୍ମାଣ କରିଥିବା ଦୋଳଗୋବିନ୍ଦ ନ୍ୟୁଜପେପର ମ୍ୟୁଜିଅମ ଆଣ୍ଡ ରିସର୍ଚ ସେଣ୍ଟରରେ ରଖିଛନ୍ତି। ଏଠାରେ ରହିଥିବା ଖବରକାଗଜ ଆଜି ଅନେକ ସାମ୍ବାଦିକ, ସାମ୍ବାଦିକ ପାଠପଢ଼ୁଥିବା ଛାତ୍ରଛାତ୍ରୀ, ବୁଦ୍ଧିଜୀବୀଙ୍କୁ ବିଭିନ୍ନ କ୍ଷେତ୍ରରେ ସହାୟତା କରିପାରୁଛି।

ଶଶାଙ୍କ ଶେଖର ଦାଶଙ୍କ ଉପରେ ନିର୍ମିତ ହେବାକୁ ଯାଉଥିବା ପ୍ରମାଣିକ ଚଳଚ୍ଚିତ୍ର ଆଗାମୀ ଦିନରେ ଏକ ସଂଘର୍ଷର କାହାଣୀକୁ ସାଧାରଣ ଲୋକଙ୍କ ସାମ୍ନାକୁ ଆଣିବା ସହ ଖବରକାଗଜର ଗୁରୁତ୍ଵ ଦର୍ଶାଇବ।

ଶଶାଙ୍କ ଶେଖର ୧୦,୦୦୦ରୁ ଅଧିକ ଖବରକାଗଜ ସଂଗ୍ରହ କରିଛନ୍ତି। ଏଥିରେ ୫,୦୦୦ରୁ ଅଧିକ ବିଭିନ୍ନ ପ୍ରକାରର ରହିଥିବାବେଳେ ୧୬୫ଟି ଦେଶର ଓ ୯୭ଟି ଭାଷାର ରହିଛି।

Tags: #PapermanIndia #SashankaShekharDas #Biopic #DocumentaryFilm

Comment