ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କଅଁଳ ବୟସ। ଦୁନିଆକୁ ଏଯାଏଁ ଭଲକରି ଦେଖି ବି ନାହାନ୍ତି। ହେଲେ ଦଇବ ନିଷ୍ଠୁର ସାଜିଲା, କିଛି ବୁଝିବା ଆଗରୁ ଆଗପଛ କରି କରୋନାରେ ଚାଲିଗଲେ ବାପା,ମା’। ତିନି ତିନିଟା ପିଲାଙ୍କୁ ଅନାଥ କରିଗଲା ମାହାମାରୀ। ଏପରି ଏକ ଦୃଦୟ ବିଦାରକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଚଣ୍ଡିଆଗଡ଼ି ଗ୍ରାମରେ।

ଚଣ୍ଡିଆଗଡ଼ି ଗ୍ରାମର କିଶୋର କୁମାର ରଥ ପତ୍ନୀ ସତ୍ୟପ୍ରିୟା ଓ ତିନି ପିଲାଙ୍କୁ ନେଇ ଆନ୍ଧ୍ରପ୍ରଦେଶର ଏକ କମ୍ପାନିରେ କାମ କରୁଥିଲେ। ହସଖୁସିରେ ଚଳୁଥିଲା ତାଙ୍କର ଛୋଟିଆ ସଂସାର। କିନ୍ତୁ ବାହାରେ କାମ କରିବା ମଧ୍ୟରେ କିଶୋର କରୋନାରେ ଆକ୍ରାନ୍ତ ହେଲେ। ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ବେଙ୍ଗାଳୁରୁର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ କରୋନାକୁ ଜିତି ପାରିଲେନି କିଶୋର। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।ଏହାପରେ ସତ୍ୟପ୍ରିୟା ବାପ ଛେଉଣ୍ଡ ତିନି ପିଲାଙ୍କୁ ନେଇ ଓଡ଼ିଶା ଚାଲି ଆସିଥିଲେ। ହେଲେ ଓଡ଼ିଶା ଆସିବାର କିଛିଦିନ ପରେ ସତ୍ୟପ୍ରିୟା ମଧ୍ୟ କରୋନାରେ ଆକ୍ରାନ୍ତ ହେଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସ୍‌ସିବି କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଗଲା। ହେଲେ କରୋନା ସହ ଲଢ଼ି ଲଢ଼ି ଶେଷରେ ସତ୍ୟପ୍ରିୟା ମଧ୍ୟ ଆଖି ବୁଜିଦେଲେ, ଆଉ ଛାଡ଼ି ଚାଲିଗଲେ ତିନି କୋମଳମତି ଶିଶୁ ସାଇପ୍ରିୟା (୧୩), ଶୁଭପ୍ରିୟା (୧୧) ଓ ଶୁଭ ସୁଦିପ୍ତ (୭)ଙ୍କୁ।

୩ଟି ପିଲା ଏବେ ପଟ୍ଟାମୁଣ୍ଡାଇ ବ୍ଲକ ନିମପୁର ଶାସନ ଗାଁରେ ନିଜ ମାମୁଘରେ ରହୁଛନ୍ତି। ମଝିଆ ଝିଅ ଶୁଭପ୍ରିୟା ଓ ସାନ ପୁଅ ଶୁଭ ସୁଦିପ୍ତ ଏଯାଏଁ ଜାଣି ନାହାନ୍ତି ଯେ ତାଙ୍କ ବାପା, ମା’ ଆଉ ଏ ଦୁନିଆରେ ନାହାନ୍ତି ବୋଲି। ବାପା, ବୋଉ ଡାକ୍ତରଖାନାରେ ଅଛନ୍ତି, ଆଉ ଶୀଘ୍ର ଭଲ ହୋଇଆସିବେ କହି ସେମାନଙ୍କୁ ବୁଝାଇ ରଖିଛି ବଡ଼ ଭଉଣୀ ସାଇପ୍ରିୟା। ଭାଇ ଭଉଣୀଙ୍କୁ ସିନା ଯେଣୁତେଣୁ କରି ବୁଝାଇଦେଇଛି, ହେଲେ ନିଜ ମନ ବୁଝୁନି। ବାପା, ବୋଉଙ୍କୁ ମନେପକାଇ ଗୁମୁରୁ ଗୁମୁରି କାନ୍ଦୁଛି ସାଇପ୍ରିୟା।କୋଭିଡ୍ ପାଇଁ ଅନାଥ ହୋଇଥିବା ପିଲାମାନଙ୍କୁ ମଧୁବାବୁ ପେନସନ୍‌ରେ ଯୋଡ଼ିବା ସହ ସେମାନଙ୍କ ପାଇଁ ଆବଶ୍ୟକୀୟ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି କରିଛନ୍ତି। ତେଣୁ ସୋମବାର କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ ନିମପୁର ଯାଇ ତିନି ପିଲାଙ୍କୁ ୩ ମାସର ଆଗୁଆ ମଧୁବାବୁ ପେନସନ୍ ଅର୍ଥରାଶି ପ୍ରଦାନ କରିଛନ୍ତି। ପିଲାମାନେ ଯେହେତୁ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ପାଠପଢୁଥିଲେ, ତେଣୁ ସେମାନଙ୍କୁ କେନ୍ଦ୍ରାପଡ଼ା କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ନବୋଦୟ ବିଦ୍ୟାଳୟରେ ପାଠ ପଢାଇବାର ବ୍ୟବସ୍ଥା କରାଯିବା ବୋଲି ଜିଲ୍ଲାପାଳ କହିଛନ୍ତି।

Comment