ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ) : ଲକଡାଉନ୍ ସମୟରେ ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରି ବଲିଉଡ୍ ଅଭିନେତା ସୋନୁ ସୁଦ ଭଗବାନ ପାଲଟି ଯାଇଛନ୍ତି। ଏମିତିକି ଅନେକ ସ୍ଥାନରେ ଲୋକମାନେ ତାଙ୍କ ମୂର୍ତ୍ତି ତିଆରି କରି ପୂଜା କରୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି। ଏଥିସହ କିଏ କିଏ ନିଜ ସନ୍ତାନର ନାମ ସୋନୁ ରଖିଛନ୍ତି, ତ’ ଆଉ କିଏ ତାଙ୍କ ନାଁରେ ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି। ସେହିପରି  ତେଲେଙ୍ଗାନାର ଜଣେ ଛାତ୍ର ସୋନୁ ସୁଦଙ୍କୁ ଭେଟିବା ପାଇଁ ପାଦରେ ଚାଲି ଚାଲି ୭ଶହ କିମି ରାସ୍ତା ଅତିକ୍ରମ କରି ମୁମ୍ବାଇରେ ପହଞ୍ଚିଛନ୍ତି।ତେଲେଙ୍ଗାନାର ବିକାରାବାଦ ଜିଲ୍ଲାର ପାରଗି ଗ୍ରାମର ଯୁକ୍ତ ଦୁଇରେ ପଢ଼ୁଥିବା ଛାତ୍ର ହେଉଛନ୍ତି ଭେଙ୍କଟେଶ। ସେ ନିଜର ପ୍ରିୟ ଅଭିନେତା ସୋନୁ ସୁଦଙ୍କୁ ଭେଟିବା ପାଇଁ ହାଇଦ୍ରାବାଦରୁ ୭ଶହ କିଲୋମିଟରରୁ ଅଧିକ ରାସ୍ତା ଖାଲି ପାଦରେ ଚାଲି ଚାଲି ମୁମ୍ବାଇରେ ପହଞ୍ଚିଛନ୍ତି। ସେ ହାଇଦ୍ରାବାଦ-ମୁମ୍ବାଇ ରାଜପଥରେ ଏକ ପ୍ଲାକାର୍ଡ ଧରି ଚାଲି ଚାଲି ଯାଉଥିବା ନଜର ଆସିଥିଲେ। ସେଥିରେ ଲେଖାଥିଲା ‘ପ୍ରକୃତ ହିରୋ ସୋନୁ ସୁଦ’। ଭେଙ୍କଟେଶଙ୍କର ଏହି ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି।

ଭେଙ୍କଟେଶ ଏକ ଭିଡିଓରେ କହିଛନ୍ତି, “ସେ ପଦଯାତ୍ରାରେ ଯିବାକୁ ସ୍ଥିର କରିବାର ମୁଖ୍ୟ କାରଣ ହେଉଛି ସୋନୁ ସୁଦଙ୍କୁ ଭେଟି ଧନ୍ୟବାଦ ଦେବା । କରୋନା ମହାମାରୀ ଭଳି କଠିନ ପରିସ୍ଥିତିରେ ଏହି ଅଭିନେତା ନିଜର ମହତ କାର୍ଯ୍ୟ ପାଇଁ ଲୋକଙ୍କ ହୃଦୟ ଜିତି ପାରିଛନ୍ତି। ତାଙ୍କରି ଏଭଳି ମହତ୍ କାର୍ଯ୍ୟ ଆଗରେ ଏହି ପଦଯାତ୍ରା କୌଣସି ବଡ଼ କଥା ନୁହେଁ।”ଗତ କିଛି ଦିନ ପୂର୍ବେ ଭେଙ୍କଟେଶଙ୍କ ବାପାଙ୍କ ଦେହ ଖରାପ ହୋଇଥିଲା। ଅର୍ଥାଭାବ ଯୋଗୁଁ ସେ ତାଙ୍କର ଚିକିତ୍ସା କରାଇ ପାରୁନଥିଲେ। ସେହି ସମୟରେ ଅଭିନେତା ସୋନୁ ସୁଦ ତାଙ୍କୁ ସାହାଯ୍ୟ କରିଥିଲେ। ଯାହାଫଳରେ ଆଜି ତାଙ୍କ ବାପା ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେଣୁ ସେ ହେଉଛନ୍ତି ତାଙ୍କର ପ୍ରକୃତ ହିରୋ ଓ ଭଗବାନ। ତାଙ୍କ ପାଇଁ କିଛିବି କଷ୍ଟ କରିପାରିବେ ବୋଲି କହିଛନ୍ତି ଭେଙ୍କଟେଶ। ଅନ୍ୟପକ୍ଷରେ ଯେତେବେଳେ ସୋନୁ ସୁଦ ଫେସ୍ବୁକ ମାଧ୍ୟମରେ ଭେଙ୍କଟେଶଙ୍କ ବିଷୟରେ ଜାଣିଲେ, ସେ ଗୋଟିଏ ଭିଡିଓ ସେୟାର କରିଥଲେ।

ସେହି ଭିଡିଓରେ କହିଥିଲେ “ସମସ୍ତ ସ୍ନେହ ଓ ଶ୍ରଦ୍ଧା ପାଇଁ ଧନ୍ୟବାଦ। କିନ୍ତୁ ଦୟାକରି ଏଭଳି କରି ନିଜ ଜୀବନକୁ ବିପଦରେ ପକାନ୍ତୁ ନାହିଁ। ମୁଁ ଜାଣେ ତୁମେ ସମସ୍ତେ ମୋତେ ଭଲ ପାଅ ଏବଂ ମୁଁ ମଧ୍ୟ ତୁମକୁ ବହୁତ ଭଲ ପାଏ।”

Comment