ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତାଜା ରିପୋର୍ଟ ଅନୁସାରେ ଆଜି ୭ହଜାର ୨୧୬ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରର ୪୦୪୧ ଜଣ ହୋଇଥିବାବେଳେ, ୩୧୭୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ରାଜ୍ୟରୁ ୩୩ ଜଣ ଆକ୍ରାନ୍ତ କରୋନାରେ ଆଖି ବୁଜିଛନ୍ତି।

ଆଜିର ତଥ୍ୟ ଅନୁସାରେ କଟକ ଜିଲ୍ଲାରୁ ସର୍ବାଧିକ ୧୦୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୮୦୯ଜଣ ଓ ସୁନ୍ଦରଗଡ଼ରୁ ୧୮୪ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୪୦୯, ବରଗଡ଼ରୁ ୩୩୧, ବାଲେଶ୍ୱରରୁ ୨୧୫, ଯାଜପୁରରୁ ୨୪୧, ସମ୍ବଲପୁରରୁ ୨୪୧ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ପଜିଟିଭ୍ ସଂଖ୍ୟା ୭ଲକ୍ଷ ୩୯ହଜାର ୯୯୫ରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ସୁସ୍ଥ ହୋଇଥିବା ୧୧ହଜାର ୫୫୧ ଜଣଙ୍କୁ ମିଶାଇ ସମୁଦାୟ ୬ଲକ୍ଷ ୩୫ହଜାର ୧୭୯ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଯାବତ୍ ୧ଲକ୍ଷ ୦୨ହଜାର ୦୭୨ ଆକ୍ଟିଭ କେସ୍ ରହିଛି।

ଅନ୍ୟପଟେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ଆଜି ରାଜ୍ୟରୁ ସର୍ବାଧିକ ୩୩ ଜଣଙ୍କ ଜୀବନ ନେଇଛି କରୋନା। ସେମାନଙ୍କ ମଧ୍ୟରେ ଅନୁଗୁଳରୁ ସର୍ବାଧିକ ୫ଜଣ ରହିଛନ୍ତି। ସେହିପରି ବୌଦ୍ଧ, କଳାହାଣ୍ଡି, କେଉଁଝର, ଭୁବନେଶ୍ୱରରୁ ତିନି ଜଣ ଲେଖାଏଁ, ଢ଼େଙ୍କାନାଳରୁ ଜଣେ, ଗଜପତି, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କୋରାପୁଟ, ରାୟଗଡ଼ାରୁ ଦୁଇ ଜଣ ଲେଖାଏଁ, ନବରଙ୍ଗୁପରରୁ ଜଣେ, ସୁନ୍ଦରଗଡ଼ରୁ ଚାରି ଜଣ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇ ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ଏହି ମୃତକମାନଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୬୫୧ ରେ ପହଞ୍ଚିଛି।

Comment