ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍‌ଏସ୍‌ପି ବୃଦ୍ଧିକୁ ନେଇ ଓଡ଼ିଶାରେ ତେଜିଛି ରାଜନୀତି। କିଛି ଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ବୃଦ୍ଧି କରାଯାଇଥିବା ଅଣଧାନ ସହାୟକ ମୂଲ୍ୟକୁ ନେଇ ସନ୍ତୁଷ୍ଟ ନାହିଁ ରାଜ୍ୟ। ତେଣୁ ଏମ୍‌ଏସ୍‌ପିକୁ ନେଇ ରାଜ୍ୟ କୃଷିମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ରଖିଛନ୍ତି। କେନ୍ଦ୍ରର ଏହି ନିର୍ଦ୍ଧାରିତ ମୂଲ୍ୟରେ ଖୁସି ନାହିଁ ରାଜ୍ୟ ବୋଲି କହିଛନ୍ତି ମନ୍ତ୍ରୀ।ସେ ଆଉ ମଧ୍ୟ କହିଛନ୍ତି, “ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୧୮୬୮ଟଙ୍କା ଥିବାବେଳେ, ଏବେ ତାହାକୁ ୧୯୪୦ଟଙ୍କା କରାଯାଇଛି। ଗ୍ରେଡ ଏ ଧାନର ମୂଲ୍ୟ ମଧ୍ୟ ୧୯୬୦ଟଙ୍କାକୁ ବୃଦ୍ଧି କରାଯାଇଛି। ଅର୍ଥାତ୍‌ କେନ୍ଦ୍ର ସରକାର ମାତ୍ର ୭୨ଟଙ୍କା ବୃଦ୍ଧି କରିଛନ୍ତି। ଏହା ହେଉଛି ଏକ ମାମୁଲି ବୃଦ୍ଧି । ଯାହାଦ୍ୱାରା ଓଡ଼ିଶା ଚାଷୀକୂଳ କୌଣସି ଫାଇଦା ପାଇବେ ନାହିଁ। ତେଣୁ ବର୍ତ୍ତମାନର ସର୍ବନିମ୍ନ ସହାୟକ ମୂଲ୍ୟରେ ଓଡ଼ିଶା ଚାଷୀ ଧାନ ବିକ୍ରି କଲେ ଗରିବ ହେବାର ଆଶଙ୍କା ଯଥେଷ୍ଟ ରହିଛି।”ଓଡ଼ିଶାକୁ ସ୍ୱତନ୍ତ୍ର ଭାବେ ବିଚାରକୁ ନେଇ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ଟଙ୍କାକୁ ବୃଦ୍ଧି କରାଯାଉ।ଏହାଦ୍ୱାରା ଚାଷୀମାନେ ଉପକୃତ ହେବାସହ ୨୫ପ୍ରତିଶତ ଲାଭ ପାଇବେ ବୋଲି କହିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ।

ଗତ ଜୁନ୍‌ ୯ତାରିଖରେ କେନ୍ଦ୍ର ସରକାର ୨୦୨୧-୨୨ଖରିଫ ଋତୁ ପାଇଁ ଧାନ ସମେତ ଅଣଧାନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଘୋଷଣା କରିଥିଲେ। ଅନ୍ୟପଟେ ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ଚାଷୀ ଚାଷ କାର୍ଯ୍ୟରେ ଯେତିକି ଟଙ୍କା ନିୟୋଜିତ କରୁଛି, ସେତିକି ପାଉନାହିଁ। ଏମ୍‌ଏସ୍‌ପି ଧାର୍ଯ୍ୟ କରାଯିବା ପରେ ବି କ୍ୱିଣ୍ଟାଲ ପିଛା ଖର୍ଚ୍ଚ ଉଠୁନି। ସେହିପରି ବିଜେଡ଼ି ବିଧାୟକ ପ୍ରତାପ ଦେବ କହିଛନ୍ତି, ପେଟ୍ରୋଲ, ଡିଜେଲ ସମେତ ଅନ୍ୟାନ୍ୟ ସାମଗ୍ରୀର ଦର ଆକାଶଛୁଆଁ ହେଲାଣି। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ପୁଣିଥରେ ଧାନର ଏମ୍‌ଏସ୍‌ପି ପ୍ରସଙ୍ଗକୁ ବିଚାରକୁ ନେବା ଉଚିତ୍‌।

ରାଜ୍ୟ ସରକାର କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ତେଣୁ ଓଡ଼ିଶାର ସ୍ଥିତିକୁ ଦେଖି ଭାରତ ସରକାର ନିଷ୍ପତ୍ତି ନେବାକୁ ଅନୁରୋଧ କରିବା ସହ ଦାବି ଉପସ୍ଥାପନ କରିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ।

Comment