ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ପୂର୍ବରୁ ଗର୍ଭବତୀ ମହିଳାମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ନ ଆଣି ଆଗୁଆ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ସ୍ଵତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ପରାମର୍ଶ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଶନିବାର ଏକ ପ୍ରେସ୍ ବିବୃତି ଜାରି କରି ସେ ଏହା କହିଛନ୍ତି।

ଭାରତୀୟ ପାଣିପାଗ ବିଭାଗ ଯେଉଁ ପୂର୍ବାନୁମାନ କରିଥିଲା ସେହି ଅନୁସାରେ ଶନିବାର ସକାଳେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ୨୩ରେ ଏହା ଅବପାତରେ ପରିଣତ ହୋଇ ୨୪ରେ ବାତ୍ୟାର ରୂପନେବ। ଏହାପରେ ୨୬ରେ ଏହା ଓଡ଼ିଶା ଉପକୂଳ ମୁହାଁ ହୋଇପାରେ। ତେଣୁ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଏସଆରସି କହିଛନ୍ତି।ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ସମସ୍ତ ଜିଲ୍ଲା ପ୍ରଶାସନ ଓ ସରକାରଙ୍କର ବିଭିନ୍ନ ବିଭାଗ ସହ ଆଲୋଚନା ହୋଇ ସାରିଥିବା ଏସଆରସି କହିଛନ୍ତି। ସେ ଆହୁରି କହିଛନ୍ତି ଯେ ସମୁଦ୍ରକୁ ଯାଇଥିବା ସମସ୍ତ ମତ୍ସ୍ୟଜୀବୀ ଫେରି ଆସିଛନ୍ତି। ଏନେଇ ମତ୍ସ୍ୟ ବିଭାଗ ଏବଂ କୋଷ୍ଟଗାର୍ଡମାନଙ୍କ ପକ୍ଷରୁ ସୂଚନା ଆସିଛି।

ବର୍ଷା ପବନକୁ ଦୃଷ୍ଟିରେ ରଖି ଚାଷୀଭାଇମାନେ ଅମଳ ଫସଲକୁ ସୁରକ୍ଷିତ ଭାବେ ଘୋଡ଼ାଇ ରଖନ୍ତୁ ବୋଲି କହିଛନ୍ତି ଏସଆରସି। ସେହିପରି ବାତ୍ୟା ପୂର୍ବରୁ ଲୋକଙ୍କୁ ସ୍ଥାନାନ୍ତର, ବାତ୍ୟା ଆଶ୍ରୟ ସ୍ଥଳୀ ପରିଚାଳନା ଓ ପୁନରୁଦ୍ଧାର ପାଇଁ ବଡ଼ ବଡ଼ ଏନଜିଓମାନଙ୍କ ସହଯୋଗ ଲୋଡ଼ା ଯାଇଥିବା ସେ କହିଛନ୍ତି।oxygen_covid19ଅନ୍ୟପଟେ କରୋନା ସ୍ଥିତି ସମୟରେ ଅକ୍ସିଜେନ ଯୋଗାଣର ଯେପରି ସମସ୍ୟା ନହୁଏ ସେଥିପାଇଁ ଶିଳ୍ପ ବିଭାଗ ବିଭିନ୍ନ ସଂସ୍ଥାଗୁଡିକ ସହ ଆଲୋଚନା କରିଛନ୍ତି। ଅକ୍ସିଜେନ ଉତ୍ପାଦନ ଓ ରିଫିଲିଂ ପାଇଁ ଯେପରି କୌଣସି ଅସୁବିଧା ନ ହେବ ସେଥିପାଇଁ ଶିଳ୍ପ ବିଭାଗ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି। ଜିଲ୍ଲା କୋଭିଡ କେୟାର ସେଣ୍ଟର ଓ ଜିଲ୍ଲା କୋଭିଡ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ସିଲିଣ୍ଡର ମହଜୁଦ ରଖିବା ପାଇଁ ନିର୍ଦେଶ ଦିଆଯାଇଛି।ଏହା ବାଦ୍ ସମସ୍ତ ଜିଲ୍ଲାରେ ଆବଶ୍ୟକ ମୁତାବକ ପାନୀୟ ଜଳ ଓ ଜେନେରେଟର ସେଟ୍ ପ୍ରସ୍ତୁତ ରଖିବା ପାଇଁ କୁହାଯାଇଛି। ଜିଲ୍ଲା ପ୍ରଶାସନର ସୂଚନା ମିଳିବା କ୍ଷଣି ଲୋକମାନେ ବାତ୍ୟା ଆଶ୍ରୟସ୍ଥଳୀକୁ ଆସିବାକୁ ଏସଆରସି ପରାମର୍ଶ ଦେଇଛନ୍ତି। ଝଡ଼ ପବନ ସମୟରେ ଟେଲିକମ୍ ସେବାରେ ଯେପରି ସମସ୍ୟା ଦେଖା ନ ଦିଏ ସେଥିପାଇଁ ଟେଲିକମ୍ କମ୍ପାନିଗୁଡ଼ିକୁ ସଜାଗ ରହିବାକୁ କୁହାଯାଇଛି।

Comment