ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିଆରା ଖବରକାଗଜ ସଂଗ୍ରାହକ ଶଶାଙ୍କଶେଖର ଦାଶ। ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ମୃତ୍ୟୁ ସମ୍ପର୍କୀତ ୪୦୦ରୁ ଅଧିକ ଖବରକାଗଜ ସଂଗ୍ରହ କରି ଆଉ ଏକ ରେକର୍ଡ କରିଛନ୍ତି।

‘ଅଟଳ ଅମର’

‘ଅଟଳ ଯୁଗର ଅବସାନ’

‘ଅଫେରା ଦୁନିଆରେ ଅଟଳ’

‘ରତ୍ନ ହରାଇଲା ଭାରତ’

‘ମହାନିଦ୍ରାରେ ଜନନାୟକ’

ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତ ପରେ ଓଡ଼ିଆ ଖବରକାଗଜରେ ଏମିତି ଶିରୋନାମା ପ୍ରକାଶ କରାଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। କେବଳ ଓଡ଼ିଆ ନୁହେଁ, ଅନ୍ୟ ଭାଷାରେ ପ୍ରକାଶ ପାଉଥିବା ପ୍ରମୁଖ ଖବରକାଗଜ ଏବଂ ପତ୍ରିକାରେ ମଧ୍ୟ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।

ଏହିସବୁ ପତ୍ରପତ୍ରିକା ଏବଂ ଖବରକାଗଜକୁ ପାଠକମାନଙ୍କ ପାଇଁ ସଂଗ୍ରହ କରିଛନ୍ତି ନିଆରା ସଂଗ୍ରାହକ ଶଶାଙ୍କ ଶେଖର ଦାଶ। ବାଜପେୟୀଙ୍କ ଦେହାନ୍ତ ଖବର ପ୍ରକାଶ ପାଇଥିବା ପ୍ରାୟ ୪୦୦ ଖବରକାଗଜ ସେ ସଂଗ୍ରହ କରି ଆଉ ଏକ ସଫଳତା ସାଉଁଟିଛନ୍ତି। ଏହା ହେଉଛି ଶଶାଙ୍କଙ୍କର ଆଉ ଏକ ଅନନ୍ୟ ରେକର୍ଡ।

ଭାରତ ରତ୍ନ ବାଜପେୟୀ ଅଗଷ୍ଟ ୧୬ ତାରିଖରେ ଆରପାରିକୁ ଚାଲି ଯାଇଥିଲେ। ୧୭ ତାରିଖରେ ପ୍ରମୁଖ ଖବରକାଗଜରେ ବାଜପେୟୀଙ୍କ ଦେହାନ୍ତ ସମ୍ପର୍କୀତ ଖବର ପ୍ରକାଶ ପାଇଥିଲା। ଏହି ଖବରବାଗଜକୁ ସଂଗ୍ରହ କରି ଗୋଟିଏ ଜାଗାରେ ଏକାଠି କରିବାକୁ ପ୍ରୟାସ କରିଥିଲେ ଶଶାଙ୍କ।

ଖାଲି ସେତିକି ନୁହେଁ, ୧୮ ତାରିଖରେ ପ୍ରକାଶ ପାଇଥିବା ଶେଷକୃତ୍ୟ ସମ୍ପନ୍ନ ଖବରକାଗଜ ଏବଂ ଅସ୍ଥି ବିସର୍ଜନ ଖବର ପ୍ରକାଶ ପାଇଥିବା ଖବରକାଗଜ ସଂଗ୍ରହ କରି ପାଠକଙ୍କ ମହଲରେ ପ୍ରଶଂସିତ ହୋଇପାରିଛନ୍ତି ଶଶାଙ୍କ।

ଶଶାଙ୍କ ସଂଗ୍ରହ କରିଥିବା ଖବରକାଗଜ ମଧ୍ୟରେ ଅଧିକାଂଶ ହେଉଛି ଓଡ଼ିଆ। ଅଗଷ୍ଟ ୧୭ ତାରିଖର (ବାଜପେୟୀଙ୍କ ଦେହାନ୍ତ) ଖବରକାଗଜ ୪୧ଟି ସଂଗ୍ରହ କରିଥିବା ବେଳେ ୧୮ ତାରିଖର (ବାଜପେୟୀଙ୍କ ଶେଷକୃତ୍ୟ ସମ୍ପନ୍ନ) ୩୫ଟି ଖବରକାଗଜ ସଂଗ୍ରହ କରିବାରେ ସମର୍ଥ ହୋଇଛନ୍ତି ସେ।

ଓଡ଼ିଆ ସହ ଅନ୍ୟ ଭାଷାର ଖବରକାଗଜ ଏବଂ ପତ୍ରିକା ସଂଗ୍ରହ କରି ରେକର୍ଡ ସୃଷ୍ଟି କରିଛନ୍ତି ଶଶାଙ୍କ।

ବାଜପେୟୀଙ୍କ ଦେହାନ୍ତ ସମ୍ପର୍କରେ ପ୍ରକାଶ ପାଇଥିବା ବଙ୍ଗଳା, ଇଂରାଜି, ଗୁଜୁରାଟୀ, ହିନ୍ଦୀ, କନ୍ନଡ, ମାଲାୟଲମ, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲ, ତେଲୁଗୁ, ଉର୍ଦ୍ଦୁ ଭାଷାର ଖବରକାଗଜ ସଂଗ୍ରହ କରି ତାଙ୍କ ସଂଗ୍ରହାଳୟରେ ସ୍ଥାନୀତ କରିଛନ୍ତି।

ସେହିପରି ବଙ୍ଗଳା, ଇଂରାଜି, ହିନ୍ଦୀ, ଓଡ଼ିଆ, ତେଲୁଗୁ, ପଞ୍ଜାବୀ, ଓଡ଼ିଆ ପତ୍ରିକା ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ ରହିଛି ହିନ୍ଦୀର ୩ଟି, ତେଲୁଗୁର ୧ଟି, ପଞ୍ଜାବୀର ୧ଟି, ଓଡ଼ିଆ ୬ଟି, ଇଂରାଜି ୫ଟି ଏବଂ ବଙ୍ଗଳାର ୧ଟି ପତ୍ରିକା ରହିଛି।

ବର୍ତ୍ତମାନ ସୁଦ୍ଧା ଶଶାଙ୍କ ୬ ହଜାରରୁ ଅଧିକ ଖବରକାଗଜ, ୪ ହଜାର ୧୭ଟି ଭିନ୍ନ ଭିନ୍ନ ଟାଇଟଲର ପତ୍ରିକା ସଂଗ୍ରହ କରିଛନ୍ତି। ୮୭ଟି ଦେଶର ୮୦ଟି ଭାଷାର ଖବରକାଗଜ ତାଙ୍କ ସଂଗ୍ରହାଳୟରେ ସ୍ଥାନ ପାଇଛି।

କେଉଁଠି ଏହି ସଂଗ୍ରହାଳୟ?

ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଅରଙ୍ଗାବାଦ ଗ୍ରାମର ଶଶାଙ୍କ ଶେଖର ଦାଶ ନିଜ ଉଦ୍ୟମରେ ସଂଗ୍ରହାଳୟ ପ୍ରତିଷ୍ଠା କରିଛନ୍ତି। ଦୋଳ ଗୋବିନ୍ଦ ନ୍ୟୁଜ୍‍ ପେପର ମ୍ୟୁଜିୟମ୍‍ ଆଣ୍ଡ ରିସର୍ଚ୍ଚ ସେଣ୍ଟର ନାମରେ ଅରଙ୍ଗାବାଦରେ ସଂଗ୍ରହାଳୟ କରି ବହୁ ଖବରକାଗଜପ୍ରେମୀଙ୍କ ପ୍ରିୟଭାଜନ ହୋଇ ପାରିଛନ୍ତି।

ସାମ୍ବାଦିକତା କରୁଥିବା ବେଳେ ହିଁ ଶ୍ରୀ ଦାଶ ଖବରକାଗଜ ସଂଗ୍ରହ ଉପରେ ଗୁରୁତ୍ୱ ଦେଇଥିଲେ। ଫଳରେ ୨୦୦୧ରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା। ସେହି ଦିନରୁ ଆଜିପର୍ଯ୍ୟନ୍ତ ନିଜ ଉଦ୍ୟମରେ ସେ ୬ ହଜାରରୁ ଅଧିକ ଖବରକାଗଜ ସଂଗ୍ରହ କରିଛନ୍ତି।

ସଂଗ୍ରହାଳୟରେ ଅଛି ?

ଓଡିଶାର ଅନେକ ଲୋକ ଖବରକାଗଜ ସଂଗ୍ରହ କରୁଛନ୍ତି। ହେଲେ ଶ୍ରୀ ଦାଶ ହେଉଛନ୍ତି ଏମିତି ଜଣେ ଯୁବକ ଯିଏ କି ସବୁବେଳେ ସ୍ୱତନ୍ତ୍ର ସଂଗ୍ରହକୁ ଗୁରୁତ୍ୱ ଦେଇ ଆସୁଛନ୍ତି। ତାଙ୍କ ସଂଗ୍ରହାଳୟରେ ଏମିତି କିଛି ଖବରକାଗଜ ଅଛି ଯାହା ଆଖିରେ ନ ଦେଖିଲେ ବିଶ୍ୱାସ ହେବନି। ତାଙ୍କ ସଂଗ୍ରହାଳୟରେ ‘ଉତ୍କଳ’ ନାମ ଥାଇ ୫୦ରୁ ଊର୍ଦ୍ଧ୍ୱ ଖବରକାଗଜ ରହିଥିବା ବେଳେ ‘ଓଡିଶା’ ନାମ ଥାଇ ୪୦ରୁ ଊର୍ଦ୍ଧ୍ୱ, ‘କଳିଙ୍ଗ’ ନାମଥାଇ ୪୦ରୁ ଊର୍ଦ୍ଧ୍ୱ, ‘ଟାଇମ୍ସ’ ନାମ ଥାଇ ୭୦ରୁ ଊର୍ଦ୍ଧ୍ୱ, ସମାଚାର ନାମ ଥାଇ ୬୦ରୁ ଊର୍ଦ୍ଧ୍ୱ ଖବରକାଗଜ ରହିଛି।

ସେହିପରି ଥାଇ, ଚାଇନିଜ୍‍, ଜାପାନିଜ୍‍, ଏବଂ ଡଚ୍‍ ଭଳି ବିଦେଶୀ ଭାଷାର ଖବରକାଗଜ ରହିଥିବା ବେଳେ ଅଲଚିକି, କୁଡୁମାଲି, ହୋ, ମିଜୋ, ଗାରୋ ଆଦିବାସୀ ଭାଷାର ଖବରକାଗଜ ସାଇତା ହୋଇ ରହିଛି। ସ୍ୱତନ୍ତ୍ର ଖବରକାଗଜ ସଂଗ୍ରହ କରିବାରେ ମଧ୍ୟ ଶ୍ରୀ ଦାଶଙ୍କର ଏକ ସ୍ୱତନ୍ତ୍ରତା ରହିଛି।

ଉତ୍ତରପ୍ରଦେଶର ଚିତ୍ରକୂଟରୁ ବୁନ୍ଦେଲି ଭାଷାରେ ପ୍ରକାଶ ପାଉଥିବା ମହିଳାଙ୍କ ଖବରକାଗଜ ‘ଖବର ଲହରିଆ’, ହିନ୍ଦି ଏବଂ ଇଂରାଜୀ ଭାଷାରେ ଦିଲ୍ଲୀର ଶିଶୁ ଶ୍ରମିକମାନେ ପ୍ରକାଶ କରୁଥିବା ‘ବାଳକନାମା’, ଓଡିଶାର କରଞ୍ଜିଆରୁ ପ୍ରକାଶ ପାଉଥିବା ଶିଶୁ ଖବରକାଗଜ ‘ମୁହାଁମୁହିଁ’, କୋରାପୁଟର ପ୍ରକାଶ ପାଉଥିବା ‘ଅଙ୍କୁରୋଦ୍‍ଗମ୍‍’, ଝାଡଖଣ୍ଡ ଦୁମୁକାରୁ ପ୍ରକାଶ ପାଉଥିବା ହାତଲେଖା ଖବରକାଗଜ ‘ଦିନ୍‍ ଦଲିତ୍‍’, କର୍ଣ୍ଣାଟକ ମହୀଶୂରରୁ ପ୍ରକାଶିତ ପୃଥିବୀର ପ୍ରଥମ ସଂସ୍କୃତ ଦୈନିକ ‘ସୁଧର୍ମା’ ଏବଂ ‘ନ୍ୟୁୟର୍କ ଟାଇମ୍ସ’ ଭଳି ନାମୀଦାମୀ ଖବରକାଗଜ ସଂଗ୍ରହ କରି ଶ୍ରୀ ଦାଶ ସଂଗ୍ରହାଳୟ ଜଗତରେ ରେକର୍ଡ ସୃଷ୍ଟି କରିଛନ୍ତି।

Comment