ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ନିୟମଗିରି ଅଞ୍ଚଳରେ ରହୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧ ଲୋକଙ୍କୁ କରୋନା ମହାମାରୀ କବଳିତ କରିଛି। ଗୋଟିଏ ଥରରେ ଏହି ସମ୍ପ୍ରଦାୟର ୪୬ ଜଣ ବ୍ୟକ୍ତିଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି। ଜଣେ ଆକ୍ରାନ୍ତଙ୍କଠାରୁ ଏହି ସଂକ୍ରମଣ ବ୍ୟାପିଥିବା କୁହାଯାଉଛି।

ଗତ ୧୭ ତାରିଖ ଦିନ ଗନ୍ଦିଲି ଗ୍ରାମରେ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ବିଷମକଟକ ବ୍ଲକ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଉକ୍ତ ଗାଁକୁ ଯାଇ ମୋଟ ୬୨ ଜଣଙ୍କ ନମୁନା ସଂଗ୍ରହ କରିଥିଲା। ସେଥିମଧ୍ୟରୁ ୪୬ଜଣ ବ୍ୟକ୍ତିଙ୍କ ନମୁନା ରିପୋର୍ଟ ପଜିଟିଭ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଡଙ୍ଗରିଆ ସମ୍ପ୍ରଦାୟ ଲୋକଙ୍କ ଜୀବନଶୈଳୀ ଗୋଷ୍ଠୀ କୈନ୍ଦ୍ରିକ ହୋଇଥିବାରୁ ସେଠାରେ କୋଭିଡ୍ ସଂକ୍ରମଣ ତୀବ୍ର ବେଗରେ ବୃଦ୍ଧି ପାଇଛି। ଜଣେ ଆକ୍ରାନ୍ତଙ୍କଠାରୁ ଏବେ ଉକ୍ତ ଗାଁର ୪୬ ଜଣ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ତେଣୁ ଏହା ଗୋଷ୍ଠୀ ସଂକ୍ରମଣ ବୋଲି ସ୍ପଷ୍ଟ ହୋଇଥିବା କୁହାଯାଉଛି।

ଶିକ୍ଷା, ସ୍ୱାସ୍ଥ୍ୟ ଆଦି ଦିଗ ପ୍ରତି ଏହି ଜନଜାତିର ଲୋକେ ସେତେଟା ସଚେତନ ନାହାନ୍ତି। ତେଣୁ ମହାମାରୀକୁ ପ୍ରତିହତ କରିବା ପ୍ରଶାସନ ପାଇଁ ଏକ ଆହ୍ୱାନମୂଳକ ସ୍ଥିତି ସୃଷ୍ଟି କରିଛି।

ପ୍ରଥମେ ବିଷମକଟକ ବ୍ଲକର କୁର୍ଲି ଓ ଚେଞ୍ଚେଡାଗୁଡା ପଞ୍ଚାୟତର ହୁତେସି ଓ ଗନ୍ଦିଲି ଗ୍ରାମର ଜଣେ ଲେଖାଏଁ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଉକ୍ତ ପଞ୍ଚାୟତ ଅଧୀନରେ ମୋଟ ୨୩ଟି ଗ୍ରାମ ରହିଥିବାବେଳେ ସଂକ୍ରମଣ ଗୋଟିଏ ଗାଁରୁ ଅନ୍ୟ ଗ୍ରାମକୁ ଡେଇଁବା ଆଶଙ୍କା ଦେଖାଦେଇଛି।

Comment