ଓଡ଼ିଶାଲାଇଭ୍ ବ୍ୟୁରୋ 

ଗିନିଜ୍‌ ୱାର୍ଲ୍ଡ ରେକର୍ଡରେ ନିଜର ନାମ ଦରଜ କରାଇବା ଲକ୍ଷ୍ୟରେ ଶନିବାର ଦିନ ନିଜ ଖବରକାଗଜ ସଂଗ୍ରହକୁ ନେଇ ଏକ ପ୍ରଦର୍ଶନୀ କରାଇଥିଲେ ୪ଥର ଲିମ୍‌କା ରେକର୍ଡଧାରୀ ପେପରମ୍ୟାନ ଶଶାଙ୍କ ଶେଖର ଦାଶ। ଏହି ପ୍ରଦର୍ଶନୀ ଭୁବନେଶ୍ୱର ଇଡକଲ ଅଡିଟୋରିୟମଠାରେ ଆୟୋଜନ କରାଯାଇଥିଲା। ଏହି ପ୍ରଦର୍ଶନୀରେ ୧୦୬ଟି ଦେଶର ୮୮ଟି ଭାଷାର ମୋଟ ୪୪୧୪ଟି ଖବରକାଗଜ ପ୍ରଦର୍ଶନ କରାଯାଇଥିଲା। ଏଠାରେ ପ୍ରସ୍ତୁତ କରାଯାଇଥିବା ଭିଡିଓ ଓ ଅନ୍ୟାନ୍ୟ ଦସ୍ତାବିଜ ସେ ଗିନିଜ୍‌ ୱାର୍ଲ୍ଡ ରେକର୍ଡକୁ ପଠାଇବେ।

ସକାଳ ୯ଟାରୁ ଆରମ୍ଭ ହୋଇ ୫ଟା ଯାଏଁ ଚାଲିଥିବା ଖବରକାଗଜ ପ୍ରଦର୍ଶନୀକୁ ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଉଦଘାଟନ କରିଥିଲେ। ରାଜ୍ୟ କିନ୍ନର ସଂଘ ସଭାପତି ମୀରା ପରିଡ଼ା, ସାମାଜିକ କର୍ମୀ ରୁଦ୍ର ସାମନ୍ତରାୟ, ଓୟୁଏଟି ମୁଖ୍ୟ ବିତ୍ତ ଅଧିକାରୀ ସଂଗ୍ରାମ ସାମନ୍ତରାୟ, ଖଦୀ ବୋର୍ଡ ସଭାପତି ସଂଗ୍ରାମ ପାଇକରାୟ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଶ୍ରୀ ଦାଶଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ଆୟୋଜକଙ୍କ ପକ୍ଷରୁ ସମ୍ମାନିତ କରାଯାଇଥିଲା।

ମହାନଗର ଟାଇମ୍‌ସ ଖବରକାଗଜ ପକ୍ଷରୁ ଆୟୋଜିତ ପ୍ରଥମ ମିଡିଆ ଏକ୍ସପୋରେ ଏହି ପ୍ରଦର୍ଶନୀ କରାଯାଇଥିଲା। ମହାନଗର ଗ୍ରୁପର ମୁଖ୍ୟ ରାମଚନ୍ଦ୍ର ବେହେରା ଓ ବେଣୁଧର ସାହୁ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

ନିକଟରେ ପେପରମ୍ୟାନ ଶଶାଙ୍କ ୪ର୍ଥ ଥର ଲାଗି ଲିମ୍‌କା ବୁକ୍ ଅଫ ରେକର୍ଡସ୍‌ ନିଜର ନାମ ଦରଜ କରାଇଥିଲେ। ପୂର୍ବରୁ ୨୦୧୩ ଓ ୨୦୧୯ ଲିମ୍‌କା ବୁକ୍‌ ଅଫ୍ ରେକର୍ଡସ୍‌ରେ ସ୍ଥାନ ସେ ସ୍ଥାନ ପାଇଥିଲେ। ୨୦୧୩ରେ ସେ ଏକାଥରେ ଦୁଇଟି ରେକର୍ଡର ଅଧିକାରୀ ହୋଇଥିଲେ। ଗୋଟିଏ ଦିନରେ ସର୍ବାଧିକ ଖବରକାଗଜ ଓ ଭାରତରୁ ପ୍ରକାଶିତ ଖବରକାଗଜ ମଧ୍ୟରୁ ସର୍ବାଧିକ ଦୈନିକ ସଂଗ୍ରହ କରିବା ପାଇଁ ତାଙ୍କୁ ଏହି ରେକର୍ଡ ପ୍ରଦାନ କରାଯାଇଥିଲା।

ବିଭିନ୍ନ ନାମର ସର୍ବାଧିକ ଖବରକାଗଜ ସଂଗ୍ରହ କରି ସେ ୨୦୧୯ରେ ମଧ୍ୟ ନିଜର ନାମ ଲିମ୍‌କା ବୁକରେ ସ୍ଥାନିତ କରିଥିଲେ।

ଶଶାଙ୍କ ୨୦୦୧ ମସିହାରେ ପ୍ରଥମେ ଖବରକାଗଜ ସଂଗ୍ରହ ଆରମ୍ଭ କରିଥିଲେ। ଇତିମଧ୍ୟରେ ଶଶାଙ୍କ ୧୦୬ଟି ଦେଶର ୮୮ଟି ଭାଷାର ୪୪୧୪ଟି ଖବରକାଗଜ ସଂଗ୍ରହ କରିଛନ୍ତସି। ସେ ନିଜ ଗ୍ରାମ ଯାଜପୁର ଜିଲ୍ଲା ବରୀ ବ୍ଲକ ଅରଙ୍ଗାବାଦଠାରେ ନିଜ ବାପାଙ୍କ ନାମରେ ‘ଦୋଳଗାବିନ୍ଦ ନ୍ୟୁଜପେପର ମ୍ୟୁଜିୟମ ଆଣ୍ଡ ରିସର୍ଚ୍ଚ ସେଣ୍ଟର’ ପ୍ରତିଷ୍ଠା କରିଛନ୍ତି।

Comment