ଓଡ଼ିଶାଲାଇଭ୍ ବ୍ୟୁରୋ

ବଙ୍ଗୋପସାଗରରେ ୟାସ୍ ଭୀଷଣ ବାତ୍ୟା ରୂପ ନେଇ ମାଡ଼ି ଆସୁଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ବନ୍ଦରଗୁଡ଼ିକ ପାଇଁ ବିପଦ ସଙ୍କେତ ଜାରି କରାଯାଇଛି। ଭଦ୍ରକର ଧାମରା ପାଖାପାଖି ବାତ୍ୟା ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଥିବାରୁ ଧାମରା ଏବଂ ପାରାଦୀପ ବନ୍ଦର ପାଇଁ ସର୍ବାଧିକ ୧୦ ନମ୍ଵର ବିପଦ ସଙ୍କେତ ଜାରି କରାଯାଇଛି।

ସେହିପରି ପୁରୀ ପାଇଁ ୮ ଏବଂ ଗୋପାଳପୁର ପାଇଁ ୩ ନମ୍ଵର ବିପଦ ସଙ୍କେତ ଜାରି କରାଯାଇଛି।  ବର୍ତ୍ତମାନ ସମୟରେ ବାତ୍ୟା ୟାସ୍ ଉତ୍ତର, ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ଗତି କରୁଛି। ପାରାଦୀପଠାରୁ ଦକ୍ଷିଣ, ଦକ୍ଷିଣ-ପୂର୍ବକୁ ୨୮୦ କିଲୋମିଟର ଦୂରରେ ରହିଛି ବାତ୍ୟା ୟାସ୍। ବାଲେଶ୍ୱର ଠାରୁ ଦକ୍ଷିଣ, ଦକ୍ଷିଣ-ପୂର୍ବକୁ ୩୮୦ କିଲୋମିଟର ଦୂରରେ ଅଛି ବାତ୍ୟା। ଦୀଘା ଠାରୁ ଦକ୍ଷିଣ, ଦକ୍ଷିଣ-ପୂର୍ବକୁ ୩୭୦ କିଲୋମିଟର ଦୂରରେ ରହିଛି ୟାସ୍।

ବାତ୍ୟା ପ୍ରଭାବରେ ପାରାଦୀପରେ ଭୀଷଣ ବର୍ଷା ବର୍ଷା ଲାଗି ରହିଛି। ସକାଳ ୮ଟା ସୁଦ୍ଧା ପାରାଦୀପରେ ସର୍ବାଧିକ ୧୬୧.୧ ମିମି ବର୍ଷା ରେକର୍ଡ କରାଯାଇଛି। ଏଥି ସହିତ ଉପକୂଳ ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ବର୍ଷା ଲାଗିରହିଛି।

Comment