ଓଡ଼ିଶାଲାଇଭ୍ ବ୍ୟୁରୋ    

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣପାଢୀ): କରୋନା କଟକଣାଜନିତ ଲକଡାଉନ, ସଟଡାଉନ୍ ପାଇଁ କାମ ବନ୍ଦ ଥିବାରୁ ହାଇଦ୍ରାବାଦରେ କାମ କରୁଥିବା କିଛି ଶ୍ରମିକ ପରିବାରକୁ ନେଇ ମାଲକାନଗିରି ଜିଲ୍ଲାରେ ଥିବା ନିଜ ଗାଁକୁ ଫେରୁଥିଲେ। ଦୁଇଟି ଡଙ୍ଗା ଯୋଗେ ନଦୀ ପାର୍ ସମୟରେ ଦୁର୍ଘଟଣା ଘଟି ଡଙ୍ଗାଦ୍ଵୟ ଓଲଟି ପଡ଼ିଥିଲା। ଏହି ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ଏଭଳି ଏକ ଅଘଟଣ ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ।

ସିଲେରୁ ନଦୀ ଦେଇ ଦୁଇଟି ଡଙ୍ଗାରେ ୧୧ ଜଣ ଶ୍ରମିକ ନିଜ ଗାଁ କାନ୍ଦାଗୁଡ଼ା ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ଏଥିରେ ୩ ଜଣ ମହିଳା ଏବଂ ୫ ଜଣ ଶିଶୁଙ୍କ ଜୀବନ ଯାଇଥିବା ବେଳେ ୩ ଜଣ ପହଁରି ପହଁରି କୂଳରେ ପହଞ୍ଚିଥିଲେ।ଚିତ୍ରକୋଣ୍ଡାର ତହସିଲଦାର କେ ପଦ୍ମନାଭା ଦୋରାଙ୍କ ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା କାନ୍ଦାଗୁଡ଼ାର ବହୁ ଶ୍ରମିକ ହାଇଦ୍ରାବାଦରେ ରହି କାମ କରୁଥିଲେ। କିନ୍ତୁ କରୋନା ପାଇଁ କାମ ବନ୍ଦ ରହିଥିବାରୁ ସେମାନେ ଗାଁମାଟିକୁ ଫେରିବାକୁ ଚେଷ୍ଟା କରିଥିଲେ। ଏଥିପାଇଁ ସୋମବାର ରାତିରେ ପ୍ରାୟ ୩୦ରୁ ଅଧିକ ଶ୍ରମିକ ବସ୍ ଯୋଗେ ଆନ୍ଧ୍ରପ୍ରଦେଶ ସୀମା ପାର୍ କରି ଓଡ଼ିଶା ସୀମାରେ ପ୍ରବେଶ କରିଥିଲେ। କିନ୍ତୁ ସେଠାରେ ଚେକିଂ ଚାଲିଥିବା ଦେଖି ଡଙ୍ଗା ଯୋଗେ ବଳକା ବାଟ ଯିବା ପାଇଁ ଚେଷ୍ଟା କରିଥିଲେ। ଏଥିପାଇଁ ସେମାନେ ସିଲେରୁ ନଦୀବାଟେ ଦୁଇଟି ଡଙ୍ଗାରେ କାନ୍ଦାଗୁଡ଼ା ଫେରୁଥିଲେ।

ଦୁଇଟି ଡଙ୍ଗାରେ ୧୧ ଜଣ ଫେରୁଥିବା ବେଳେ ପ୍ରଥମ ଡଙ୍ଗାଟି କୌଣସି କାରଣରୁ ଓଲଟି ଯାଇଥିଲା। ଏହାପରେ ଦ୍ଵିତୀୟ ଡଙ୍ଗାଟି ପ୍ରଥମ ଡଙ୍ଗାରେ ମାଡହୋଇ ଓଲଟି ଗଲା। ଏଥିରୁ ୩ ଜଣ ବ୍ୟକ୍ତି ପହଁରି ପହଁରି କୂଳକୁ ଆସିଯାଇଥିବା ବେଳେ ବାକି ୮ ଜଣଙ୍କର ମୃତ୍ୟୁ ହୋଇଛି।

Comment