ଓଡିଶାଲାଇଭ୍ ବ୍ୟୁରୋ

ଟିକା ନେବା କେତେ ଜରୁରୀ, ଶରୀର ଉପରେ ଏହାର ପ୍ରଭାବ ସମ୍ପର୍କରେ କହିଛନ୍ତି ଡାକ୍ତର ଜୟନ୍ତ ପଣ୍ଡା।

କୋଭିଡ୍‌ ଟିକାକୁ ନେଇ ଲୋକମାନଙ୍କ ମନରେ ଏବେ ବି ଅନେକ ଭ୍ରାନ୍ତଧାରଣା ରହିଛି। କିଏ ଟିକା ନେବେ ଓ କିଏ ନେବେନି, ଗୋଟେ ଡୋଜ୍‌ ଟିକା ନେବାର କେତେ ଦିନ ପରେ ଆଉ ଗୋଟେ ଡୋଜ୍‌ ଟିକା ନେବେ? ଏସମସ୍ତ ପ୍ରଶ୍ନକୁ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ଏସ୍‌ସିବି ମେଡିକାଲ କଲେଜର ଭେଷଜ ବିଭାଗର ମୁଖ୍ୟ ଡାକ୍ତର ଜୟନ୍ତ କୁମାର ପଣ୍ଡା।

ଓଡ଼ିଶାଲାଇଭ୍ ଏବଂ ସ୍ଵାସ୍ଥ୍ୟପ୍ଲସର ମିଳିତ ଅଭିଯାନ ‘କେତେ ନୂଆ ବାଟ’ର ସିଜିନ୍‌ ୨ରେ ଭାଗ ନେଇ ସେ ଏ ସମ୍ପର୍କରେ କହିଛନ୍ତି। ଏହି ଅଭିଯାନ ପାଇଁ ୟୁନିସେଫ୍‌ ସହାୟତା ଦେଇଥିଲା ବେଳେ ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ଏହାର ନଲେଜ ପାର୍ଟନର ରହିଛି।

dr jayanta panda

‘‘ବର୍ତ୍ତମାନ ଭାରତରେ କୋଭିସିଲ୍ଡ ଏବଂ କୋଭାକ୍ସିନ୍‌ ଟିକା ଦିଆଯାଉଛି। ପ୍ରଥମ ଡୋଜ୍‌ ଟିକା ନେବାର କିଛି ଦିନ ବ୍ୟବଧାନରେ ଦ୍ୱିତୀୟ ଡୋଜ୍‌ ନେଲେ, ତାହା ଶରୀରରେ ଆଣ୍ଟିବଡିକୁ ବଢ଼ାଇଥାଏ। ପୂର୍ବରୁ ପ୍ରଥମ ଡୋଜ୍‌ ଟିକା ନେବାର ୪ ସପ୍ତାହ ପରେ ଦ୍ୱିତୀୟ ଡୋଜ୍‌ ଟିକା ନେବା ପାଇଁ କୁହାଯାଇଥିଲା। ହେଲେ ବିଶେଷଜ୍ଞମାନେ ଦେଖିଲେ ଯେ, ଗୋଟେ ଡୋଜ୍‌ ଟିକା ନେବାର ଛଅ କିମ୍ବା ଆଠ ସପ୍ତାହ ପରେ ଦ୍ୱିତୀୟ ଡୋଜ୍‌ ଟିକା ନେବା ଦ୍ୱାରା ଆଣ୍ଟିବଡି ତିଆରି ଭଲ ଭାବରେ ହେଉଛି। ତେଣୁ ପରବର୍ତ୍ତୀ ପର୍ଯ୍ୟାୟରେ ଟିକାକରଣ ବ୍ୟବଧାନରେ ପରିବର୍ତ୍ତନ କରାଗଲା। କୋଭିସିଲ୍ଡ ଛଅରୁ ଆଠ ସପ୍ତାହ ପରେ ଏବଂ କୋଭାକ୍ସିନ୍‌ ୪ରୁ ୬ ସପ୍ତାହ ପରେ ଦ୍ୱିତୀୟ ଡୋଜ୍‌ ଟିକା ନେବା ପାଇଁ ପରାମର୍ଶ ଦିଆଯାଇଛି’’, କହିଛନ୍ତି ଡାକ୍ତର ଜୟନ୍ତ ପଣ୍ଡା।

kete nua bata featured image

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ଦେଖିବାକୁ ମିଳିଛି ଯେ ଦୁଇ ଡୋଜ୍‌ ଟିକା ନେବାର ଗୋଟେ ମାସ ପରେ ବ୍ୟକ୍ତି ଯଦିଓ ଆକ୍ରାନ୍ତ ହେଉଛନ୍ତି, ତେବେ ତାଙ୍କଠାରେ ଗୁରୁତର ଲକ୍ଷଣ ଦେଖାଯାଉ ନାହିଁ ଏବଂ ବ୍ୟକ୍ତି ଶୀଘ୍ର ସୁସ୍ଥ ମଧ୍ୟ ହୋଇଯାଉଛନ୍ତି। ତେଣୁ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ।

ଟିକା ନେବା ପରେ ବି ଲୋକ କୋଭିଡ୍‌ରେ ଆକ୍ରାନ୍ତ ହେଉଛନ୍ତି। କାରଣ ଭିନ୍ନ ଲୋକଙ୍କଠାରେ ଭିନ୍ନ ଭିନ୍ନ ରୋଗ ପ୍ରତିରୋଧକ ଶକ୍ତି ଉତ୍ପନ୍ନ ହେଉଛି। ତେଣୁ ଟିକା ନିହାତି ନେବା ଜରୁରୀ କିନ୍ତୁ ତା’ପରେ ବି ଆମକୁ ସତର୍କ ରହିବାର ଆବଶ୍ୟକତା ରହିଛି ବୋଲି ଡାକ୍ତର ପଣ୍ଡା କହିଛନ୍ତି।

‘‘କୋଭିଡ୍‌ ନ ଯିବା ଯାଏଁ, ଆମକୁ ମାସ୍କ ପିନ୍ଧିବାକୁ ହେବ, ହାତ ଧୋଇବାକୁ ହେବ, ସାମାଜିକ ଦୂରତା ପାଳନ କରିବାକୁ ହେବ। ଏହାଦ୍ୱାରା ଆମେ ସଂକ୍ରମଣକୁ ଏଡ଼ାଇପାରିବା ବୋଲି ପ୍ରଫେସର ପଣ୍ଡା କହିଛନ୍ତି।

ଶିଶୁ ଏବଂ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ, ନିରନ୍ତର ଶିକ୍ଷା ଏବଂ ସୁରକ୍ଷାକୁ ନେଇ ଓଡ଼ିଶା ସରକାର, ୟୁନିସେଫ୍ ଏବଂ ଅନ୍ୟ ଅଂଶୀଦାରମାନେ ଏ ବାବଦରେ କ’ଣ ସବୁ ପଦକ୍ଷେପ ନେଉଛନ୍ତି ତା’ର ଏକ ବ୍ୟାପକ ଚିତ୍ର ଉପସ୍ଥାପନ କରୁଛି ‘କେତେ ନୂଆ ବାଟ’ ସିଜିନ୍‌ ୨। ଏଥିରେ କୋଭିଡ ହିରୋଙ୍କ କାହାଣୀ, ପିଲାଙ୍କ ସ୍ୱର, କରୋନା ସଚେତନତା ଆଦିକୁ ଉପସ୍ଥାପନ କରାଯାଉଛି।

ଏହି ଅଭିଯାନ ଅଧୀନରେ ଓଡ଼ିଶାରେ ଥିବା ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରତି ୧୫ ଦିନରେ ଥରେ, ରବିବାର ସକାଳ ୧୦ଟାରେ ଆପଣମାନଙ୍କ ପାଖରେ ଏକ ରେଡିଓ ଧାରାବାହିକ ପହଞ୍ଚୁଛି। ଏହାସହିତ ଆପଣ ରେଡିଓ ଚକ୍‌ଲେଟ୍ ୧୦୪ ଏଫ୍‌ଏମ୍‌ରେ ରବିବାର ୧୧ଟାରେ ଏହି କାର୍ଯ୍ୟକ୍ରମକୁ ଶୁଣିପାରିବେ। ସେହିପରି ବିଭିନ୍ନ ଟିଭି ଚ୍ୟାନେଲ ମାଧ୍ୟମରେ ଏହାର ଭିଡିଓ ସଂସ୍କରଣ ପ୍ରସାରିତ ହେବ।

LEAVE A REPLY

Please enter your comment!
Please enter your name here