ଓଡ଼ିଶାଲାଇଭ୍ ବ୍ୟୁରୋ

  • ସବୁଠାରୁ ଲମ୍ବା ଯାତ୍ରା କରି ଗିନିଜ୍‌ ୱାର୍ଲ୍‌ଡ ରେକର୍ଡ
  • ସର୍ବସାଧାରଣଙ୍କ ପାଇଁ ଉଦ୍ଧିଷ୍ଟ ଯାନବାହନରେ ଯାତ୍ରା
  • ୪୨ ଦିନରେ ୨୯,୧୧୯ କିଲୋମଟର ଯାତ୍ରା

ଓଡ଼ିଶା ପୁରୀର ଏକ ଦମ୍ପତ୍ତି ରାଜ୍ୟ ପାଇଁ ଏକ ଗୌରବ ଆଣି ଦେଇଛନ୍ତି। ସର୍ବସାଧାରଣଙ୍କ ପାଇଁ ଉଦ୍ଧିଷ୍ଟ ଯାନବାହନରେ ଗୋଟିଏ ଦେଶରେ ସବୁଠାରୁ ଲମ୍ବା ଯାତ୍ରା କରିବାରେ ଏହି ଦମ୍ପତ୍ତି ଗିନିଜ୍‌ ୱାର୍ଲ୍‌ଡ ରେକର୍ଡ କରିଛନ୍ତି। ସେ ହେଉଛନ୍ତି ପୁରୀର ୬୬ ବର୍ଷୀୟ ଦୁର୍ଗା ଚରଣ ମିଶ୍ର ଏବଂ ତାଙ୍କ ପତ୍ନୀ ଜୋତ୍ସ୍ନା ମିଶ୍ର। ବୁଧବାର ୟୁନାଇଟେଡ୍‌ କିଙ୍ଗଡମ୍‌ରୁ ଏହି ଦମ୍ପତ୍ତିଙ୍କ ପାଇଁ ଗିନିଜ ୱାର୍ଲ୍‌ଡ ରେକର୍ଡର ପ୍ରମାଣପତ୍ର ଆସି ପହଞ୍ଚିଛି।

୨୦୧୯ ମସିହାରେ ଦୁର୍ଗା ଚରଣ ମିଶ୍ର ନିଜ ପତ୍ନୀଙ୍କ ସହ ଏହି ଲମ୍ବା ଯାତ୍ରା ଅତିକ୍ରମ କରିଥିଲେ। ଫେବ୍ରୁଆରି ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ ଏହି ଯାତ୍ରା ଶେଷ ହୋଇଥିଲା। ଏହି ସମୟ ମଧ୍ୟରେ ଦମ୍ପତ୍ତି ଦେଶରେ ମୋଟ ୨୯,୧୧୯ କିଲୋମଟର ଯାତ୍ରା କରିଛନ୍ତି।

ଏହି ବିଶାଳ ଯାତ୍ରାକରି ପୂର୍ବରୁ ରୋମାନିଆ ଦମ୍ପତ୍ତିଙ୍କ ରେକର୍ଡ ଭାଙ୍ଗିଛନ୍ତି ଓଡ଼ିଆ ଦମ୍ପତ୍ତି ଦୁର୍ଗା ଚରଣ ମିଶ୍ର ଏବଂ ତାଙ୍କ ପତ୍ନୀ ଜୋତ୍ସ୍ନା ମିଶ୍ର। ରୋମାନିଆ ଦମ୍ପତ୍ତି ମୋଟ ୯,୨୬୧ କିଲୋମିଟର ଯାତ୍ରା କରିଥିଲେ।

ଏନେଇ ଦୁର୍ଗା ଚରଣ କହିଛନ୍ତି, “ସରକାରୀ ବସ୍‌ ଏବଂ ପାସେଞ୍ଜର ଟ୍ରେନ୍‌ରେ ଜରିଆରେ ଆମେ ଏହି ଯାତ୍ରା କରିଛୁ। ଆମେ ଷ୍ଟେସନରେ ରହି ଯାତ୍ରା ପାଇଁ ରୁଟ୍‌ ମ୍ୟାପ୍‌ ପ୍ରସ୍ତୁତ କରିଥିଲୁ। ଏହାପରେ ଯାତ୍ରା ଆରମ୍ଭ ହୋଇଥିଲା। ଏଭଳି ଚ୍ୟାଲେଜିଂ ଯାତ୍ରା ପାଇଁ ମୁଁ ଯୁବପିଢ଼ିଙ୍କୁ ଆହ୍ୱାନ କରୁଛି।”

ଏହି ୪୨ ଦିନିଆ ଯାତ୍ରାରେ ପତି ପତ୍ନୀ ଦେଶର ବିଭିନ୍ନ ରାଜ୍ୟ ବୁଲଇ ଏହାର ପ୍ରକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଛନ୍ତି। ସେ ଆସାମ, ତ୍ରିପୁରା, ନାଗାଲାଣ୍ଡ, ଗୁଜୁରାଟ, ଜମ୍ମୁ, କଶ୍ମୀର ଏବଂ କେରଳ ରାଜ୍ୟ ଭ୍ରମଣ କରିଛନ୍ତି।

ଦୁର୍ଗା ଚରଣ ମିଶ୍ର ଏବଂ ତାଙ୍କ ପତ୍ନୀ ଜୋତ୍ସ୍ନା ମିଶ୍ର ଏହା ପୂର୍ବରୁ ମଧ୍ୟ ଅନେକ ବିଶ୍ୱ ରେକର୍ଡ କରିସାରିଛନ୍ତି। ୨୦୧୪ ମସିହାରେ ଏହି ଓଡ଼ିଆ ଦମ୍ପତ୍ତି କାର୍‌ ଯୋଗେ ଦେଶରେ ସବୁଠାରୁ ଲମ୍ବା ଯାତ୍ରା ଅତିକ୍ରମ କରିଥିଲେ। ସେହିପରି ୨୦୧୩ରେ ମୋଟର ସାଇକେଲ୍‌ରେ ୨୧,୧୪୬ କିଲୋମିଟର ଯାତ୍ରା କରିଥିବାର ବିଶ୍ୱ ରେକର୍ଡ କରିଥିଲେ।

Comment