ଓଡ଼ିଶାଲାଇଭ୍ ବ୍ୟୁରୋ

ବଲାଙ୍ଗୀର ସହରରେ ମଙ୍ଗଳବାର ଏକ ହାଇଡ୍ରାମା ଦେଖିବାକୁ ମିଳିଛି। ଶାନ୍ତିପଡ଼ା ଅଞ୍ଚଳର ଦିବ୍ୟଲୋଚନ ହୋତାଙ୍କ ଘରେ ଆଜି ସକାଳେ ଜଣେ ଯୁବକ ପଶି ବନ୍ଧୁକ ଦେଖାଇ ପୂରା ପରିବାରକୁ ବନ୍ଧକ ବନାଇଦେଇଥିଲେ। ପାଞ୍ଚ ଘଣ୍ଟାର ଅପରେସନ ପରେ କୌଶଳକ୍ରମେ ପୋଲିସ ସେହି ପରିବାର ଲୋକଙ୍କୁ ଉଦ୍ଧାର କରିଛି। ଏଥିସହ ଉକ୍ତ ଯୁବକକୁ ପୋଲିସ କାବୁ କରି ତାଙ୍କୁ ପଚରାଉଚରା କରୁଛି। ଏହି ଘଟଣା ବଲାଙ୍ଗୀର ସମେତ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି।

ପୂରା ଘଟଣା

ବଲାଙ୍ଗୀର ସହରର ଶାନ୍ତିପଡ଼ା ଅଞ୍ଚଳ। ଦିବ୍ୟଲୋଚନ ହୋତା ସକାଳେ ଠାକୁର ପୂଜା କରୁଥିଲେ। ଏତିକିବେଳେ ଜଣେ ଯୁବକ ତାଙ୍କ ଘର ଭିତରକୁ ପଶି ଆସିଥିଲେ। ଦିବ୍ୟଲୋଚନ ଭାବିଥିଲେ ଏସି କି ଲାଇନ୍ ମରାମତିଓ୍ଵାଲା ହୋଇଥିବେ। କିନ୍ତୁ ଉକ୍ତ ଯୁବକ ହଠାତ୍ ବନ୍ଧୁକଟିଏ ବାହାର କରି କହିଥିଲେ “ତୁମ ଭାଣିଜୀକୁ ଡାକ, ନହେଲେ ଗୁଳି କରିଦେବି…”। ପରିବାର ଲୋକଙ୍କୁ ବନ୍ଧୁକ ଦେଖାଇ ଯୁବକଜଣକ ବାରମ୍ଵାର ସେହି କଥାକୁ ଦୋହରାଉ ଥିଲେ।

ଏତିକି ବେଳେ ଦିବ୍ୟଲୋଚନଙ୍କ ପୁଅ କୌଶଳ କରି ପରିବାର ସହ ଏକ ରୁମ୍ ଭିତରକୁ ପଶି ଭିତପଟୁ କବାଟ ବନ୍ଦ ଦେଇଥିଲେ। କବାଟ ପାଖରେ ଫ୍ରିଜ୍ ରଖି ଜାମ୍ କରିଦେଇଥିଲେ। ଏହାପରେ ଦୁର୍ବୃତ୍ତ ଜଣକ କିଛି ବାଟ ନ ପାଇ ଘରର ମୁଖ୍ୟ କବାଟ ବନ୍ଦ କରି ସମସ୍ତଙ୍କୁ ବନ୍ଧକ କରିନେଇଥିଲା ଏବଂ ତା କଥା ନ ମାନିଲେ ସେ ନିଜକୁ ଗୁଳି କରିଦେବ ବୋଲି ଧମକ ଦେଉଥିଲା।୫ ଘଣ୍ଟାର ଅପରେସନ୍ ପରେ ଧରାହେଲା ଦୁର୍ବୃତ୍ତ

ଘଟଣା ବିଷୟରେ ଖବର ପାଇ ପୋଲିସ ଶାନ୍ତିପଡ଼ାରେ ପହଞ୍ଚି ଦୁର୍ବୃତ୍ତକୁ କାବୁ କରିବାକୁ ତା ସହ ଆଲୋଚନା କରିଥିଲେ। କିନ୍ତୁ ସେ ପୋଲିସର କୌଣସି କଥା ନ ଶୁଣି ପରିବାର ଲୋକଙ୍କୁ ବନ୍ଧକ ରଖିଥିଲା।

ଯୁବକର ଗାଡ଼ିରୁ ତାର ପରିଚୟ ବିକ୍ରମ ପଣ୍ଡା ବୋଲି ପୋଲିସ ଜାଣିବାକୁ ପାଇଥିଲା। ଏହାପରେ ବିକ୍ରମର ମାଆ ଏବଂ ତାର କିଛି ସାଙ୍ଗମାନଙ୍କୁ ଡାକି ବିକ୍ରମକୁ ବୁଝାଇବାକୁ ପୋଲିସ ଚେଷ୍ଟା କରିଥିଲା। ହେଲେ ଏହାପରେ ମଧ୍ୟ ପୋଲିସକୁ କିଛି ସୁଫଳ ମିଳି ନଥିଲା। ତେଣୁ ସିଡ଼ି ଲଗାଇ ଝରକା ବାଟେ ଦିବ୍ୟଲୋଚନଙ୍କ ପରିବାରକୁ ପୋଲିସ ଉଦ୍ଧାର କରିଥିଲା।

ବଲାଙ୍ଗୀର ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ବିକ୍ରମକୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ବାରମ୍ବାର ନିଜକୁ ଗୁଳି କରିଦେବ ବୋଲି ଧମକ ଦେଉଥିଲା। ଏହାପରେ ପୋଲିସ ଅଲଗା ଅଲଗା ଦୁଇଟି ଟିମ୍ କରି ସେହି ଘରେ ପଶି ବିକ୍ରମକୁ କାବୁ କରିଥିଲା। ବିକ୍ରମଠାରୁ ପୋଲିସ ଏକ ଦେଶୀ ବନ୍ଧୁକ ଜବତ କରିଛି। ବିକ୍ରମକୁ କେଉଁ ଏକ ଅଜ୍ଞାତ ସ୍ଥାନକୁ ନେଇ ପୋଲିସ ପଚରା ଉଚରା କରୁଛି। ବିକ୍ରମ କାହିଁକି ଏପରି କଲେ ତଦନ୍ତ ପରେ ତାହା ସ୍ପଷ୍ଟ ହୋଇପାରିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।ପ୍ରେମ ସମ୍ପର୍କ ସନ୍ଦେହ

ବଲାଙ୍ଗୀର ଶାନ୍ତିପଡ଼ା ଘଟଣା ପଛରେ ପ୍ରେମ ସମ୍ପର୍କ ଥିବା ଶୁଣିବାକୁ ମିଳିଛି। ଦିବ୍ୟଲୋଚନ ହୋତାଙ୍କ ଭାଣିଜୀକୁ ବିକ୍ରମ ଏକ ତରଫା ପ୍ରେମ କରୁଥିବା ଜଣାପଡ଼ିଛି। ପ୍ରେମିକାର ଅନ୍ୟତ୍ର ବାହାଘର ଠିକ୍ ହୋଇଥିବା ଜାଣି ବିକ୍ରମ ଏହିଭଳି କାଣ୍ଡ ଘଟାଇଥିବା ସ୍ଥାନୀୟ ଲୋକେ କହିଛନ୍ତି।

Comment