ଓଡ଼ିଶାଲାଇଭ୍ ବ୍ୟୁରୋ

ଜୁନ ୮ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶା ଛୁଇଁପାରେ। ଏନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଦକ୍ଷିଣ-ପଶ୍ଚିମ ମୌସୁମୀ ଆନ୍ଧ୍ର ପ୍ରଦେଶରେ ପହଞ୍ଚି ସାରିଛି। ଏହାସହ ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ଅନେକ ଅଞ୍ଚଳକୁ ମଧ୍ୟ ଏହା ଆଚ୍ଛାଦିତ କରିସାରିଛି। ତେଣୁ ଏହି ପରିପ୍ରେକ୍ଷୀରେ ଜୁନ ୮ କିମ୍ବା ୯ ତାରିଖ ସୁଦ୍ଧା ଏହା ଦକ୍ଷିଣ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି।

ଆସନ୍ତା ୨ କିମ୍ବା ୩ ଦିନ ମଧ୍ୟରେ ମୌସୁମୀର କରେଣ୍ଟ ଅଧିକ ଶକ୍ତିଯୁକ୍ତ ହେବ। ଫଳରେ ଜୁନ ୧୦ ବା ୧୧ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପ ସାଗର ଏବଂ ଏହାର ସଂଲଗ୍ନ ପଶ୍ଚିମ ବଙ୍ଗ ଏବଂ ଓଡ଼ିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ସାରା ଓଡ଼ିଶାରେ ପ୍ରବେଶ କରିବ। ଏହା ଏକ ଅବପାତର ରୂପ ନେବା ସହ ଜୁନ ୧୦ ତାରିଖ ରାତିରୁ ଜୁନ ୧୧ ତାରିଖ ରାତି ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ବର୍ଷା ହେବ। ଏହାପରେ ଜୁନ ୧୪ ତାରିଖ ପର୍ଯ୍ୟନ୍ତ ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Comment