ବ୍ରହ୍ମପୁରରୁ ଦୀପକ କୁମାର ପଣ୍ଡା

ବ୍ରହ୍ମପୁର: ପୁଣିଥରେ ରେକର୍ଡ଼ ଭଙ୍ଗ କରିବାର ପ୍ରୟାସ କରିଛନ୍ତି ବ୍ରହ୍ମପୁରର ଓଡ଼ିଆ ପୁଅ ମନୋଜ ମହାରଣା। ମନୋଜ ପୁଣିଥରେ ଆଜି ରେକର୍ଡ ଭଙ୍ଗ କରିବାପାଇଁ ପ୍ରୟାସ କରିଛନ୍ତି। ସେ ଆଜି ପୁଣିଥରେ ପୂର୍ବରୁ ଥିବା ତିନୋଟି ରେକର୍ଡକୁ ଏକାଥରରେ ଭାଙ୍ଗିଛନ୍ତି। ତେବେ ନିଶ୍ଚୟ ସେ ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବେ ବୋଲି ଜଜ୍ ଏବଂ ତାଙ୍କ ପରିବାରବର୍ଗ ଆଶା ରଖିଛନ୍ତି। ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବା ପାଇଁ ଓଡ଼ିଆ ପୁଅ ଜୋର୍‌ସୋର୍‌ ତାଙ୍କ ପ୍ରୟାସ ଜାରି ରଖିଛନ୍ତି।

ବ୍ରହ୍ମପୁରର ଏକ ଘରୋଇ କଲେଜରେ ପାଠ ପଢ଼ୁଥିବା ମନୋଜ ଏହି ରେକର୍ଡ ନିଶାରେ ପ୍ରଥମେ ତାଙ୍କ ପାଟିରେ ପ୍ଲାଷ୍ଟିକ୍ ପାଇପ୍‌ଗୁଡ଼ିକୁ ଭର୍ତ୍ତି କରିଥିଲେ। ଯାହା ପୂର୍ବରୁ ମୁମ୍ବାଇର ଜଣେ ଯୁବକ ୪୯୬ଟି ପାଇପ୍ ଭର୍ତ୍ତି କରି ରେକର୍ଡ ସୃଷ୍ଟି କରିଥିଲେ। ଏଥର କିନ୍ତୁ ମନୋଜ ନିଜ ପାଟିରେ ୫୩୩ଟି ପାଇପ୍ (ଷ୍ଟ୍ର)କୁ ଭର୍ତ୍ତି କରି ପ୍ରାୟ ୩୦ ସେକେଣ୍ଡ ପର୍ଯ୍ୟନ୍ତ ରଖି ପୁରୁଣା ରେକର୍ଡକୁ ଭଙ୍ଗ କରିଛନ୍ତି।

ତାଙ୍କର ଦ୍ୱିତୀୟ ରେକର୍ଡ଼ଟି ଥିଲା ଜଳନ୍ତା ମହମବତୀକୁ ପାଟିରେ ପୁରାଇବା। ପୂର୍ବରୁ ଦିନେଶ ଶିଭନାଥ ଉପାଧ୍ୟାୟ ନାମକ ଜଣେ ମୁମ୍ବାଇର ଯୁବକ ୩୭ଟି ଜଳନ୍ତା ମହମବତୀକୁ ପାଟିରେ ରଖି ରେକର୍ଡ ସୃଷ୍ଟି କରିଥିଲେ। ହେଲେ ଆଜି ମନୋଜ ପ୍ରାୟ ୪୦ଟି ଜଳନ୍ତା ମହମବତୀକୁ ୪୦ ସେକେଣ୍ଡ ପର୍ଯ୍ୟନ୍ତ ପାଟିରେ ଧରି ନୂଆ ରେକର୍ଡ଼ ସ୍ଥାପନ କରିଥିଲେ।

ମନୋଜଙ୍କର ତୃତୀୟ ରେକର୍ଡ଼ଟି ଥିଲା, ନିଜ ପାଟି ଭିତରେ ଟୁଥ୍‌ପିକ୍‌(ଦାନ୍ତଖୋଳା କାଠି)କୁ ୩୬୦ ଡିଗ୍ରୀ ପର୍ଯ୍ୟନ୍ତ ବୁଲାଇବା। ଟୁଥ୍‌ପିକ୍‌କୁ ୩୬୦ ଡିଗ୍ରୀ ପର୍ଯ୍ୟନ୍ତ ବୁଲାଇବା ପାଇଁ ପ୍ରୟାସ କରିଥିଲେ ମନୋଜ। ଏହି ରେକର୍ଡ଼କୁ ପୂର୍ବରୁ ମୁମ୍ବାଇର ଦିନେଶ ଶିଭନାଥ ଉପାଧ୍ୟାୟଙ୍କ ନାମରେ ଥିଲା। ଦିନେଶ ୬.୫ ସେ.ମି. ଲମ୍ବର କାଠିକୁ ପାଟି ମଧ୍ୟରେ ଏକ ମିନିଟ୍ ମଧ୍ୟରେ ୩୨ଥର ବୁଲାଇଥିବା ବେଳେ ମନୋଜ ୧ ମିନିଟ୍‌ରେ କାଠିକୁ ୪୨ଥର ବୁଲାଇ ରେକର୍ଡ ପାଇଁ ଆଶା ରଖିଛନ୍ତି।

ଏନେଇ ଜଜ୍‌ମାନେ ମଧ୍ୟ ମନୋଜକୁ ଶୁଭେଚ୍ଛା ଜଣାଇବା ସହ ନିଶ୍ଚୟ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବ ବୋଲି ଆଶା ରଖିଛନ୍ତି। ସେପଟେ ପିଲାଦିନରୁ ଏଭଳି ନିଶା ରଖିଥିବା ମନୋଜ ମଧ୍ୟ ନିଶ୍ଚିତ ସେ ଗିନିଜ୍ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇବେ ବୋଲି ଆଶା ରଖିଛନ୍ତି। ଏନେଇ ତାଙ୍କ ପରିବାର ଏବଂ ସାଙ୍ଗସାଥି ତାଙ୍କୁ ସହଯୋଗ କରିଥିବା କହିଛନ୍ତି।

ସେପଟେ ମନୋଜକୁ ନେଇ ତାଙ୍କ ସାଙ୍ଗ ସାଥି ଏବଂ ବାପା ମା’ ମଧ୍ୟ ଗର୍ବିତ। ପିଲାଦିନ ଠାରୁ କିଛି ନୂଆ କରିବା ଆଶା ରଖିଥିବା ମନୋଜ ଆଜି ସହର ଏବଂ ରାଜ୍ୟ ପାଇଁ ନିଶ୍ଚିତ ଗୌରବ ଆଣିବ ବୋଲି ଅଶା ରଖିଛନ୍ତି ସେମାନେ। ଏବେ ସମସ୍ତେ ଅପେକ୍ଷା ରହିଛନ୍ତି ଗିନିଜ୍ ବୁକ୍ ଅଫ ରେକର୍ଡର ଅଧିକାରୀମାନେ କେବେ ମନୋଜଙ୍କ ନାମକୁ ସାମିଲ କରୁଛନ୍ତି।

Comment