ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ସାର ଅଭାବ ନେଇ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟାଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବକେୟା ସାର ସହ ମାସିକିଆ ସାର ଯୋଗାଣକୁ ସ୍ଵାଭାବିକ କରାଯାଉ ବୋଲି ଉକ୍ତ ଚିଠି ମାଧ୍ୟମରେ ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ରାଜ୍ୟରେ ଚାଷୀମାନଙ୍କୁ ସଠିକ୍ ସମୟରେ ସାର ମିଳୁନାହିଁ। ମେ’, ଜୁନ୍, ଜୁଲାଇ ମାସରେ ନିଅଣ୍ଟିଆ ସାର ଯୋଗାଣ ହୋଇଛି। ଖରିଫ ଋତୁରେ ନିଅଣ୍ଟିଆ ସାର ଯୋଗାଣ ହେତୁ କୃଷି କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଚିଠିରେ ଉଲ୍ଲେଖ କରାଯାଇଛି।ସୂଚନା ଥାଉକି, ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ୨ଲକ୍ଷ ୩୧ହଜାର ୫୩୦ ମେଟ୍ରିକ ଟନ ୟୁରିଆ ସାର ପାଇବା କଥା କିନ୍ତୁ ରାଜ୍ୟକୁ ମିଳିଛି ମାତ୍ର ୧ଲକ୍ଷ ୪୫ହଜାର ୧୪୫ ମେଟ୍ରିକ ଟନ୍। ସେହିପରି ଡିଏପି ସାର ୧ଲକ୍ଷ ୫୨ ହଜାର ମେଟ୍ରିକ ଟନ ମିଳିବା ବଦଳରେ ଏପର୍ଯ୍ୟନ୍ତ ମିଳିଛି ୯୭ହଜାର ୭୬୩ ମେଟ୍ରିକ ଟନ। ରାଜ୍ୟକୁ ସମୁଦାୟ ୟୁରିଆ ସାର ୬୨ପ୍ରତିଶତ ମିଳିଥିବାବେଳେ, ଅନ୍ୟାନ୍ୟ ସାର ୬୦ରୁ ୭୪ ପ୍ରତିଶତ ମିଳିଥିବା ସୂଚନା ରହିଛି।ରାଜ୍ୟରେ ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଅଧିକ ସାରର ଆବଶ୍ୟକ ପଡିଥାଏ। ଯେପରି ଏହି ସମୟ ମଧ୍ୟରେ କୃଷି ଉତ୍ପାଦନରେ କୌଣସି ବାଧା ନଉପୁଜେ ସେଥିପାଇଁ ତୁରନ୍ତ ରାଜ୍ୟକୁ ସାର ଯୋଗାଇ ଦିଆଯାଉ ବୋଲି କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Comment