ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତିକୁ ହାଇସ୍କୁଲ ଓ କଲେଜ ପାଠ୍ୟକ୍ରମରେ ଏକ ବିଷୟ ଭାବେ ଗ୍ରହଣ କରାଯିବ। ଏହା ସହିତ ସମସ୍ତଙ୍କୁ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲା ପାଇଁ ତାଲିମ ଦିଆଯିବ। ଏଥିସହିତ ଓଡ଼ିଶାକୁ ବିପର୍ଯ୍ୟୟ ପ୍ରତିରୋଧୀ କରିବା ପାଇଁ ଏକ ଟ୍ୟାକ୍ସଫୋର୍ସ ମଧ୍ୟ ଗଠନ କରାଯିବ। ଶନିବାର ରାଜ୍ୟ ମନ୍ତ୍ରିପରିଷଦ ବୈଠକରେ ଏନେଇ ଏକ ସଂକଳ୍ପ ଗୃହୀତ ହୋଇଛି।

ଶନିବାର ରାଜ୍ୟ ସରକାର ଓ ବିଜେଡିର ପଞ୍ଚମ ପାଳିକୁ ଦୁଇ ବର୍ଷ ପୁରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରିପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ, ଗତ ୨ବର୍ଷ ମଧ୍ୟରେ ସରକାର ସାମ୍ନା କରିଥିବା ଚ୍ୟାଲେଞ୍ଜ ଓ ସଫଳତା ସହ ସେସବୁର କିପରି ମୁକାବିଲା କରାଯାଇଛି ସେ ବିଷୟରେ ମନ୍ତ୍ରୀମାନଙ୍କୁ କହିଥିଲେ।ଏହାସହିତ ବର୍ତ୍ତମାନ ସ୍ଥିତିରେ ରାଜ୍ୟରେ ଦେଖାଯାଇଥିବା ବିପର୍ଯ୍ୟୟ ଓ ମହାମାରୀର ମୁକାବିଲା କିପରି କରିବାକୁ ହେବ ସେ ବିଷୟରେ ରାଜ୍ୟକୁ ଦକ୍ଷ ଓ ଦୃଢ଼ କରିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାପରେ ମନ୍ତ୍ରିପରିଷଦ ବୈଠକରେ ଏ ସଂକ୍ରାନ୍ତରେ ଏକ ସଂକଳ୍ପ ପାରିତ ହୋଇଛି। ଏଥିରେ ହାଇସ୍କୁଲ ଓ କଲେଜ ପାଠ୍ୟକ୍ରମରେ ବିପର୍ଯ୍ୟୟ ଓ ମହାମାରୀର ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତିକୁ ଏକ ବିଷୟ ଭାବେ ଗ୍ରହଣ କରାଯାଇଛି। ଏଥିସହିତ ସମସ୍ତଙ୍କୁ ଏନେଇ ଉପଯୁକ୍ତ ତାଲିମ ଦିଆଯିବାକୁ ପ୍ରସ୍ତାବ ହୋଇଛି।

ଏହି ସଂକଳ୍ପ ପାରିତ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏହା ଏକ ଐତିହାସିକ ପଦକ୍ଷେପ। ଭବିଷ୍ୟତରେ ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ସ୍ଥିତିର ସମ୍ମୁଖୀନ ହେବାକୁ ଭବିଷ୍ୟତ ବଂଶଧରମାନଙ୍କୁ ଏହା ଦକ୍ଷ ଓ ସଶକ୍ତ କରିବ। ଏହି ପଦକ୍ଷେପ ଦ୍ୱାରା ଓଡ଼ିଶା ଲୋକଙ୍କ ଜୀବନ ରକ୍ଷା କ୍ଷେତ୍ରରେ ମଧ୍ୟ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିପାରିବ। ବିପର୍ଯ୍ୟୟ ପରିଚାଳନାରେ ଗୋଷ୍ଠୀ ସଚେତନତା ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହା ହେଉଛି ଆମର ଉପଲବ୍ଧି।

Comment