ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାକୁ ପରାସ୍ତ କରିଛନ୍ତି ପୁଣି ଜଣେ ବୟୋଜ୍ୟେଷ୍ଠା। କେନ୍ଦ୍ରାପଡ଼ାର ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କ ଦୃଢ଼ ଇଛାଶକ୍ତି ଆଗରେ ହାର ମାନିଛି ମହାମାରୀ। ବୃଦ୍ଧାଙ୍କର ଦୃଢ଼ ମନୋବଳ, ଇଚ୍ଛାଶକ୍ତି ତଥା କେନ୍ଦ୍ରାପଡା ଛତାସ୍ଥିତ ସମ୍ କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସ ଓ ମେଡିକାଲ୍ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ, ଚିକିତ୍ସା, ସେବା ଓ ଯତ୍ନ ଫଳରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ୍ ଅନ୍ତର୍ଗତ ହରିଦାସପୁର ଗ୍ରାମର ବୃଦ୍ଧା କ୍ଷୀରୋଦା ମହାନ୍ତି କିଛି ଦିନ ତଳେ ହଠାତ ଅସୁସ୍ଥ ହୋଇ ପଡିଥିଲେ। ପୁଅ ଖଗେଶ୍ୱର ମହାନ୍ତି ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ କ୍ଷୀରୋଦା ଓ ତାଙ୍କ ପୁଅ ଖଗେଶ୍ୱରଙ୍କର କୋଭିଡ୍ ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା। ଉଭୟଙ୍କର ନେଗେଟିଭ୍ ବାହାରିଥିଲେ ବି କ୍ଷୀରୋଦାଙ୍କର ଅମ୍ଳଜାନ ସ୍ତର ବହୁ କମ୍ ଥିଲା। ତେଣୁ ତାଙ୍କୁ ଜୁନ୍ ୬ ତାରିଖରେ କେନ୍ଦ୍ରାପଡା ସହର ଉପକଣ୍ଠ ଛତାଠାରେ ଥିବା ସମ୍ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସେଠାରେ  କ୍ଷୀରୋଦାଙ୍କର କୋଭିଡ୍ ଆର୍ଟିପିସିଆର୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଥିଲା। ଦିନକୁ ଦିନ ତାଙ୍କର ଅମ୍ଳଜାନ ସ୍ତର କମିବା ସହ ନିଃଶ୍ୱାସ ପ୍ରଶ୍ୱାସ ନେବା କଷ୍ଟକର ହୋଇପଡ଼ିଥିଲା। ମାତ୍ର ସମ୍ କୋଭିଡ୍ ହସ୍ପିଟାଲରେ ଉପଲବ୍ଧ ଅତ୍ୟାଧୁନିକ ଚିକିତ୍ସା ଭିତ୍ତିଭୂମି ସାଙ୍ଗକୁ ଅଭିଜ୍ଞ ଓ ବରିଷ୍ଠ ଡାକ୍ତରଙ୍କ ଆପ୍ରାଣ ପ୍ରଚେଷ୍ଟା କ୍ଷୀରୋଦାଙ୍କୁ ନୂଆ ଜୀବନ ଦେଇଛି।ସେ ସୁସ୍ଥ ହୋଇ ଘରକୁ ଫେରିବା ପରେ ସମ୍ କୋଭିଡ୍ ହସ୍ପିଟାଲର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ କ୍ଷୀରୋଦ ଓ ତାଙ୍କ ପୁଅ ଖଗେଶ୍ୱର କୃତଜ୍ଞତା ଜଣାଇଛନ୍ତି।

ଏନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ରୁତୁରାଜ ଟୁଇଟ୍ କରି ମେଡିକାଲ ଟିମ୍‌ର ପ୍ରଶଂସା କରିଛନ୍ତି।

Comment